ଜାଗିଆପଡା ବୋମାମାଡ ଘଟଣାରେ ଜଣେ ଗିରଫ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତ ଅଧୀନ ଜାଗିଆପଡାରେ ଶୁକ୍ରବାର ଘଟିଥିବା ବୋମାମାଡ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଏକ ମାମଲାରେ ସାକ୍ଷୀ ଦେବା ଓ ପୂର୍ବ ଶତ୍ରୁତା ଯୋଗୁ ଶୁକ୍ରବାର ଅପରାହ୍ନରେ ଜାଗିଆପଡା ଗ୍ରାମର ପ୍ରଭାତ କୁମାର ରାଉତଙ୍କ ଘର ଉପରକୁ ବୋମାମାଡ ହୋଇଥିଲା। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବଡଭୂଇଁ, ଘୋଳପୁର ଓ ଜାଗିଆପଡା ଗ୍ରାମର ୩ଜଣ ଯୁବକ ହାତରେ ଖଣ୍ଡା ଧରି ପ୍ରଭାତଙ୍କ ଘର ସମ୍ମୁଖରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଧମକଚମକ ଦେବା ସହ ଘର ଉପରକୁ ବୋମା ପକାଇ ଫେରାର ହୋଇଯାଇଥିଲେ। ସୂଚନା ପାଇ  ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଉପନିରୀକ୍ଷକ ଦିଲ୍ଲୀପ କୁମାର ବେହେରା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଗିରଫ କରିବାକୁ ତଦନ୍ତକାରୀ ଅଧିକାରୀ ଉପନିରୀକ୍ଷକ ବେହେରା ଜୋରଦାର ଉଦ୍ୟମ ଚଳାଇଥିଲେ। ଶନିବାର ରାତିରେ ବେହେରା ସଦଳବଳ ଜାଗିଆପଡାରେ ଚଢାଉ କରି ଅଭିଯୁକ୍ତ ନରେନ୍ଦ୍ର ଖଟୁଆଙ୍କ ପୁଅ ବିଷ୍ଣୁ ଚରଣ ଖଟୁଆକୁ ଧରିବାରେ ସକ୍ଷମ ହୋଇଥିଲେ। ରବିବାର ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ବେହେରା କହିଛନ୍ତି।

Comments are closed.