ଜଳ ମିସନକୁ ଧକ୍କା, ଗ୍ରାମାଞ୍ଚଳର ୫୬% ଘରେ ପହଞ୍ଚିନି ପିଇବା ପାଣି

ଭୁବନେଶ୍ବର: ଫାଲ୍‌ଗୁନ ସରିନି; କିନ୍ତୁ ବଢିଲାଣି ଖରା। ଗତକାଲି ରାଜ୍ୟର ୬ଟି ସ୍ଥାନରେ ଦିନ ତାପମାତ୍ରା ସାଢେ ୩୭ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଶିଳ୍ପ ସହର ଅନୁଗୋଳରେ ସର୍ବାଧିକ ୩୭.୫ ପ୍ରତିଶତ ପହଞ୍ଚିଛି। ରାଜଧାନୀରେ ଆଗାମୀ ୪୮ ଘଣ୍ଟାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ। ଏପରିକି ମାର୍ଚ୍ଚ ୧୫ ତାରିଖରୁ କ୍ରମାଗତ ୪୦ ଡିଗ୍ରୀ ଉପରେ ପାରଦ ପହଞ୍ଚିବା ପୂର୍ବାନୁମାନ କରାଯାଇଛି।

ଏଭଳି ସ୍ଥିତିରେ ଏବେଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହେଲାଣି ପାନୀୟ ଜଳ ସମସ୍ୟା। ନଦୀନାଳ ଶୁଖିଲାଣି। ଏଣେ ପ୍ରତି ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ ଜାରି ରଖି ସଫଳତା ପାଇଥିବା ଦାବି କରୁଛନ୍ତି। ଏଥିପାଇଁ ୨୦୨୪ ମସିହା ସମୟ ସୀମା ବି ଧାର୍ଯ୍ୟ କରାଯାଇଛି। ଜାତୀୟ ଜଳ ଜୀବନ ମିସନ ଅନ୍ତର୍ଗତ ‘ହର ଘର ନଲ୍‌ ସେ ଜଲ୍‌’ ହେଉ ବା ରାଜ୍ୟ ସରକାରଙ୍କ ଜଳ ମିସନର କ୍ବିୟାନ୍ବୟନ କେଉଁଠି ପହଞ୍ଚିଛି ତାହାର ତଥ୍ୟକୁ ବି​‌େଶ୍ଳଷଣ କଲେ ସ୍ଥିତିର ଗମ୍ଭୀରତା ବୁଝିହେବ। ଜଳଉତ୍ସର ସୁରକ୍ଷା ଓ ସଂରକ୍ଷଣ ଠାରୁ ଏହାର ପୁର୍ନସଂରଚନା କରିବା ପର୍ଯ୍ୟନ୍ତ ସବୁକିଛି କୁହାଯାଉଛି। ଜନତାଙ୍କ ସହଯୋଗ ବି ଲୋଡାଯାଉଛି। ଅଥଚ ଗ୍ରାମାଞ୍ଚଳର ୫୬ ପ୍ରତିଶତ ଘରେ ପିଇବା ପାଣି ବ୍ୟବସ୍ଥା ହୋଇପାରିନି। ଉପାନ୍ତ ମାଲକାନଗିରି ଜିଲାରେ ମିସନର ସଫଳତା ଅନତ୍ୟ ନଗଣ୍ୟ।

ଏଣେ ରାଜ୍ୟର ଉଭୟ ଭୂପୃଷ୍ଠ ଓ ଭୂତଳ ଜଳସ୍ତର ହ୍ରାସ ଖସିଲାଣି। ୨୦୧୩ରୁ ୨୦୧୭ ମଧ୍ୟରେ ରାଜ୍ୟରେ ଭୂତଳ ଜଳ ନିର୍ଭରତା ୩୦ରୁ ୪୨ % କୁ ବୃଦ୍ଧି ପାଇଥିବାରୁ ଭୂତଳ ଜଳସ୍ତର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। କେନ୍ଦ୍ର ଭୂତଳ ଜଳ ବୋର୍ଡ ତଥ୍ୟ ଅନୁଯାୟୀ, ଚାନ୍ଦବାଲି, ଏରସମା, ମାର୍ଶାଘାଇ, ମହାକାଳପଡ଼ା, ରାଜକନିକା ଓ ରାଜନଗର ଭଳି ଉପକୂଳ ଅଞ୍ଚଳରେ ଭୂତଳ ଜଳ ଲବଣଯୁକ୍ତ ଥିବାବେଳେ ବାଲିଆପାଳ, କୋରେଇ, ଗରଦପୁର, ଭୁବନେଶ୍ବର, ବୋଲଗଡ଼ ଓ ନୂଆପଡ଼ା ଭୂତଳ ଜଳସ୍ତର ଖସିବାରେ ଲାଗିଛି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ୫୬ ପ୍ରତିଶତ ଘରକୁ ଏପର୍ଯ୍ୟନ୍ତ ପାନୀୟ ଜଳ ପହଞ୍ଚି ପାରିନି। ୨୦୨୪ ସୁଦ୍ଧା ରାଜ୍ୟର ଶତପ୍ରତିଶତ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖି ଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା କିଛି ଦର୍ଶାଉଛି। ରାଜ୍ୟର ଗ୍ରାମାଞ୍ଚଳରେ ମୋଟ ୮୮ ଲକ୍ଷ ୩୩ ହଜାର ୫୩୬ ଘର ଥିବାବେଳେ ଏପର୍ଯ୍ୟନ୍ତ ୩୮ ଲକ୍ଷ ୭୬ ହଜାର ୪୧୮ ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇପାରିଛି। ୨୦୧୯ ମସହାରେ କେନ୍ଦ୍ର ସରକାର ‘ଜଳ ଜୀବନ ମିଶନ’ ଆରମ୍ଭ କରିଥିଲେ। ପ୍ରତି ଘରକୁ ନଳରେ ପାଇପ୍ ଜଳ ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ୩ ବର୍ଷରେ ୩୫ ଲକ୍ଷ ୬୫ ହଜାର ୫୫୨ ଘରକୁ ଜଳ ଯୋଗାଇ ଦିଆଯାଇ ପାରିଛି।

