ଦେଓଗାଁ: ଶୁକ୍ରବାର ଅପରାହ୍ନରେ ଝଡ଼ ବାତ୍ୟା ହେବାରୁ ଦେଓଗାଁ ବ୍ଳକ ଅଞ୍ଚଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେଉଁଠି ଘର ଉପରେ ବିଦ୍ୟୁତ ଖୁଣ୍ଟ ପଡିଛି ତ ପୁଣି କେଉଠି ରାସ୍ତା ଉପରେ ଟ୍ରାନ୍ସଫର୍ମର ପଡିରହିଛି। ଏପରି କି ଏହି ଜଡ଼ ତୋଫାନ ହେତୁ ବଡ଼ ବଡ଼ ଗଛ ଉଫୁଡି ପଡ଼ିଥିବାରୁ ଦେଓଗାଁ- ସଇଁତଲା ରାସ୍ତା ଜାତୀୟ ରାଜପଥ ୨୬ ଉପରେ ଦୀର୍ଘ ଘଣ୍ଟା ଧରି ଶହ ଶହ ଗାଡି ଅଟକି ରହିଥିଲା। ଦେଓଗାଁ ସଦର ପଞ୍ଚାଯତର ବିଭିନ୍ନ ପଡାରେ ଡ୍ରେନ ଉପରେ ପାଣି ବହିବା ଯୋଗୁଁ ଘରକୁ ବର୍ଷା ପାଣି ପଶିଥିବା ବେଳେ ସୋନ ଗଡ଼ ନଦୀର ବ୍ରିଜ ଉପରେ ପାଣି ଲହାଡ଼ା ମାରୁଥିବା ଦେଖା ଦେଇଥିଲା। ଦେଓଗାଁ ବଙ୍ଗଳା ଛକରେ ନୂତନ ଭାବେ ଲାଗିଥିବା ଷ୍ଟିଟ ଲାଇଟ ଖୁଣ୍ଟ ଗୁଡିକ ବ୍ୟବହାର ହେବା ଆଗରୁ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ସେହିପରି ବ୍ଳକର ଗୌଡ଼ଗୋଠ, ଉପରଝର ପଞ୍ଚାଯତର ବିଭିନ୍ନ ଗାଁରେ ପନିପରିବା ଚାଷ ନଷ୍ଟ ହୋଇଥିବା ବେଳେ କୁଲୁତାପଡା, ସିଙ୍ଗାଟିମାଲ ଗାଁରେ ଘର ଉପରେ ଗଛ ପଡିଥିବା ବେଳେ ମାଲ ପଡା ଗାଁ ରେ ଝଡ଼ ତୋଫାନ ଯୋଗୁଁ ଟ୍ରାନ୍ସଫର୍ମର ଉଫୁଡି ପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ଦେଓଗାଁ ଅଗ୍ନିଶମ ବାହିନୀ ବିଭିନ୍ନ ସ୍ଥାନକୁ ଯାଇ ରାସ୍ତା ଉପରେ ପଡିଥିବା ଗଛ ଗୁଡିକୁ କାଟି ହଟେଇ ରାସ୍ତା ସଫେଇ କରୁଛନ୍ତି। ଏହି ଝଡ଼ ତୋଫାନ ଯୋଗୁଁ ବିଭିନ୍ନ ଗାଁ ରେ ବିଦ୍ୟୁତ ସେବା ମଧ୍ୟ ଠପ ହୋଇଯାଇଛି।
Popular Categories



