ଲକ୍ଷ୍ମୀପୁର : କୋରାପୁଟ ବନଖଣ୍ଡ ଅନ୍ତର୍ଗତ ଲକ୍ଷ୍ମୀପୁର ବନାଞ୍ଚଳର ସଦର ବନପାଳଙ୍କ ଅଧିନରେ ଥିବା ବନ୍ଦିକାର ବିଟର ଶାଗୁଆନ ଗଛକଟା ଘଟଣାର ତଦନ୍ତ ରିପୋର୍ଟ ବନପାଳ ବିକାଶ କୁମାର ପାତ୍ର ବନଖଣ୍ଡ ଅଧିକାରୀ କେ. ଭି. ଭାଷ୍କର ରାଓଙ୍କୁ ପ୍ରଦାନ କରିଛନ୍ତି। ପ୍ରାୟ ପନ୍ଦର ଦିନ ଧରି ଗଣତି ଚାଲିଥିବାବେଳେ ଗୁରୁବାର ବନାଞ୍ଚଳ ଅଧିକାରୀ ଗଣତି ରିପୋର୍ଟ ପ୍ରଦାନ କରିଛନ୍ତି। ଉକ୍ତ ଖବର ପ୍ରଥମେ କେବଳ “ସମାଜ”ରେ ହିଁ ପ୍ରକାଶ ପାଇଥିଲା। ଯେଉଁ ଘଟଣାକୁ କି ବନଖଣ୍ଡ ଅଧିକାରୀ ହାଲୁକା ଭାବେ ନେଇ କେହି ରଞ୍ଜା ପାଇଁ ଦୁଇ ତିନୋଟି ଗଛ କାଟିଥିବେ ବୋଲି କହିଥିଲେ। ତେବେ ଖବର ପ୍ରକାଶ ପରେ ଖୋଳତାଡ଼ ହେବା ସହିତ ବର୍ତ୍ତମାନ ଦାୟିତ୍ଵରେ ଥିବା ବନାଞ୍ଚଳ ଅଧିକାରୀଙ୍କୁ କେତେ ଗଛ କଟା ଯାଇଛି ତା’ର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଯେଉଁ ସବୁ ଶାଗୁଆନ ଗଛ ଗୁଡ଼ିକ କଟା ଯାଇଥିଲା ସେଗୁଡ଼ିକ ଗଣିତ କରିବା ସହିତ ଜିପିଏସ ସାହାଯ୍ୟରେ ଫଟୋ ଉତ୍ତୋଳନ କରାଯାଇ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରାଯାଇଛି। ବନ୍ଦିକାର ସଂରକ୍ଷିତ ଜଙ୍ଗଲରେ ପ୍ରାୟ ଦୁଇଦଶନ୍ଧି ତଳେ ୩୦ ହେକ୍ଟରରୁ ଊର୍ଦ୍ଧ୍ବ ସୃଷ୍ଟି କରାଯାଇଥିବା ଜଙ୍ଗଲ ମଧ୍ୟରୁ ଗଛ କଟା ଯାଇଥିବା ଖବର ମିଳିଥିଲା। ସୂଚନା ଅନୁଯାୟୀ ଯେଉଁ ଗଛ ଗୁଡ଼ିକ ଦୁର୍ବୁତ୍ତମାନେ କାଟିଥିଲେ ସେଥି ମଧ୍ୟରୁ ଅଳ୍ପ କିଛି ନେଇଥିବାବେଳେ ଅବଶିଷ୍ଟକୁ ବନରକ୍ଷୀ ଓ ବନପାଳ ଜବତ କରିଥିଲେ। ନିୟମ ଅନୁସାରେ ଜବତ କାଠକୁ ଆଣି ବନାଞ୍ଚଳ ଅଧିକାରୀଙ୍କୁ ଜିମା ଦେବା ସହିତ ଯଦି କେହି ଧରା ପଡିନଥାନ୍ତି ଏକ ୟୁଡି କେସ୍ କରିବା କଥା। ତେବେ ସେମାନେ ତାହା କରି ନାହାଁନ୍ତି। ଏପରିକି ଖବର ପକାଶ ପରେ ବର୍ତ୍ତମାନ ବନାଞ୍ଚଳ ଅଧିକାରୀ ୪୬୫ ଟି ଗଛ ମଧ୍ଯରୁ ୧୮ ଖଣ୍ଡ ଗଣ୍ଡି ଜବତ କରିଥିବା ଜଣାପଡିଛି।
ତେବେ ଏଠାରେ ପ୍ରଶ୍ନ ଉଠୁଛି ବନରକ୍ଷୀ ଓ ବନପାଳ ଘଟଣା ଜାଣିବାବେଳେ ଯେଉଁ ଗଛ ଗୁଡ଼ିକ କଟା ଯାଇଥିଲା ସେଥିମଧ୍ୟରୁ ଦୁର୍ବୁତ୍ତମାନେ କେତେ ପରିମାଣରେ ନେଇ ଯାଇଥିଲେ ଓ କେତେ ସଂଖ୍ୟକ ଗଣ୍ଡି ବନରକ୍ଷୀ ଓ ବନପାଳ ଜବତ କରିଥିଲେ ତାହାର ତଥ୍ଯ ମିଳି ପାରିନାହିଁ। ନିୟମ ଅନୁସାରେ ଯେହେତୁ ଏମାନେ ମାମଲା ରୁଜୁ କରିନାହାଁନ୍ତି ଏବଂ ଜବତ କାଠକୁ କାର୍ଯ୍ୟାଳୟକୁ ଆଣି ନାହାନ୍ତି ତା’ ହେଲେ ସେଗୁଡିକ ଗଲା କୁଆଡ଼େ ? ଏପରିକି ସେସବୁକୁ ବିକ୍ରି କରାଯାଇଛି ବୋଲି କୁହାଯାଉଛି। ଏବିଷୟରେ କୌଣସି ସୂଚନା ଉପର ଅଧିକାରୀଙ୍କୁ ଜଣାଇ ନଥିବା କାରଣରୁ ଏନେଇ ଦୁହିଁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଚାର୍ଜ ଫ୍ରେମ୍ ସହିତ ପ୍ରୋସିଡିଂ ପାଇଁ ନିଷ୍ପତ୍ତି ହୋଇଛି, ସେହିପରି ତଦନ୍ତ ପରେ ଉଭୟଙ୍କୁ ନିଲମ୍ବନ ସହିତ ଯେତିକି ସଂଖ୍ୟକ ଗଛକଟା ହୋଇଛି ହିସାବ କରାଯାଇ ସେମାନଙ୍କଠାରୁ ଆଦାୟ କରାଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି। ସେହିପରି ଏହାର ଅଧିକ ତଦନ୍ତ ପାଇଁ ସହକାରୀ ବନ ସଂରକ୍ଷକ ଙ୍କୁ ଦାୟିତ୍ଵ ଦିଆଯାଇଛି ବୋଲି କହିବା ସହିତ ଶୋ-କଜ୍ ନୋଟିସ ଓ ଏକ୍ସପ୍ଲାନେଶନ ନୋଟିସ କରାଯିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।
ପ୍ରତି ବର୍ଷ ସରକାର କୋଟି କୋଟି ଟଙ୍କା ବ୍ୟୟ କରିବା ସହିତ ଚାରା ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ପାଇଁ ଯୋଜନା କରୁଥିବାବେଳେ ତାହା ସଠିକ ଭାବରେ ରକ୍ଷଣାବେକ୍ଷଣ ନହେବା ଏବଂ ବାଡ଼ ଫସଲ ଖାଇବା ଭଳି ବିଭାଗୀୟ କର୍ମଚାରୀ ମାନଙ୍କ ସମ୍ପୃକ୍ତିରେ ଶାଗୁଆନ ଗଛ ଭଳି ମୂଲ୍ୟବାନ୍ ଗଛ କଟା ହେଉଥିବାରୁ ଜଙ୍ଗଲ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।



