www.samajalive.in
Friday, December 5, 2025
20.1 C
Bhubaneswar

ମାରାତ୍ମକ ଅନ୍‌ଲାଇନ୍ ଜୁଆ

ଭୁବନେଶ୍ଵର: ସତ ଘଟଣାଟିଏ। ରାଜ୍ୟ ରାଜଧାନୀରୁ ୧୫୦ କି.ମି. ଦୂର ଏକ ଗାଁ ଛକମୁଣ୍ଡ ଚା’ ଦୋକାନରେ ଚା’ ପିଇଲାବେଳେ କାନରେ ବାଜିଲା ଦୁଇ ଜଣ ମଧ୍ୟବୟସ୍କଙ୍କ କଥାବାର୍ତ୍ତା। ଜଣେ କହୁଥିଲେ – କାଲି ଅଳ୍ପକେ ମୋ ହାତରୁ ଖସିଗଲା ୩ କୋଟି ଟଙ୍କା ! ଅମୁକ ଖେଳାଳିକୁ ନେଇଥିଲେ ମୁଁ ନିଶ୍ଚିତ ଜିତି ଯାଇଥାନ୍ତି। କହିବା ବାହୁଲ୍ୟ ସେମାନେ କଥା ହେଉଥିଲେ ବର୍ତ୍ତମାନ ଲୋକପ୍ରିୟ ହୋଇଥିବା ଏକ ଅନ୍‌‌ଲାଇନ ଗେମ୍‌‌ ବିଷୟରେ। ତେବେ ସେମାନଙ୍କ ବୟସ ସହିତ ଏଭଳି ଆଲୋଚନା ଠିକ୍‌‌ ଲାଗୁନଥିଲା। ମାତ୍ର ଗୋଟିଏ କଥା ପ୍ରମାଣିତ ହେଉଥିଲା ବର୍ତ୍ତମାନ ଅନ୍‌‌ଲାଇନ୍‌‌ ଗେମ୍‌‌ ପିଲାଠାରୁ ବୁଢାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାଇଆ କରିଛି। କିଛି ଦିନ ତଳେ କେହି ଜଣେ ୩ କୋଟି ଟଙ୍କା ଅନ୍‌‌ଲାଇନ ଖେଳରୁ ଜିତିଲା ବୋଲି ସମ୍ବାଦ ଖବରକାଗଜଗୁଡ଼ିକର ଶିରୋନାମା ପାଲଟି ଗଲା। ଏମିତି କତିପୟ ସମ୍ବାଦ ଲୋକଙ୍କୁ ଅନ୍‌‌ଲାଇନ ଖେଳପ୍ରତି ଆକୃଷ୍ଟ କରୁଛି। ମାତ୍ର ପ୍ରତିଦିନ ଖବରକାଗଜରେ ବାହାରୁଛି – ଅନ୍‌‌ଲାଇନ ଖେଳରେ ଏତେ ଟଙ୍କା ହାରିଲେ, ଅନ୍‌‌ଲାଇନ ଗେମ୍‌‌ ଖେଳି ଜୀବନ ହାରିଲେ; କିନ୍ତୁ ଏସବୁ କାହାକୁ ପ୍ରଭାବିତ କରୁନି। କଂପ୍ୟୁଟର ବା ମୋବାଇଲରେ ଖେଳାଯାଉଥିବା ଯେ କୌଣସି ଖେଳ ଯେ ଜୁଆଠାରୁ କୌଣସି ଗୁଣରେ କମ୍‌‌ ନୁହେଁ ଏକଥା ସମସ୍ତ ଜାଣନ୍ତି; ମାତ୍ର ଖେଳୁଛନ୍ତି।
ଏ କଥା ସତ୍ୟ ପ୍ରଯୁକ୍ତିବିଦ୍ୟା ଆମ ଜୀବନକୁ ବହୁତ ସହଜ କରିଦେଇଛି; କିନ୍ତୁ ପ୍ରଯୁକ୍ତିର ସୁଫଳ ତୁଳନାରେ ଏହାର ବିପରୀତ ଫଳ ଆମକୁ ଅଧିକ ବିପଦରେ ପକାଉଛି। ଅନ୍‌ଲାଇନ ଗେମ୍‌‌ ଗୁଡ଼ିକ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଏମିତି କଳା ଦୁନିଆ ଯାହା ପ୍ରଥମେ ଆମର ଯୁବପିଢିଙ୍କ ଗଳାରେ ଫାଶ ହୋଇଥିଲା, ଏବେ ଏହା ସମାଜର ସବୁବର୍ଗର ଲୋକଙ୍କୁ ନିଜର ଅକ୍ତିଆରକୁ ନେଲାଣି। ପ୍ରାରମ୍ଭରେ ଏହି ଖେଳଗୁଡ଼ିକ କେବଳ ମନୋରଞ୍ଜନ ପାଇଁ ଖେଳାଯାଏ; କିନ୍ତୁ ଏହା