ସରକାରୀ ଚାକିରିଆ ନୁହନ୍ତି ଏସ୍‌ଏସ୍‌ବି ଅଧ୍ୟାପକ, ବିରୋଧ କଲା ଅଧ୍ୟାପକ ସଂଘ

ଡେସ୍କ: ଅନୁଦାନପ୍ରାପ୍ତ ୪୮୮ ବର୍ଗ ବେସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ଏସ୍‌ଏସ୍‌ବି ଅଧ୍ୟାପକଙ୍କ ପ୍ରତି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଏସ୍‌ଏସ୍‌ବି ଅଧ୍ୟାପକ ସଂଘ (ଓସଲା) ବିରୋଧ କରିଛି। ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାର ଏସ୍‌ଏସ୍‌ବି ଅଧ୍ୟାପକ-ଅଧ୍ୟାପିକାଙ୍କ ଚାକିରି ସର୍ତ୍ତାବଳୀରେ ସୁବିଧାକୁ ସଂଶୋଧନ ଆଳରେ ଉଚ୍ଛେଦ କରିଛନ୍ତି। ଏସ୍‌ଏସ୍‌ବି ଦ୍ୱାରା ଉଦ୍ଦିଷ୍ଟ ମାନଦଣ୍ଡ ଆଧାରରେ ଚୟନ ହୋଇଥିବା ଅଧ୍ୟାପକ-ଅଧ୍ୟାପିକା ଓପିଏସ୍‌ସି ଦ୍ୱାରା ନିଯୁକ୍ତ ଅଧ୍ୟାପକଙ୍କ ଭଳି ସମାନ କାର୍ଯ୍ୟ ଓ ଦାୟିତ୍ୱ ତୁଲାଉ ଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ କଲେଜ ପରିଚାଳନା କମିଟି ଦ୍ୱାରା ନିଯୁକ୍ତିପ୍ରାପ୍ତ ବୋଲି ଦର୍ଶାଉଛି।

ଏସ୍‌ଏସ୍‌ବି ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚଶିକ୍ଷା ବିଭାଗର ପତ୍ର ସଂଖ୍ୟା ୧୯୩୫୩ ତା ୧୧.୦୫.୨୦୨୨କୁ ବର୍ତ୍ତମାନର ରାଜ୍ୟ ସରକାର ସଂଶୋଧିତ କରିଥିବା ନେଇ ଉଚ୍ଚଶିକ୍ଷା ବିଭାଗର ପତ୍ର ସଂଖ୍ୟା ୧୫୫୨୮ରେ ୧୯.୦୩.୨୦୨୫ରେ ସୂଚନା ପ୍ରଦାନ କରାଯାଇଛି । ଏହି ସଂଶୋଧନ ଅନୁଯାୟୀ ପୂର୍ବରୁ ପାରା ୧୨ରେ ରାଜ୍ୟ ସରକାରରେ ଅନ୍ୟ ସରକାରୀ ଚାକିରି ମିଳିବା କ୍ଷେତ୍ରରେ ଏସ୍‌ଏସ୍‌ବି ଅଧ୍ୟାପକ-ଅଧ୍ୟାପିକାଙ୍କୁ ମିଳୁଥିବା ଚାକିରି ନିରନ୍ତରତାକୁ ଉଚ୍ଛେଦ କରିଦିଆଯାଇଛି । ସେହିପରି ପାରା ୧୦କୁ ସଂଶୋଧନ କରାଯାଇ ୨୦୦୫ ପରେ ନିଯୁକ୍ତି ପାଇଥିବା ଏସ୍‌ଏସ୍‌ବି ଅଧ୍ୟାପଙ୍କୁ ଏନ୍‌ପିଏସ୍ ପରିସରଭୁକ୍ତ କରାଗଲା ବୋଲି ଦର୍ଶାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏସ୍‌ଏସ୍‌ବି ଦ୍ୱାରା ଚୟନ ହୋଇଥିବା ଅଧ୍ୟାପକଙ୍କ ମଧ୍ୟରୁ ଅନେକ ପିଏଚଡି, ଏମଫିଲ ଡିଗ୍ରୀ ଧାରୀ ହୋଇଥିବା ବେଳେ ନେଟ୍ ଏବଂ ଜେଆରଏଫ ଭଳି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଓପିଏସ୍‌ସି ଦ୍ୱାରା ନିଯୁକ୍ତ ଅଧ୍ୟାପକଙ୍କ ଭଳି ସମାନ କାର୍ଯ୍ୟ କରୁଥିବାରୁ ସାମନ କାର୍ଯ୍ୟ ପାଇଁ ସମାନ ଦରମା ଆଧାରରେ ଗ୍ରେଡ ପେ’ ସଂଶୋଧନ ଦାବିରେ ଏସ୍‌ଏସ୍‌ବି ଅଧ୍ୟାପକମାନେ ବିରୋଧ ପ୍ରଦର୍ଶନ କରି ସହ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

Comments are closed.