ନୂଆଦିଲ୍ଲୀ : ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗରେ ଆଉ ପାଦେ ଆଗକୁ ଯାଇ କେନ୍ଦ୍ର ସରକାର ଗଠନ କରିଥିବା କମିଟିର ସଦସ୍ୟ ମାନଙ୍କ ନାମ ଘୋଷଣା କରିଛନ୍ତି । ଶୁକ୍ରବାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗରେ ବିଚାର ବିମର୍ଶ ପାଇଁ ସରକାର କମିଟି ଗଠନ କରିଥିଲେ।ଶନିବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ କମିଟିର ସଦସ୍ୟଙ୍କ ନାମ ଘୋଷଣା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଲୋକସଭାରେ କଂଗ୍ରେସ ଦସଳର ନେତା ଅଧିର ରଞ୍ଜନ ଚୌଧୁରୀ, ବରିଷ୍ଠ ରାଜନେତା ଗୁଲାମନବୀ ଆଜାଦ, ପଞ୍ଚଦଶ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନ.କେ ସିଂହ, ଲୋକସଭାର ବୂର୍ବତନ ମହାସଚିବ ଶୁବାସ କାଶ୍ୟପ, ବରିଷ୍ଠ ଅଧିବକ୍ତା ହରିଶ ସାଲଭେ, ପୂର୍ବତନ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀଙ୍କୁ ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି । ଓଡ଼ିଶା କ୍ୟାଡରର ବରିଷ୍ଠ ପ୍ରଶାସନିକ ଅଧିକାରୀ ନୀତିନ ଚନ୍ଦ୍ରଙ୍କୁ କମିଟିର ସଚିବ ଭାବେ ମନୋନୀତ କରାଯାଇଛି।
ଅନ୍ୟପକ୍ଷରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ବୈଠକରେ ଯୋଗଦେବାର ଦାୟିତ୍ବ ନ୍ୟସ୍ତ କରାଯାଇଛି।