ଧୀରେ ଧୀରେ ଏକ ନିଶାରେ ପରିଣତ ହୁଏ। ପିଲା ଏବଂ ଯୁବକମାନେ ଦିନରାତି ମୋବାଇଲ୍‌‌ କିମ୍ବା କମ୍ପ୍ୟୁଟରରେ ଖେଳ ଖେଳିବାରେ ବ୍ୟସ୍ତ ରହନ୍ତି। ଏହା କେବଳ ସେମାନଙ୍କ ପାଠପଢ଼଼ା ଓ ବୃତ୍ତିକୁ ପ୍ରଭାବିତ କରେ ନାହିଁ ବରଂ ସେମାନଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାକୁ ଲାଗେ। ଆଜିକାଲି ଗାଁ ଗହଳି, ସହରବଜାର ଯୁଆଡେ ଗଲେ ଆମେ ଦେଖିବାକୁ ପାଇବା ପିଲାମାନେ ମୁହଁ ତଳକୁ କରି ମୋବାଇଲରେ କ’ଣସବୁ କରୁଛନ୍ତି। ଦଳଦଳ ହୋଇ ପିଲାଏ ବସିଥିବେ ମାତ୍ର କାହାରି କାହା ସହିତ କଥା ନଥିବ, ନିଜ ନିଜ ମୋବାଇଲରେ ମୁଣ୍ଡମାଡି ଦେଇଥିବେ। କହିବା ଅନାବଶ୍ୟକ ଏମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍‌‌ଲାଇନ ଗେମ୍‌‌ ହିଁ ଖେଳିଥାନ୍ତି।
ଆଗରୁ ଅନ୍‌‌ଲାଇନ ଖେଳଗୁଡିକରେ ବିଭିନ୍ନ ଚ୍ୟାଲେଞ୍ଜ ମିଳୁଥିଲା ଯାହାକୁ ଖେଳାଳି ସମ୍ମୁଖୀନ ହୋଇ ନିଶାଗ୍ରସ୍ତ ଭାବେ ଖେଳୁଥିଲା। ଏବେ ଏସବୁରେ ଯୋଡି ହୋଇଯାଇଛି ଟଙ୍କା। ଅଧିକାଂଶ ଖେଳରେ ଟଙ୍କା ବିନିଯୋଗ କରି ଖେଳିବାର ବିକଳ୍ପ ଅଛି। ତେବେ ଟଙ୍କା ବିନିଯୋଗ କରି ଖେଳାଯାଉଥିବା ଖେଳଗୁଡିକ ଜୁଆ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏମିତି ଖେଳଗୁଡ଼ିକରେ ଅନେକ ଯୁବକ ହଜାର ହଜାର ଟଙ୍କା ହରାଉଛନ୍ତି ଏବଂ ଅନେକ ସମୟରେ ଋଣରେ ବୁଡ଼ିଯାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି। ଏହି ଖେଳରେ ଜିତି ଲାଭବାନ ହେବା ବ୍ୟକ୍ତିଙ୍କ ପ୍ରତିଶତ ଅତି ନଗଣ୍ୟ ହୋଇଥିବାବେଳେ ଶହଶହ ଯୁବକ ନିଜର ପୁଞ୍ଜି ହରାଇ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଛନ୍ତି।
କେବଳ ସେତିକି ନୁହେ;ଏହି ଖେଳଗୁଡ଼ିକ ପିଲାମାନଙ୍କୁ ସାମାଜିକ ଜୀବନରୁ ଦୂରେଇ ନେଇଯାଉଛି। ଅନ୍‌‌ଲାଇନ ଗେମ୍‌‌ରେ ବୁଡ଼ି ରହୁଥିବା ପିଲାଏ ଘର ପରିବାର ଲୋକଙ୍କ ସହ ମିଶନ୍ତି ନାହିଁ, ସମାଜରେ କ’ଣ ଘଟୁଛି ସେଥିରେ ସେମାନଙ୍କ ରୁଚି ନଥାଏ, ସେମାନେ ଏକାକୀତ୍ୱର ଶିକାର ହୁଅନ୍ତି ଏବଂ ମାନସିକ ଚାପ ମଧ୍ୟରେ ରହିଥାନ୍ତି। ମନସ୍ତତ୍ତ୍ୱବିତ୍‌ମାନଙ୍କ ମତରେ ଅନ୍‌ଲାଇନ ଗେମ୍‌‌ ଏକ ଅଦୃଶ୍ୟ ନିଶା। ଏହି ନିଶା ଡ୍ରଗ୍ସଠାରୁ ମଧ୍ୟ ମାରାତ୍ମକ। କାରଣ ଏଥିରୁ ବାହାରିବା ସହଜ ନୁହେଁ।
