ଜି.ଉଦୟଗିରି: ପ୍ରତ୍ୟେକ ବର୍ଷ ସ୍ଥାନୀୟ ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ବିଭାଗ ଅଞ୍ଚଳର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରିବା ସହ ଉତ୍କଳ ଦିବସକୁ ମହା ଆଡମ୍ବର ସହକାରେ ପାଳନ କରିଥାଏ। କିନ୍ତୁ ବିଡମ୍ବନାର ବିଷୟ ଚଳିତ ବର୍ଷ ଏହା ଦେଖିବାକୁ ମଳିନଥିଲା। ତେବେ ଜି.ଉଦୟଗିରି ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ବିଭାଗ ଜି.ଉଦୟଗିରି, ରାଇକିଆ, ଟିକାବାଲି ଓ ଚକାପାଦ ଅଞ୍ଚଳକୁ ନେଇ ଗଠିତ ହୋଇଥିବା ବେଳେ କିଛି ଦିନ ଜଣେ ମାତ୍ର କର୍ମଚାରୀରେ ଏହି କାର୍ଯ୍ୟାଳୟ ଚାଲିଥିଲା। ହେଲେ ଗତ ଜାନୁଆାରି ୩୧ ତାରିଖ ଦିନ ଉକ୍ତ କର୍ମଚାରୀ ଜଣକ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ଫେବୃୟାରୀ ୧ ତାରିଖ ଠାରୁ କାର୍ଯ୍ୟାଳୟ ସମ୍ପୁର୍ଣ୍ଣ ବନ୍ଦ ହୋଇ ତାଲା ଝୁଲୁଛି। ଏ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଫଳ ଶୁନ୍ୟ ଭଳି କୌଣସି କର୍ମଚାରୀଙ୍କୁ ନିଯୁକ୍ତି ଦିଆଗଲା ନାହିଁ କି କାର୍ଯ୍ୟାଳୟ ଖୋଲାଗଲା ନାହିଁ। ଫଳରେ ଉତ୍କଳ ଦିବସ ଭଳି ପବିତ୍ର ଦିବସକୁ ପାଳନ କରିବାକୁ ବିଭାଗ ଭୂଲିଗଲା। ତେବେ ଆଗକୁ ସ୍ବାଧିନତା ଦିବସ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଭାଗ ଦ୍ୱାରା ହେବକି ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜି.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ କର୍ମଚାରୀ କେବେ ନିଯୁକ୍ତି ଦେବେ ତାହା ଦେଖାବାକୁ ବାକି ରହିଲା।
Popular Categories



