ଭୁବନେଶ୍ବର: ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିବା ହେତୁ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇଛି। ଆସନ୍ତାକାଲି ଲଘୁଚାପ ସମ୍ପୂର୍ଣ୍ଣ ଉତ୍ତର ଆନ୍ଧ୍ରପ୍ରଦେଶକୁ ଚାଲିଯିବା ପରେ ଦକ୍ଷିଣ ଓଡ଼ିଶାରୁ ଏହାର ପ୍ରଭାବ କମିବ। ଏଥିସହିତ ଏକ ନିମ୍ନଚାପ ରେଖା ସମୁଦ୍ର ପତ୍ତନରୁ ୧.୫ କିମିରୁ ୫.୮ କିମି ମଧ୍ୟରେ ଗଲଫ ଅଫ୍ ମାର୍ତ୍ତାବାନ ଉପସାଗର ଅଞ୍ଚଳରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ଦେଇ ଲଘୁଚାପ ସହ ଜଡିତ ଘୂର୍ଣ୍ଣିବଳୟ ପର୍ଯ୍ୟନ୍ତ ଲମ୍ବିଛି। ଗତ କିଛିଦିନ ତଳେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ବାତ୍ୟା କମ୍ପାସ ଥାଇଲାଣ୍ଡରେ ସ୍ଥଳଭାଗ ଛୁଇଁଥିଲା। ଏହି ବାତ୍ୟାର ଅବଶିଷ୍ଟାଂଶ ଆସି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରିବା ଦ୍ବାରା ଏହି ନିମ୍ନଚାପ ରେଖା ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।
ବିଭାଗର ସୂଚନାନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସଂିହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଏବଂ ଢେଙ୍କାନାଳରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମର ବ୍ରହ୍ମପୁରରେ ସବୁଠୁ ଅଧିକ ୧୧୫ ମିମି ବର୍ଷା ରେକର୍ଡ କରାଯାଇ ଥିବାବେଳେ ଶନିବାର ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୫ଟା ମଧ୍ୟରେ ପାରାଦ୍ବୀପ, ବାଲେଶ୍ବର, ଗୋପାଳପୁର, ଛତ୍ରପୁର, ନୟାଗଡ, ଝାରସୁଗୁଡା, ଭୁବନେଶ୍ବର ଓ ଚାନ୍ଦବାଲିରେ ବର୍ଷା ହୋଇଛି। ସମସ୍ତ ଜିଲାପାଳ ଏବଂ ମହାନଗର ନିଗମ ଆୟୁକ୍ତ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ(ଏସ୍ଆରସି)ଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।


