www.samajalive.in
Friday, December 5, 2025
26.1 C
Bhubaneswar

ଭାରତର ପ୍ରଦୂଷଣ ବଜାର

ଭୁବନେଶ୍ଵର: ଆମର ନିତିଦିନିଆ ବଜାର ବା ହାଟରେ ବିଭିନ୍ନ ପଣ୍ୟ ସାମଗ୍ରୀ ପରି କାରାଖାନାରୁ ନିର୍ଗତ ବିଷାକ୍ତ ବାଷ୍ପର ମଧ୍ୟ ଯେ କିଣାବିକା ହୋଇପାରେ, କୋଟିକୋଟି ଟଙ୍କାର କାରବାର ହୁଏ ଏବଂ ଏଥିପାଇଁ ବିଧିବଦ୍ଧ ବଜାର ବ୍ୟବସ୍ଥା ରହିଛି, ତାହା ହୁଏତ ଆମକୁ ଅଭୂତପୂର୍ବ ଓ ଆଶ୍ଚର୍ଯ୍ୟ ଲାଗିପାରେ; କିନ୍ତୁ ଆମେରିକା, ୟୁରୋପ, ଚୀନ୍‌‌ ଆଦି ବିଶ୍ୱର କେତେକ ଦେଶରେ ଏଭଳି ପ୍ରଦୂଷଣ ବଜାର ବ୍ୟବସ୍ଥା ବହୁ ପୂର୍ବରୁ ପ୍ରଚଳିତ ଥିବା ବେଳେ ଭାରତରେ ପ୍ରଥମ କରି ଗୁଜରାଟର ସୁରତ ସହରରେ ପାଇଲଟ୍‌‌ ପ୍ରକଳ୍ପ ଭାବରେ ଆରମ୍ଭ ହୋଇଛି। ଭାରତ ସରକାର ମଧ୍ୟ ଏ ସମ୍ପର୍କିତ ଏକ ଚିଠା ନିୟମାବଳୀ ଜାରି କରି ମତାମତ ଆହ୍ୱାନ କରିଛନ୍ତି।
ପ୍ରଦୂଷଣ ବଜାର ବା ‘ଏମିସନ୍‌‌ ଟ୍ରେଡିଂ ସିଷ୍ଟମ୍‌‌(ଇଟିଏସ୍‌‌)’ ବା ‘ନିର୍ଗମନ ବାଣିଜ୍ୟ ବ୍ୟବସ୍ଥା’ରେ ଗୋଟିଏ ଶିଳ୍ପାଞ୍ଚଳ(କ୍ଲଷ୍ଟର)ରେ କାର୍ଯ୍ୟରତ ସଂସ୍ଥାମାନେ ସର୍ବାଧିକ କେତେ ପରିମାଣର ସବୁଜ ଗୃହ ବାଷ୍ପ ବାୟୁମଣ୍ଡଳକୁ ନିର୍ଗମନ କରିପାରିବ ତାହାର ସୀମା ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଏ। ଏକ ଶିଳ୍ପ ସଂସ୍ଥା ତା’ ପାଇଁ ଉଦ୍ଦିଷ୍ଟ ବା ଧାର୍ଯ୍ୟ ସୀମାଠାରୁ ନିର୍ଗମନ କମ୍‌‌ କରି ସେହି ବଳକା ଅଂଶକୁ ନିର୍ଗମନ ସୀମା ଉଲ୍ଳଙ୍ଘନ କରିଥିବା ସଂସ୍ଥାଙ୍କୁ ବିକ୍ରି କରିପାରିବ। ପ୍ରତିବଦଳରେ କ୍ରେତା ସଂସ୍ଥାଠାରୁ ବିକ୍ରେତା ଅର୍ଥ ପାଇବ। ଏହି କିଣାବିକା ପ୍ରକ୍ରିୟାକୁ ସହଜ କରିବା ପାଇଁ ପ୍ରଦୂଷଣ ମାତ୍ରାକୁ ‘ପରମିଟ୍‌‌ ୟୁନିଟ୍‌‌’ ହିସାବରେ ଗଣାଯାଏ ଏବଂ ଏହି ପ୍ରକ୍ରିୟାକୁ ‘କ୍ୟାପ୍‌‌ ଆଣ୍ଡ-ଟ୍ରେଡ୍‌‌ ମେଥଡ୍‌‌’ କୁହାଯାଏ। ପ୍ରକୃତରେ ‘ଇଟିଏସ୍‌‌’ରେ ପ୍ରଦୂଷଣ ବା ବିଷାକ୍ତ ବାୟୁକୁ ଠୁଳ କରି ବିକ୍ରି କରାଯାଏ ନାହିଁ। ଯେଉଁ ସଂସ୍ଥା ତାର ‘ପରମିଟ୍‌‌ ୟୁନିଟ୍‌‌’କୁ ଯେତେ କମ୍‌‌ ରଖିପାରେ ତା’କୁ ସେତିକି ‘ମେରିଟ୍‌‌ ପଏଣ୍ଟ’ ମିଳେ। ଏହି ପଏଣ୍ଟକୁ ନେଇ କିଣାବିକା ହୁଏ।
ଉଦାହରଣସ୍ୱରୂପ ଗୋଟିଏ ଶିଳ୍ପାଞ୍ଚଳ(କ୍ଲଷ୍ଟର)ରେ ‘କ’ ଓ ‘ଖ’ ନାମକ ଦୁଇଟି କମ୍ପାନୀ ଅଛନ୍ତି। ସେହି ଅଞ୍ଚଳ ବା କ୍ଲଷ୍ଟର ପାଇଁ ସର୍ବାଧିକ ନିର୍ଗମନ ପରିମାଣ ୧୦୦ ୟୁନିଟ୍‌‌ ହିସାବରେ ୨୦୦ ୟୁନିଟ୍‌‌ ଧାର୍ଯ୍ୟ କରାଯାଇଛି। ସେଥିମଧ୍ୟରୁ ‘କ’ ସଂସ୍ଥା ତା’ର ନିର୍ଗମନ ସ୍ତରକୁ ୭୦ ୟୁନିଟ୍‌‌ରେ ସୀମିତ ରଖିପାରିଲା ଏବଂ ‘ଖ’ ସଂସ୍ଥାର ନିର୍ଗମନ ସୀମା ଧାର୍ଯ୍ୟ ସୀମା ଡେଇଁ ୧୫୦ ୟୁନିଟ୍‌‌ରେ ପହଞ୍ଚିଲା। ପୂର୍ବପ୍ରଚଳିତ ବ୍ୟବସ୍ଥାରେ ‘ଖ’ ନିର୍ଗମନ କରିଥିବା ଅତିରିକ୍ତ ୫୦ ୟୁନିଟ୍‌‌ ପ୍ରଦୂଷଣ ପାଇଁ ଜୋରିମାନା ଦେବା କଥା। କିନ୍ତୁ ‘ଇଟିଏସ୍‌‌’ ବ୍ୟବସ୍ଥାରେ ‘କ’ ସଂସ୍ଥା ତା’ର ବଳକା ୩୦ ‘ପରମିଟ୍‌‌ ୟୁନିଟ୍‌‌’ ବା ‘ମେରିଟ୍‌‌ ପଏଣ୍ଟ’କୁ ‘ଖ’ ସଂସ୍ଥାକୁ ବିକ୍ରି କରିଦେଲା। ତେଣୁ ‘ଖ’ ସଂସ୍ଥା ଅତିରିକ୍ତ ୫୦ ୟୁନିଟ୍‌‌ ବଦଳରେ ମାତ୍ର ୨୦ ୟୁନିଟ୍‌‌ ପ୍ରଦୂଷଣ ପାଇଁ ଜୋରିମାନା ଦେବ ଏବଂ ୩୦ ‘ପରମିଟ୍‌‌ ୟୁନିଟ୍‌‌’ କିଣିବା ବାବଦକୁ ‘କ’ ସଂସ୍ଥାକୁ ଅର୍ଥ ପୈଠ କରିବ। ଏ ବାବଦରେ ‘କ’ ସଂସ୍ଥା ‘ଖ’ ସଂସ୍ଥାଠାରୁ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେଲା, ‘ଖ’ ସଂସ୍ଥା ମଧ୍ୟ ଜୋରିମାନା ବାବଦରେ କୋହଳ ଦଣ୍ଡରେ ଦଣ୍ଡିତ ହେଲା(ଜୋରିମାନା ଠାରୁ ପରମିଟ୍‌‌ ୟୁନିଟ୍‌‌ କିଣା ଖର୍ଚ୍ଚ କମ୍‌‌ ହୋଇଥିବାରୁ) ଏବଂ ପ୍ରଦୂଷଣକାରୀ କଳା ପ୍ରମାଣପତ୍ର ପାଇବାରୁ ସୁରକ୍ଷା ମିଳିଲା। ପୂର୍ବରୁ ପ୍ରଦୂଷଣ କଟକଣା ଉଲ୍ଲଙ୍ଘନ କରୁଥିବା ସଂସ୍ଥାଙ୍କୁ ଜୋରିମାନା ଦେବାକୁ ପଡ଼ୁଥିବା ବେଳେ ସଂଯମ ଅବଲମ୍ବନ କରୁଥିବା ସଂସ୍ଥାଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳୁ ନ ଥିଲା; କିନ୍ତୁ ‘ଇଟିଏସ୍‌‌’ ବ୍ୟବସ୍ଥାରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରୋତ୍ସାହନ ମିଳିପାରିବ।
ଗୁଜରାଟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଅବଦୁଲ୍‌‌ ଲତିଫ୍‌‌ ଜମିଲ୍‌‌ ପୋଭର୍ଟି ଆକ୍‌‌ସନ୍‌‌ ଲାବ, ଚିକୋଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍‌‌ର ମିଳିତ ସହଯୋଗରେ ସୁରତରେ ଆରମ୍ଭ ହୋଇଥିବା ଭାରତର ପ୍ରଥମ ପ୍ରଦୂଷଣ ବଜାରରେ ଗୋଟିଏ ଶିଳ୍ପ ସଂସ୍ଥା ପାଇଁ ମାସିକ ନିର୍ଗମନ ସୀମା(ପାର୍ଟିକୁଲେଟ୍‌‌) ୨୮୦ଟନ୍‌‌ ଧାର୍ଯ୍ୟ କରାଯାଇଛି ଏବଂ ୧ କେଜି ଉତ୍ପାଦର ପାର୍ଟିକୁଲେଟ୍‌‌କୁ ଗୋଟିଏ ‘ପରମିଟ୍‌‌ ୟୁନିଟ୍‌‌’ ହିସାବରେ ଗ୍ରହଣ କରାଯାଇଛି। ଚାହିଦା ଓ ଯୋଗାଣ ଆଧାରରେ ଏହି ‘ପରମିଟ୍‌‌ ୟୁନିଟ୍‌‌’ର ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା ସ୍ଥିର କରାଯାଇଛି। ଅର୍ଥାତ୍‌‌ ଯଦି ଗୋଟିଏ କ୍ଲଷ୍ଟରରେ ଏକାଧିକ ଶିଳ୍ପସଂସ୍ଥା ଅଛନ୍ତି ଏବଂ କଟକଣା ଉଲ୍ଲଙ୍ଘନ କରୁଥିବା ସଂସ୍ଥାଙ୍କ ମଧ୍ୟରେ ‘ପରମିଟ୍‌‌ ୟୁନିଟ୍‌‌’ କିଣିବା ପାଇଁ ପ୍ରତିଯୋଗିତା ହୁଏ ତେବେ ଚାହିଦା ଆଧାରରେ ତା’ର ମୂଲ୍ୟ ମଧ୍ୟ ବଢ଼େ। କେତେ ସମୟ ବା ଦିନ ଭିତରେ ଏହି କିଣାବିକା ସମ୍ପନ୍ନ ହେବ ତାହାର ମଧ୍ୟ ସୀମା ନିର୍ଦ୍ଧାରଣ କରାଯାଇଛି।
ଗ୍ଲାସ୍‌‌ଗୋ ଜଳବାୟୁ ଶୀର୍ଷ ସମ୍ମିଳନୀ(କୋପ୍‌‌ ୨୬)ରେ ୨୦୭୦ ସୁଦ୍ଧା କାର୍ବନ ନିର୍ଗମନ ଶୂନ ସ୍ତରକୁ ଆଣିବା ପାଇଁ ଭାରତ ଘୋଷଣା କରିଥିବାରୁ ‘ଇଟିଏସ୍‌‌’ ଉପରେ ଅଧିକ ଗୁରୁତ୍ୱ ଦେଉଛି। ତେଣୁ ୨୦୨୩ ମସିହାରେ ଭାରତରେ ‘କାର୍ବନ କ୍ରେଡିଟ୍‌‌ ଟ୍ରେଡିଂ ସ୍କିମ୍‌‌’ ପ୍ରଚଳନ ଆରମ୍ଭ ହୋଇଥିବା ବେଳେ ଗତ ଏପ୍ରିଲ୍‌‌ ୧୬ ତାରିଖରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ‘ସବୁଜଗୃହ ବାଷ୍ପ ନିର୍ଗମନ ଘନତ୍ୱ ଲକ୍ଷ୍ୟ ନିୟମାବଳୀ ୨୦୨୫’ ନାମରେ ଏକ ଚିଠା ନିୟମାବଳୀ ଜାରି କରାଯାଇ ଆଲୁମିନିୟମ, ସିମେଣ୍ଟ, କାଗଜ ଓ କ୍ଲୋର-ଆଲକାଲି କ୍ଷେତ୍ରରେ କାର୍ଯ୍ୟରତ ୨୮୨ଟି କମ୍ପାନୀଙ୍କୁ ‘ଇଟିଏସ୍‌‌’ ଟାର୍ଗେଟ ଦିଆଯାଇଛି।
କୁହାଯାଏ ନିୟମ ଓ କଟକଣା ଯେତେ କଠୋର ହେଲେ ମଧ୍ୟ ତାହାର ଗଳାବାଟଟିଏ ବାହାରି ପଡ଼େ। ଏହି ଗଳାବାଟ ଦେଇ ଆଇନ୍‌‌ ଓ କଟକଣା ଦୁର୍ବଳ ହୋଇଯାଏ ଏବଂ ସ୍ଥିତିରେ ଆଖିଦୃଶିଆ ଉନ୍ନତି ଘଟେ ନାହିଁ। ଏହି କାରଣରୁ ୨୦୧୨ରୁ ଭାରତରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ‘ପରଫର୍ମ ଆଚିଭ୍‌‌ ଟ୍ରେଡ’(ପାଟ୍‌‌) ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଆସୁଥିଲେ ମଧ୍ୟ ଫଳପ୍ରଦ ସାବ୍ୟସ୍ତ ହୋଇନାହିଁ। ଏହା ପଛରେ ଯେଉଁ କାରଣମାନ ରହିଛି ତାହାକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ। ବାୟୁ ପ୍ରଦୂଷଣର ପ୍ରଧାନ କାରକ ହେଉଛି କାରଖାନାରେ ବ୍ୟବହୃତ ପାରମ୍ପରିକ ଇନ୍ଧନ(କୋଇଲା, ପେଟ୍ରୋଲିୟମ) ଏବଂ ଶିଳ୍ପାୟନରୁ ନିର୍ଗତ ବିଷାକ୍ତ କଣିକା, ଅଙ୍ଗାରକାମ୍ଳ, ମିଥେନ ଆଦି ସବୁଜ ଗୃହ ବାଷ୍ପ। ଶିଳ୍ପ ଉତ୍ପାଦନରେ ଏହି