ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ‘ଗୁଲାବ’, ପ୍ରବଳ ବର୍ଷିବ

ଅଳ୍ପ ପବନ; ପ୍ରବଳ ବର୍ଷିବ: ଏସଆରସି
୭୫ରୁ ୮୫ କିମି ରହିବ ପବନ ବେଗ
ଦକ୍ଷିଣ ଓଡ଼ିଶାର ୭ ଜିଲା ପ୍ରଭାବିତ ହେବ
ଓଡ୍ରାଫରେ ୪୨ ଓ ଏନ୍‌ଡିଆର୍‌ଏଫ୍‌ରେ ୨୪ଟି ଦଳ ମୁତୟନ
ଗଜପତି ଓ ରାୟଗଡ଼ା ଜିଲାରେ ଭୂସ୍ଖଳନ ଆଶଙ୍କା
ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିପାରେ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆଜି ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶାର ଗୋପାଳପୁର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୫ ରୁ ୮୫ କିମି ରହିବ। ସ୍ଥଳ ବିଶେଷରେ ଏହା ଘଣ୍ଟା ପ୍ରତି ୯୫ କିମି ରହିପାରେ। ଏହାକୁ ଦୃଷ୍ଟିରେ ରଖି ପାରଦ୍ବୀପ, ଗୋପାଳପୁର, ଧାମରା ଆଦି ବନ୍ଦରରେ ୩ ନଂ. ବିପଦ ସଙ୍କେତ ଦିଆଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗତକାଲି ଗଭୀର ଅବପାତରେ ପରିଣତ ହୋଇଥିଲା। ଏହା ଆଜି ବାତ୍ୟା ରୂପ ନେଇଛି। ବାତ୍ୟା ‘ଗୁଲାବ’ ଘଣ୍ଟା ପ୍ରତି ୭ କିମି ବେଗରେ ସ୍ଥଳଭାଗକୁ ଗତି କରୁଛି। ଶନିବାର ସନ୍ଧ୍ୟା ୮ଟା ସୁଦ୍ଧା ପୂର୍ବ ଦକ୍ଷିଣ ପୂର୍ବରେ ଗୋପାଳପୁରଠାରୁ ୩୭୦ କିମି ଏବଂ ପୂର୍ବ ଉତ୍ତର ପୂର୍ବରେ କଳିଙ୍ଗପଟ୍ଟନମଠାରୁ ୪୪୦ କିମି ଦୂରରେ ରହିଛି।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର ଓ କନ୍ଧମାଳ ଜିଲା ବିଶେଷ ପ୍ରଭାବିତ ହୋଇପାରେ। ବାତ୍ୟା ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଭାବିତ ହେବାକୁ ଥିବା ୭ ଜିଲା ସହ ନୟାଗଡ଼ରେ ମଧ୍ୟ ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍ ଦଳ ମୁତୟନ କରାଯିବ। ଓଡ୍ରାଫରେ ୪୨ ଓ ଏନ୍‌ଡିଆର୍‌ଏଫ୍‌ରେ ୨୪ଟି ଦଳ ମୁତୟନ ହୋଇଛନ୍ତି। ୭ଟି ଜିଲାର ଜିଲାପାଳ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ(ଏସଆରସି)ଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

‘ଗୁଲାବ’ ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲା ଗୁଡିକରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ ଏବଂ ସ୍ଥଳ ବିଶେଷରେ ଏହା ୬୦ କିମି ଛୁଇଁପାରେ। ଦକ୍ଷିଣ ଓଡ଼ିଶାରେ ଅପରାହ୍ଣରୁ ପବନର ବେଗ ବୃଦ୍ଧି ପାଇ ମଧ୍ୟରାତି ପର୍ଯ୍ୟନ୍ତ ପ୍ରଭାବ ରହିବ। ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିମି ଏବଂ ଝଟକା ପବନର ବେଗ ଘଣ୍ଟା ପ୍ରତି ୯୫ କିମି ରହିପାରେ। ଗଞ୍ଜାମ ଓ ଗଜପତି ଜିଲାରେ ଘଣ୍ଟା ପ୍ରତି ୭୫ କିମି ବେଗରେ ପବନ ବହିବାକୁ ଥିବାବେଳେ ଖୋର୍ଦ୍ଧା, ପୁରୀ, ରାୟଗଡା ଓ କୋରାପୁଟ ଜିଲାରେ ଘଣ୍ଟା ପ୍ରତି ୭୦ କିମି ଏବଂ ନବରଙ୍ଗପୁର ଓ ମାଲକାନଗିରିରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ। ସମୟେ ସମୟେ‌ ଝଟକା ପବନ ଘଣ୍ଟା ପ୍ରତି ୬୦ କିମି ଛୁଇଁପାରେ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ଗଜପତି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉପରୋକ୍ତ ଜିଲା ଗୁଡ଼ିକରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲା ଗୁଡିକୁ ପାଣିପାଗ ବିଭାଗ ନାଲିଆ ଚେତାବନୀ ଜାରି କରିଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ କଳାହାଣ୍ଡି ଜିଲାରେ ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ କମଳା ଚେତାବନୀ ଦିଆଯାଇଛି। ଉପକୂଳବର୍ତ୍ତୀ ଜିଲାଗୁଡିକ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡା ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏସବୁ ଜିଲା ପାଇଁ ହଳଦିଆ ଚେତାବନୀ ଜାରି କରାଯାଇଛି।

ଅତି ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି। କଚ୍ଚାଘର ଭାଙ୍ଗିବା ସହ ରାସ୍ତା ଧୋଇ ହୋଇଯିବା ଆଶଙ୍କା ରହିଛି। ରାସ୍ତାପାର୍ଶ୍ବରେ ପାଣି ଜମିବା ଦ୍ବାରା ଯାତାୟାତ ବାଧାପ୍ରାପ୍ତ ହୋଇପାରେ। ନଦୀରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ସୁରକ୍ଷିତ ଭାବେ ଘରେ ରହିବାକୁ ଲୋକଙ୍କୁ ପାଣିପାଗ ବିଭାଗ ପରାମର୍ଶ ଦିଆଯାଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇପଡିବ। ତଥାପି ୨୭ରେ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ କମଳା ଚେତାବନୀ ଦିଆଯାଇଛି। ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା ଓ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ହଳଦିଆ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଏହି ସମୟରେ ପ୍ରବନର ବେଗ ଘଣ୍ଟା ପ୍ରତି ୬୦ ରୁ ୬୫ କିମି ଓ ସ୍ଥଳବିଶେଷରେ ୭୦ କିମି ଛୁଇଁପାରେ।

ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ଏସଆରସି ପ୍ରଦୀପ ଜେନା କହିଛନ୍ତି, ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ଆସନ୍ତାକାଲି ସ୍ଥଳଭାଗ ଛୁଇଁବ। ବାତ୍ୟା ପ୍ରଭାବରେ ଅଳ୍ପ ପବନ ଓ ପ୍ରବଳ ବର୍ଷା ହେବ। ୨୬ ଓ ୨୭ ତାରିଖରେ ବର୍ଷା ପରିମାଣ ଅଧିକ ରହିବ। ବାତ୍ୟା ମୁକାବିଲା ନେଇ ୭ ଜିଲାର ଜିଲାପାଳଙ୍କ ସହ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିପାରେ। ଏହା ପୂର୍ବ ବାତ୍ୟା ‘ତିତଲି’ ଭଳି ହେବ ବୋଲି ଅନୁମାନ କରାଯାଉଛି। ଏଣୁ ଗଜପତି ଓ ରାୟଗଡ଼ା ଜିଲାରେ ଭୂସ୍ଖଳନ ହୋଇପାରେ ବୋଲି ଏସଆରସି କହିଛନ୍ତି। ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଜରୁରୀକାଳୀନ ସହାୟତା ଲାଗି ଦେୟ ମୁକ୍ତ ନମ୍ବର- ୧୫୫୪ ଜାରି ହୋଇଛି। ମତ୍ସ୍ୟଜୀବୀଙ୍କୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ପଇଁତରା ଜାହାଜ ଏବଂ ଡୋର୍ନିୟର ବିମାନ ସାହାଯ୍ୟରେ ତଟରକ୍ଷୀ ବାହିନୀ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କ ଉପରେ କଡ଼ା ନଜର ରଖିଛି। ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଥିବା ତଟରକ୍ଷୀ ବାହିନୀର କାର୍ଯ୍ୟାଳୟ ସମେତ ଜାହାଜ, ଡୋର୍ନିୟର ବିମାନ ଏବଂ ଯବାନଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ଦୁଇଟି ଯମଜ ବାତ୍ୟା ସୃଷ୍ଟି ହୋଇଛି। ମିଆଁମାର ଓ ତତ୍‌ସଂଲନ୍ନ କ୍ଷେତ୍ରରେ ସୃଷ୍ଟ ଗୋଟିକର ନାମ ‘ଡିଆଁମୁ’ ଥିବାବେଳେ ଅନ୍ୟଟିର ନାମ ‘ଗୁଲାବ୍‌’ ରହିଛି। ତେବେ ଓଡ଼ିଶା-ଆନ୍ଧ୍ରରେ ‘ଗୁଲାବ୍‌’ର ପ୍ରଭାବ ପଡିବା ନେଇ ସ୍କାଇମେଟ୍‌ ତଥ୍ୟରୁ ଜଣାପଡିଛି।

Comments are closed.