ନୂଆପଡ଼ାର ସର୍ବାଧିକ ଓ ମାଲକାନଗିରିର ସର୍ବନିମ୍ନ ଘରେ ଏହି ଯୋଜନାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇପାରିଛି। ନୂଆପଡ଼ାରେ ୮୭.୫୭% ଘରକୁ ପାନୀୟ ଜଳ ପହଞ୍ଚି ପାରିଛି। ଏଠାରେ ମୋଟ ୧ ଲକ୍ଷ ୩୫ ହଜାର ୨୬୬ ଘର ଥିବାବେଳେ ୧ ଲକ୍ଷ ୧୮ ହଜାର ୪୪୫ ଘରକୁ ପାନୀୟ ଜଳ ପହଞ୍ଚି ପାରିଛି। ଅନ୍ୟପକ୍ଷରେ ମାଲକାନଗିରିର ସର୍ବନିମ୍ନ ୨୩.୪୦% ଘରକୁ ପାନୀୟ ଜଳ ପହଞ୍ଚିଛି। ଏଠାରେ ୧ ଲକ୍ଷ ୨୪ ହଜାର ୪୧୩ ଘରରୁ ୨୯ ହଜାର ୧୧୩ଟି ଘରକୁ ପାନୀୟ ଜଳ ପହଞ୍ଚିପାରିଛି। ସେହିପରି ୫୦% ଘରକୁ ପାନୀୟ ଜଳ ଯୋଗାଣ ମଧ୍ୟରେ ନୂଆପଡ଼ା ବ୍ୟତୀତ ୮ଟି ଜିଲା ରହିଛି। ଭଦ୍ରକରେ ୭୧.୨୭%, କେନ୍ଦୁଝରର ୬୯.୨୭%, ବୌଦ୍ଧ ୬୩.୧୬%, ଢ଼େଙ୍କାନାଳ ୫୭.୯୬%, ଦେବଗଡ଼ର ୫୫.୯୨%, ଅନୁଗୋଳର ୫୨.୫୩%, ସୁବର୍ଣ୍ଣପୁରର ୫୨.୨୯% ଓ ଖୋର୍ଦ୍ଧାର ୫୦.୧୬% ଘରକୁ ପାନୀୟ ଜଳ ପହଞ୍ଚି ପାରିଛି।

ସୂଚନାଯୋଗ୍ୟ, ଜଳ ଜୀବନ ମିଶନ ପୂର୍ବରୁ ୧୫ ଅଗଷ୍ଟ ୨୦୧୯ ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳରେ ମାତ୍ର ୩.୫୨% ପ୍ରତିଶତ ଅର୍ଥାତ ୩ ଲକ୍ଷ ୧୦ ହଜାର ୮୬୬ ଘରକୁ ପାନୀୟ ଜଳ ଯୋଗାଣ ହୋଇପାରିଥିଲା। ସେହିପରି ହର ଘର ଜଳ ଜିଲା ଓ ହର ଘର ଜଳ ବ୍ଲକ ଯୋଜନାରେ ଓଡ଼ିଶାର କୌଣସି ଜିଲା କିମ୍ବା ବ୍ଲକ ସ୍ଥାନ ପାଇ ପାରି ନ ଥିବାବେଳେ ୨୨୬ ପଞ୍ଚାୟତ ଓ ୬,୮୦୮ଟି ଗାଁରେ ପାନୀୟ ଜଳ ପହଞ୍ଚି ପାରିଛି। ତେଲଙ୍ଗାନାରେ ସର୍ବାଧିକ ୩୨, ହରିୟାଣାର ୨୨ ଓ ପଞ୍ଜାବର ୧୭ ଜିଲାକୁ ଏହି ଯୋଜନାରେ ଜଳ ପହଞ୍ଚିପାରିଛି।

Comments are closed.