ଆଉ ଏକ ଗୁରୁତର ବିଷୟ ହେଲା ଏହି ଗେମ୍‌‌ରେ ପ୍ରାୟତଃ ପିଲାମାନେ ହାରିଥାନ୍ତି ଓ ନିଜର ଅର୍ଥ, ସମୟ ଓ ମାନସିକ ଶାନ୍ତି ହରାଇଥାନ୍ତି। ହେଲେ ଏ କଥା ସେମାନେ କାହା ଆଗରେ କହିନଥାନ୍ତି। ଏହା ଗୁପ୍ତ ରଖିଥାନ୍ତି। ଏମିତି କି ଲକ୍ଷଲକ୍ଷ ଟଙ୍କା ହରାଇଥିଲେ ବି ଏ ଖବର ପୁଲିସ୍‌‌ରେ ଦେବାକୁ ଉଚିତ ମଣିନଥାନ୍ତି। ସେମାନଙ୍କର ଏହି ନୀରବତାର ସୁଯୋଗ ନେଇ ଅନ୍‌‌ଳାଇନରେ ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଗେମିଂ ଆପ୍ସ ଚଲାଉଥିବା କମ୍ପାନୀଗୁଡ଼ିକ ପ୍ରଥମେ ଯୁବପିଢ଼ିଙ୍କୁ ଜିତିବାର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରନ୍ତି। କିଛି ମନସ୍ତତ୍ତ୍ୱବିତ୍‌ଙ୍କ ମତରେ ଏହି ଖେଳଗୁଡ଼ିକ ଏକ ନିଶା ପରି କାମ କରେ। ଟିକିଏ ଜିତିବା ଦ୍ୱାରା ପ୍ରାରମ୍ଭରେ ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ଏକ ବିଶେଷ ପ୍ରକାରର ହରମୋନ ସୃଷ୍ଟି ହୁଏ ଯାହା ତାଙ୍କୁ ବାରମ୍ବାର ଖେଳିବାକୁ ପ୍ରେରଣା ଦିଏ। ପରେ ଏମିତି ଗୋଟେ ଅବସ୍ଥା ଆସେ ଯେତେବେଳେ ପିଲାଟି ଖେଳରୁ କୌଣସି ଆନନ୍ଦ ପାଉନଥିଲେ ବି ନିଶାଗ୍ରସ୍ତ ହୋଇ ଖେଳିଥାଏ। ଜଣେ ବିଶିଷ୍ଟ ମନୋଚିକିତ୍ସକ କହିଛନ୍ତି ଯେ ପ୍ରତିଦିନ ସେ ଦେଖୁଥିବା ପ୍ରାୟ ୪୦ ଜଣ ରୋଗୀଙ୍କ ମଧ୍ୟରୁ ଦୁଇଜଣ ଅନ୍‌ଲାଇନ ଗେମ୍‌‌ କିମ୍ବା ଇଣ୍ଟରନେଟ୍‌‌ ପ୍ରତି ନିଶାରେ ପୀଡିତ।
ଥରେ ଏହି ଅନ୍‌‌ଲାଇନ ଗେମ୍‌‌ ନିଶାର ଶିକାର ହେବା ପରେ ପିଲାଏ ବିଭିନ୍ନ ଖରାପ ରାସ୍ତା ଆପଣାଉଛନ୍ତି। ଚୋରି କରିବା, କାହାକୁ ଠକି ପଇସା ଆଣି ଖେଳରେ ଲଗାଇବା, ବ୍ଲାକମେଲିଂ କରିବା ଆଦି ବିଭିନ୍ନ ଖରାପ କାର୍ଯ୍ୟରେ ସେମାନେ ଲିପ୍ତ ରହୁଛନ୍ତି। କାରଣ ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଘରର ପିଲାଏ ଏହି ନିଶା କବଳରେ ପଡୁଛନ୍ତି। ରାତାରାତି ରୋଜଗାର କରି ଲକ୍ଷପତି ବା କୋଟିପତି ବନିଯିବାର ଇଚ୍ଛା ସେମାନଙ୍କୁ ଏ ଦିଗରେ ଆକର୍ଷିତ କରୁଛି। ମାତ୍ର ଏହିଭଳି ପରିବାରର