ନିର୍ଗମନ ପ୍ରକ୍ରିୟା ଅନିବାର୍ଯ୍ୟ ହୋଇଥିଲେ ହେଁ ଶିଳ୍ପସଂସ୍ଥାମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ଏହାକୁ ନିୟନ୍ତ୍ରଣ କରିପାରିବେ। ଜୀବାଶ୍ମ ଇନ୍ଧନକୁ ‘ଅନ୍‌ଆବେଟେଡ୍‌‌’ ଓ ‘ଆବେଟେଡ୍‌‌’ ନାମକ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି। ‘ଅନ୍‌‌ଆବେଟେଡ୍‌‌’ ବର୍ଗରେ ଆସୁଥିବା ଜୀବାଶ୍ମ ଇନ୍ଧନ ବ୍ୟବହାରବେଳେ ସେଥିରୁ ନିର୍ଗତ ଅଙ୍ଗାରକାମ୍ଳ ଓ ଅନ୍ୟ ସବୁଜଗୃହ ବାଷ୍ପର ନିୟନ୍ତ୍ରଣ ପାଇଁ ବିଶେଷ କିଛି ଯତ୍ନର ଆବଶ୍ୟକ ନାହିଁ। ଅପରପକ୍ଷରେ ‘ଆବେଟେଡ୍‌‌’ ଜୀବାଶ୍ମ ଇନ୍ଧନ ବ୍ୟବହାରବେଳେ ସେଥିରୁ ନିର୍ଗତ ପରିବେଶ ପ୍ରତି ହାନିକାରକ ବାଷ୍ପକୁ ଏକ ନିର୍ଦ୍ଦିଷ୍ଟ ସ୍ତର (କୋଇଲା ଜାଳେଣିରେ ୯୦% ଓ ମିଥେନ୍‌‌ରେ ୮୦%) ପର୍ଯ୍ୟନ୍ତ ନିୟନ୍ତ୍ରଣ କରିବା ଜରୁରୀ। ଏଥିପାଇଁ ‘କାର୍ବନ କ୍ୟାପ୍‌‌ଚର ଆଣ୍ଡ ଷ୍ଟୋରେଜ୍‌‌(ସିସିଏସ୍‌‌)’ ନାମକ ବୈଷୟିକ ଜ୍ଞାନକୌଶଳ ଆବଶ୍ୟକ; କିନ୍ତୁ ଏହି କୌଶଳ ଏତେ ଖର୍ଚ୍ଚବହୁଳ ଯେ ଶିଳ୍ପ ସଂସ୍ଥାମାନେ ଏହାକୁ ଆପଣେଇ ନେବାରେ କୁଣ୍ଠା ପ୍ରକାଶ କରୁଛନ୍ତି।
ଜୀବାଶ୍ମ ଇନ୍ଧନ ଉତ୍ତୋଳନକାରୀମାନେ ‘ସିସିଏସ୍‌‌’ ସପକ୍ଷରେ ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ପରିବେଶବିତ୍‌‌ମାନେ ଏହି ପଦ୍ଧତି ପରିବେଶ ପ୍ରଦୂଷଣ ନିୟନ୍ତ୍ରଣରେ ଫଳପ୍ରଦ ବା ପ୍ରଭାବଶାଳୀ ନୁହେଁ ବୋଲି କହୁଛନ୍ତି। ଏବେ ୟୁରୋପୀୟ ସଂଘ ସମେତ ୧୭ଟି ବିକଶିତ ରାଷ୍ଟ୍ର ଏହି ପଦ୍ଧତି ବ୍ୟବହାର କରୁଛନ୍ତି। ଆନ୍ତର୍ଜାତିକ ଶକ୍ତି ସଂସ୍ଥା ଦ୍ୱାରା ପ୍ରସ୍ତୁତ ‘କାର୍ବନ କ୍ୟାପ୍‌‌ଚର, ୟୁଟିଲାଇଜେସନ୍‌‌ ଆଣ୍ଡ ଷ୍ଟୋରେଜ୍‌‌’ ନାମକ ରିପୋର୍ଟ ଅନୁଯାୟୀ ‘ସିସିଏସ୍‌‌’ ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନର ପ୍ରାୟ ୯୦% ବାୟୁମଣ୍ଡଳରେ ମିଶିବା ପୂର୍ବରୁ ନିୟନ୍ତ୍ରଣ କରାଯାଇପାରୁଛି। ଅପରପକ୍ଷରେ ‘ଇନ୍‌‌ଷ୍ଟିଚ୍ୟୁଟ୍‌‌ ଫର ଏନର୍ଜି ଇକୋନୋମିକ୍‌‌ସ୍‌‌ ଆଣ୍ଡ ଫାଇନାନ୍ସିଆଲ୍‌‌ ଆନାଲିସିସ୍‌‌’ ସଂସ୍ଥା ପକ୍ଷରୁ ୨୦୨୨ରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବିଶ୍ୱରେ ୧୩ଟି ‘ସିସିଏସ୍‌‌’ ପ୍ରକଳ୍ପ ଲକ୍ଷ୍ୟପୂରଣରେ ବିଫଳ ହୋଇଛନ୍ତି। ଜର୍ମାନୀସ୍ଥିତ ଏକ ପରିବେଶ ସଂକ୍ରାନ୍ତ ଗବେଷଣା ସଂସ୍ଥାର କହିବା ଅନୁଯାୟୀ ‘ସିସିଏସ୍‌‌’ ପଦ୍ଧତି ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାର ଅର୍ଥ ଆଗାମୀ ୩୦ ବର୍ଷ ଭିତରେ ବାୟୁମଣ୍ଡଳକୁ ଅତିରିକ୍ତ ୮୬୦୦ କୋଟି ଟନ୍‌‌ ସବୁଜ ଗୃହ ବାଷ୍ପ ଛାଡ଼ିବା ସହିତ ସମାନ। ସେହିପରି ‘ନ୍ୟୁୟର୍କ ଟାଇମ୍ସ’ର ଏକ ରିପୋର୍ଟ ଅନୁଯାୟୀ, ‘ସିସିଏସ୍‌‌’ ଜ୍ଞାନକୌଶଳ ଏତେ ମହଙ୍ଗା ଯେ ଏହା ବ୍ୟବହାର କରିବା ବଦଳରେ ବରଂ ଗୋଟିଏ ତାପଜ ବିଦ୍ୟୁତ୍‌ କେନ୍ଦ୍ର ବନ୍ଦ କରିଦେବା ଶ୍ରେୟସ୍କର। ଏହିସବୁ କାରଣରୁ ଭାରତୀୟ ଶିଳ୍ପସଂସ୍ଥାମାନେ ‘ସିସିଏସ୍‌‌’ ପଦ୍ଧତି ବ୍ୟବହାର କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଶିଳ୍ପସଂସ୍ଥାମାନଙ୍କୁ ଏଥିପାଇଁ ବାଧ୍ୟ କରିପାରୁ ନାହିଁ। ତେଣୁ ‘ଇଟିଏସ୍‌‌’ ପଦ୍ଧତି ଭାରତରେ କେତେ ଫଳପ୍ରଦ ହେବ ଏବଂ ଏହାଦ୍ୱାରା ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଲକ୍ଷ୍ୟ କେତେ ସଫଳ ହେବ ତାହାକୁ ନେଇ ପରିବେଶବିତ୍‌‌ମାନେ ସନ୍ଦିହାନ ଅଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories