ଭୁବନେଶ୍ବର: ଉତ୍ତର-ପୂର୍ବ ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ।
ଉକ୍ତ ଘୂର୍ଣ୍ଣିବଳୟ ଲଘୁଚାପ ରୂପନେବା ସମ୍ଭାବନା ଥିବାବେଳେ ପରବର୍ତ୍ତୀ ସମୟରେ ଅବପାତ ରୂପ ନେଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ବୁଧବାର ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବାବେଳେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଶ୍ରାବଣରେ ଅନବରତ ବର୍ଷା ପରିବର୍ତ୍ତେ ଦିନର ତାପମାତ୍ରା ଅଧିକ ରହୁଥିବାରୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଜଗତସିଂହପୁରରେ ସର୍ବାଧିକ ତାପମାତ୍ରା ୩୭ଡିଗ୍ରୀ ଛୁଇଁଥିବା ବେଳେ ପୁରୀ, ପାରାଦ୍ବୀପ, ଚାନ୍ଦବାଲି, ବାଲେଶ୍ବର, ଅନୁଗୋଳ, ବାରିପଦା, ଝାରସୁଗୁଡ଼ା,ସମ୍ବଲପୁର,ପାରଳାଖେମୁଣ୍ଡି, ଢେଙ୍କାନାଳରେ ଦିନର ତାପମାତ୍ରା ୩୬ଡିଗ୍ରୀ ଉପରେ ରହିଛି। ଗତ ୪ରୁ ୫ ଦିନ ହେଲା ରାଜ୍ୟରେ ତାତି ବଢ଼ିଛି। ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହେଉଥିବା ବେଳେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସେପ୍ଟେମ୍ବର ୨ରୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ଭଲ ଖବର ଆଣିଛି। ଆଜି ପୁରୀ, କେନ୍ଦୁଝର ଏବଂ ସୁବର୍ଣ୍ଣପୁରରେ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୭ ମି.ମି ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୧୦.୨ ମି.ମି ତୁଳନାରେ ୯୩% କମ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଉପଯୁକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେପ୍ଟେମ୍ୱର ୧ରେ ଉତ୍ତର, ଉପକୂଳ ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବାକୁ ଥିବାବେଳେ ୨ରୁ ବର୍ଷା ପରିମାଣ ବଢ଼ିବ। ୨ ଓ ୩ ତାରିଖରେ ମାଲକାନଗିରି, କୋରାପୁଟ, ଢେଙ୍କାନାଳ, କଟକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଅନୁଗୋଳ, ବାଲେଶ୍ବର, ନବରଙ୍ଗପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।