ପିଲାମାନଙ୍କ ପାଖରେ ମହଙ୍ଗା ଫୋନ୍‌‌, ଲାପ୍‌ଟପ ଏମିତି କି ବଡ଼ ରିଚାର୍ଜ କରିବା ଲାଗି ମଧ୍ୟ ସମ୍ବଳ ନାହିଁ। ଏପରି ପରିସ୍ଥିତିରେ, ନିଜର ଆବଶ୍ୟକତା ପୂରଣ କରିବା ପାଇଁ, ଅନେକ ଯୁବକ ଭୁଲ ରାସ୍ତାରେ ଯାଉଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଜୁଆ ଭଳି ଏହି ଖେଳଗୁଡ଼ିକ ମୁଖ୍ୟତଃ ଶିକ୍ଷିତ ଏବଂ ପାଠପଢ଼ୁଥିବା ଯୁବପିଢ଼ିଙ୍କୁ ଟାର୍ଗେଟ କରୁଛି। ମାରାତ୍ମକ ବିଷୟ ହେଲା ମୋବାଇଲ, ଟେଲିଭିଜନ ଏମିତି କି ଖବରକାଗଜମାନଙ୍କରେ ବି ବଡ ବଡ ସେଲିବ୍ରିଟିମାନେ ଅନ୍‌ଲାଇନ ଖେଳର ବ୍ୟାପକ ପ୍ରଚାର ପ୍ରସାର କରୁଛନ୍ତି। ଏହା ଯୁବପିଢିଙ୍କୁ ଆକୃଷ୍ଟ କରୁଛି।
ସୂଚନାଯୋଗ୍ୟ ୨୦୨୩ରେ ପୃଥିବୀରେ ଅନ୍‌ଲାଇନ ଗେମର ବଜାର ପ୍ରାୟ ୩୫୭୦ କୋଟି ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର ୩୩ ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ ୧୯୫୫ଠାରୁ ଆଇନ କରାଯାଇ ଟଙ୍କା ଲାଗୁଥିବା ସବୁପ୍ରକାର ଖେଳ ଉପରେ ପ୍ରତିବନ୍ଧକ ରହିଥିବାବେଳେ ଅନ୍‌‌ଲାଇନ ଗେମ୍‌‌ ଓ ବେଟିଂ ଆପ୍‌‌ଗୁଡ଼ିକ ଉପରେ କାହିଁକି ଯେ ପ୍ରତିବନ୍ଧକ ଲାଗୁ ନାହିଁ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି।
ଏହି ପରିପ୍ରେକ୍ଷୀରେ ଅଭିଭାବକ ଓ ସଚେତନ ନାଗରିକମାନଙ୍କର ଅନେକ କର୍ତ୍ତବ୍ୟ ରହିଛି। ଅନ୍‌‌ଲାଇନ ଗେମ୍‌‌ ଖେଳକୁ ନିରୁତ୍ସାହିତ କରାଯିବା ଦରକାର। ବିଶେଷକରି ପିଲାମାନଙ୍କୁ ଏଥିରୁ ନିବୃତ୍ତ କରିବାର ଦାୟିତ୍ୱ ଅଭିଭାବକମାନଙ୍କର। ପିଲାମାନେ ମୋବାଇଲରେ କ’ଣ କରୁଛନ୍ତି ତାହା ସେମାନେ ଦେଖିବା ଦରକାର। ସ୍ମାର୍ଟଫୋନ ଏକ ଅତ୍ୟାବଶ୍ୟକ ବସ୍ତୁ ହୋଇଯାଇଛି; ମାତ୍ର ପିଲାମାନେ ତାହାର ଦୁରୁପଯୋଗ ଯେପରି ନକରନ୍ତି ସେ ଦିଗରେ ସବୁ ବାପାମାଆ ସଚେତନ ରହିବା ଦରକାର। ଏହା ବ୍ୟତୀତ ସବୁ ସଚେତନ ନାଗରିକ, ବୁଦ୍ଧିଜୀବୀ, ଯୁବପିଢି ମନେରଖିବା ଦରକାର ଜୁଆ ହିଁ ଯୁଗେ ଯୁଗେ ମଣିଷକୁ ଧ୍ୱଂସ କରିଛି। ଆମକୁ ଅନ୍‌‌ଲାଇନ ଗେମ୍‌‌ ରୂପୀ ଜୁଆଠାରୁ ଦୂରରେ ରହିବାକୁ ପଡ଼ିବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories