୭୦ବର୍ଷ ବୟସରେ ନିର୍ମାଣ କଲେ ୩୩ଫୁଟ୍‍ର ଗଭୀର କୂଅ

0

ନୂଆଦିଲ୍ଲୀ: ନିଜ ପତ୍ନୀର ଚିକିତ୍ସା ପାଇଁ ପାହାଡ଼ ଫଟାଇ ରାସ୍ତା ନିର୍ମାଣ କରିଥିବା ଦଶରଥ ମାନଝୀଙ୍କୁ ତ’ ମନେ ଥିବ। ଏଭଳି ପ୍ରଚଣ୍ଡ ମନୋବଳକୁ କାର୍ଯ୍ୟକାରୀ କରି ସମାଜରେ ଏକ ଦୃଷ୍ଟାନ୍ତ ପାଲଟୁଥିବା ଲୋକ ବେଶ୍‍ ବିରଳ। ସେଭଳି ଜଣେ ମଣିଷ ସୀତାରାମ ଲୋଧୀ। ବୟସ ୭୦। ଅବିବାହିତ ସୀତାରାମ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ସୀମାନ୍ତ ଅଞ୍ଚଳ ବୁନ୍ଦେଲଖଣ୍ଡ ଜିଲାର ଛତରପୁରର ହାଡ଼ୁଆ ଗ୍ରାମରେ ନିଜ ସାନ ଭାଇ ହଲକେ ଲୋଧୀ(୬୦)ଙ୍କ ସହ ରହୁଛନ୍ତି। ଏହି ପରିବାର ୨୦ଏକର ଜାଗା ଉପରେ କୃଷି କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ଉତ୍କଟ ଜଳ ସମସ୍ୟା ଏମାନଙ୍କ ପାଇଁ ପାଲଟିଛି ବାଧକ। ଏଭଳି ଭୂମିରେ କୃଷି ପାଇଁ କୂଅର ଆବଶ୍ୟକତା ରହିଥିଲେ ମଧ୍ୟ ନା’ ଅଛି ସରକାରୀ ପ୍ରୋତ୍ସାହନ ନା’ ଭୂତଳ ଜଳ କେତେ ତଳେ ରହିଛି ସେ ସମ୍ପର୍କରେ ରହିଛି କିଛି ସୂଚନା। ଏଭଳି ପରିସ୍ଥିତିରେ କେବଳ ମୌସୁମୀ ଉପରେ ଭରସା କରି କୃଷି କାର୍ଯ୍ୟ କରୁଛନ୍ତି ଲୋଧୀ ପରିବାର। ଶେଷରେ ସୀତାରାମ ଏହି ସମସ୍ୟାର ସମାଧାନ ଦାୟିତ୍ୱ ନିଜ କାନ୍ଧରେ ନେଇ ୨୦୧୫ରେ ଆରମ୍ଭ କରିଥିଲେ କୂଳ ଖୋଳା। ଭୋରରୁ ଉଠି କାନ୍ଧରେ କୋଦାଳ ନେଇ ବାହାରି ଯାଉଥିଲେ ସୀତାରାମ। ଦ୍ୱୀପହର ପର୍ଯ୍ୟନ୍ତ ଚାଲୁଥିଲା କୂଳ ଖୋଳା। ପୁଣି ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ନିରନ୍ତର ଖୋଳି ଚାଲିଥିଲେ ସୀତାରାମ। ଦୀର୍ଘ ୧୮ମାସରେ ୩୩ଫୁଟ୍‍ ଖୋଳିବା ପରେ ସୀତାରାମଙ୍କୁ ମିଳିଥିଲା ପାଣିର ସନ୍ଧାନ। କୂଅ ଖୋଳା ହେଲା ପାଣିର ସନ୍ଧାନ ମଧ୍ୟ ମିଳିଲା। ହେଲେ କୂଳ ଚତୁଃର୍ପାଶ୍ବ ବନ୍ଧା ଯାଇ ନଥିବାରୁ ବର୍ଷା ଦିନରେ ଖୋଳା ଯାଇଥିବା କୂଳ ଧସିଗଲା। କାରଣ କୂଅର ଚତୁଃର୍ପାଶ୍ବକୁ ସିମେଣ୍ଟ କାମ କରିବା ସମ୍ଭବ ନଥିଲା। ଫଳରେ ସୀତାରାମ ପୁଣି ଥରେ ହାତରେ କୋଦାଳ ଧରି କୂଳକୁ ପୁନରୁଦ୍ଧାର ନିମନ୍ତେ ଲାଗି ପଡ଼ିଛନ୍ତି। ସୀତାରାମଙ୍କ ଉତ୍ସାହ ଦେଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଖୁବ୍‍ ଶୀଘ୍ର “କପିଳ ଧାରା’ ଯୋଜନାରେ କୂଅର ପୁନରୁଦ୍ଧାର କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।

Leave A Reply