ପ୍ରକାଶ ପାଇଲା ଓଡିଶା ପଲିଟେକ୍ନିକ୍ ରାଙ୍କ: କିଟ ପଲିଟେକ୍ନିକ ପ୍ରଥମ, ଯାଜପୁର ସରକାରୀ ପଲିଟେକ୍ନିକ ଦ୍ବିତୀୟ
ଭୁବନେଶ୍ୱର: ଆଜି ରାଜ୍ୟର ଉଭୟ ସରକାରୀ ଏବଂ ବେସରକାରୀ ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନମାନଙ୍କର ରାଙ୍କିଙ୍ଗ୍ ପ୍ରକାଶ ପାଇଛି। ଏଥିରେ ମୋଟ ୧୦୨ଟି ଉଭୟ ସରକାରୀ ଓ ବେସରକାରୀ ପଲିଟେକ୍ନିକ୍କୁ ସାମିଲ କରାଯାଇଛି। କିଟ ପଲିଟେକ୍ନିକ୍ ସର୍ବାଧିକ ୭୨.୭୮ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଯାଜପୁର ସରକାରୀ ପଲିଟେକ୍ନିକ୍ ଦ୍ବିତୀୟ ସ୍ଥାନ ହାସଲ କରିଛି। ପ୍ରଥମ ଶ୍ରେଷ୍ଠ ୧୦ଟି ସ୍ଥାନରେ ୫ଟି ଲେଖାଏଁ ଉଭୟ ସରକାରୀ ଓ ବେସରକାରୀ ପଲିଟେକ୍ନିକ୍ ରହିଛି। ତେବେ ସର୍ବନିମ୍ନ ୪.୩୦ ନମ୍ବର ପାଇ ଘରୋଇ ପଲିଟେକ୍ନିକ ଓଡ଼ିଶା ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଢ଼େଙ୍କାନାଳ ୧୦୨ ରାଙ୍କରେ ରହିଛି।
ଆଜି ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ପରିଷଦରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ପଲିଟେକ୍ନିକ୍ ରାଙ୍କିଙ୍ଗ୍ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଓଡିଶାର ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନମାନଙ୍କର ଡିପ୍ଲୋମା ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ମାନ ବୃଦ୍ଧି ପାଇଁ ରାଙ୍କିଙ୍ଗ୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟସ୍ତରରେ ରାଙ୍କିଙ୍ଗ୍ ପ୍ରଦାନ ବ୍ୟବସ୍ଥା ନଥିଲା । ଭାରତ ସରକାରଙ୍କ କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆର ସହଯୋଗରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ରାଙ୍କିଙ୍ଗ୍ ପ୍ରଦାନ ପ୍ରକ୍ରିୟାର ଶୁଭାରମ୍ଭ ଏକ ମାଇଲଖୁଣ୍ଟ ହେବ । ଏକାଧିକ ମୂଲ୍ୟାଙ୍କନ ପଦ୍ଧତି ଅବଲମ୍ବନ କରାଯାଇ ରାଜ୍ୟର ସମସ୍ତ ୧୦୨ ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନର ରାଙ୍କିଙ୍ଗ୍ ସ୍ଥିର ହୋଇଛି । ରାଙ୍କିଙ୍ଗ୍ ବ୍ୟବସ୍ଥା ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ବାତାବରଣ ସୃଷ୍ଟି କରିବ। ଆଗାମୀ ବର୍ଷରେ ପଲିଟେକ୍ନିକ୍ର ପରିବେଶକୁ ମଧ୍ୟ ମୂଲ୍ୟାଙ୍କନରେ ସାମିଲ କରାଯିବ । କାଉନସେଲିଂ ସମୟରେ ନିଷ୍ପତ୍ତି ନେବା ପାଇଁ ଏହି ରାଙ୍କିଙ୍ଗ୍ ପ୍ରାର୍ଥୀ ଏବଂ ସେମାନଙ୍କ ପିତାମାତାଙ୍କୁ ସାହାଯ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ହେମନ୍ତ ଶର୍ମା ପଲିଟେକ୍ନିକ୍ ରାଙ୍କିଙ୍ଗ୍ର ଆବଶ୍ୟକତା ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ ମୂଲ୍ୟାଙ୍କନ ପଦ୍ଧତି ଉପରେ ବିସ୍ତୃତ ବିଶ୍ଳେଷଣ ପ୍ରଦାନ କରିଛନ୍ତି । ସେ ରାଙ୍କ୍ ନିର୍ଣ୍ଣୟ ପାଇଁ ନିଆଯାଇଥିବା ସାତୋଟି ପଦ୍ଧତିକୁ ମଧ୍ୟ ବ୍ୟାଖ୍ୟା କରିଥିଲେ । ସେ କହିଛନ୍ତି ଯେ ଯଦିଓ ଆଇଟିଆଇ ଏବଂ ଡିଗ୍ରୀ ଇଞ୍ଜିନିୟରିଂ କଲେଜଗୁଡ଼ିକର ରାଙ୍କିଙ୍ଗ୍ ପାଇଁ ଜାତୀୟ ସ୍ତରରେ ବ୍ୟବସ୍ଥା ରହିଛି, ତଥାପି ଜାତୀୟ ସ୍ତରରେ ପଲିଟେକ୍ନିିକ୍ ର୍ୟାଙ୍କିଙ୍ଗ୍ ପାଇଁ କୌଣସି ବ୍ୟବସ୍ଥା ନାହିଁ । ରାଜ୍ୟ ସ୍ତରରେ ଏଭଳି ରାଙ୍କିଙ୍ଗ୍ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପଦକ୍ଷେପ ନେଇଛି । ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ, ରେଘୁ ଜି କହିଛନ୍ତି ଯେ ତଥ୍ୟ ସଂଗ୍ରହ ଠାରୁ ଆରମ୍ଭ କରି ଅଭିଯୋଗ ଗ୍ରହଣ ଏବଂ ତା’ପରେ ଚୂଡ଼ାନ୍ତ ସ୍ତରରେ ପହଞ୍ଚିବା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଥିଲା । ଏହି ଅବସରରେ କ୍ୟୁସିଆଇ ନୂଆଦିଲ୍ଲୀ, ସେକ୍ରେଟାରୀ ଜେନେରାଲ୍, ଡକଫର ଆର ପି ସିଂ, ଅତିରିକ୍ତ ସଚିବ ତପନ କୁମାର ଶତପଥୀ, ଯୁଗ୍ମ ସଚିବ ରୋଜିନା ଦାସ ଏବଂ ଏସସିଟିଇଭିଟି ସଚିବ, ଏସ୍.କେ ମିଶ୍ର ଉପସ୍ଥିତ ଥିଲେ।
Comments are closed.