ବେଙ୍ଗାଲୁରୁ, ୨୧ା୧୦: ବେଙ୍ଗାଲୁରୁରେ ଓଲା ଇଲେକ୍ଟ୍ରିକର ୩୮ ବର୍ଷୀୟ ଇଞ୍ଜିନିୟର ଅରବିନ୍ଦଙ୍କ ଆତ୍ମହତ୍ୟା କମ୍ପାନୀର କିଛି ବରିଷ୍ଠ କର୍ମଚାରୀଙ୍କ ଚିନ୍ତା ବଢାଇ ଦେଇଛି। ଅରବିନ୍ଦ ୨୦୨୨ରୁ କମ୍ପାନୀର କୋରାମଙ୍ଗଲାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ହୋମୋଲୋଗେସନ ଇଞ୍ଜିନିୟର ରୂପେ କାମ କରୁଥିଲେ। ଅରବିନ୍ଦ ୨୮ ସେପ୍ଟେମ୍ବରରେ ନିଜ ଆପାର୍ଟମେଣ୍ଟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମହାରାଜା ଅଗ୍ରସେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଅରବିନ୍ଦଙ୍କ ଭାଇ ଅଶ୍ବିନ କନ୍ନନ ଥାନାରେ ଅଭିଯୋଗ କରିଛନ୍ତି ଯେ ହୋମୋଲୋଗେସନ ମୁଖ୍ୟ ସୁବ୍ରତ କୁମାର, ଓଲା ଇଲେକ୍ଟ୍ରିକର ପ୍ରତିଷ୍ଠାତା ଭାବିଶ ଅଗ୍ରୱାଲ ଓ ଅନ୍ୟ ଅଧିକାରୀମାନେ ଲଗାତର ଅରବିନ୍ଦଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଦରମା ଦେବାରେ ବିଳମ୍ବ ସହ ଅନ୍ୟ ମାମଲାରେ ମଧ୍ୟ ଜାଣିଶୁଣି ତାଙ୍କୁ ହଇରାଣ କରାଯାଉଥିଲା ବୋଲି ତାଙ୍କ ଭାଇ ଅଭିଯୋଗ ଆଣିଛନ୍ତି।
ଅରବିନ୍ଦଙ୍କ କୋଠରୀରୁ ୨୮ ପୃଷ୍ଠା ବିଶିଷ୍ଟ ଏକ ଚିଠି ଜବତ ହୋଇଛି ଯେଉଁଥିରେ ସେ ନିଜ କାର୍ଯ୍ୟାଳୟର ବରିଷ୍ଠମାନଙ୍କୁ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରିଛନ୍ତି। ଅରବିନ୍ଦଙ୍କ ମୃତ୍ୟୁର ୨ ଦିନ ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୭.୪୬ ଲକ୍ଷ ଟଙ୍କା ଆସିଥିଲା ଯାହା ପରିବାର ଲୋକଙ୍କୁ ଚକିତ କରିଥିଲା। କର୍ଣ୍ଣାଟକ ପୁଲିସ କହିଛି କି ହାଇକୋର୍ଟଙ୍କ ଆଦେଶ ଯୋଗୁଁ ଭାବିଶ ଅଗ୍ରୱାଲ ଓ ସୁବ୍ରତ କୁମାରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି; କିନ୍ତୁ ଯାଞ୍ଚ ଚାଲିଛି। ଓଲା ଇଲେକ୍ଟ୍ରିକ୍ ଏହି ଅଭିଯୋଗକୁ ହାଇକୋର୍ଟରେ ଚାଲେଞ୍ଜ କରିଛି ଏବଂ ମାମଲାରେ ସଂରକ୍ଷଣାତ୍ମକ ଆଦେଶ ଜାରି କରାଯାଇଛି। କମ୍ପାନୀ ଅରବିନ୍ଦଙ୍କ ବକେୟା ରାଶି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ତୁରନ୍ତ ଜମା କରିଦେଇଥିଲା। କମ୍ପାନୀ କହିଛି ଯେ ଅରବିନ୍ଦ ପୂର୍ବରୁ କେବେ ବି କମ୍ପାନୀ ଦ୍ବାରା ନିର୍ଯ୍ୟାତିତ ହେଉଥିବା ଅଭିଯୋଗ ଦେଇନଥିଲେ। ଅନ୍ୟପଟେ ପୁଲିସ ଘଟଣାର ତନାଘନା କରୁଛି।



