ଚାନ୍ଦିପୁଟ: ଗଜପତି ଜିଲ୍ଲାର ଏକମାତ୍ର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଚନ୍ଦ୍ରଗିରିରେ ଛାତ୍ରଛାତ୍ରୀଙ୍କ ସ୍ଥିତି ଅସୁରକ୍ଷିତ ଥିବା ପରିଲକ୍ଷିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଓ କର୍ମଚାରୀଙ୍କ ଦାୟୀତ୍ବହୀନତା ଓ ଖାମଖିଆଲି ନିତି ଯୋଗୁଁ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବେ ଅସାମାଜିକ କାର୍ଯ୍ୟ ମୁହାଁ ହେଉଥିବା ଘଟଣା ଚନ୍ଦ୍ରଗିରି ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ବିଦ୍ୟାଳୟର ତିନି ଛାତ୍ରଙ୍କ ଅସାମାଜିକ କାରନାମା ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ବେଳେ ବିଶୃଙ୍ଖଳିତ ଆଚରଣ ପାଇଁ ସମୃକ୍ତ ଛାତ୍ର ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଅଧ୍ୟକ୍ଷ ମନମୋହନ ସାହୁ। ସେପଟେ ପିଲାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଘଟଣା ବିଷୟରେ ଜାଣିନଥିବା କହିଛନ୍ତି ବିଭାଗୀୟ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ। ଏହା ସହ ଘଟଣାର ଅନୁସନ୍ଧାନ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି।
ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସୁଚନା ଅନୁସାରେ ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଏକ ସ୍କୁଟି ଚୋରି ଘଟଣାରେ ତିନିଜଣଙ୍କୁ ୧୩ ଦିନ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ବହିଷ୍କାର କରିଛନ୍ତି। ଗଜପତି ଜିଲ୍ଲା ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଗତ ୨୮ ତାରିଖ ବିଳମ୍ବିତ ରାତିରେ ୩ ଜଣ ଛାତ୍ର ହଷ୍ଟେଲର ପାଚେରୀ ଡେଇଁ ଚନ୍ଦ୍ରଗିରି ବଜାରରେ ଚାଲିଥିବା ଏକାଧିକ ବିବାହ ଭୋଜିରେ ଯୋଗ ଦେଇ ନାଚିଥିଲେ। ତାପରେ ସେଠାରୁ ଆସି ଏକ ଦୋକାନ ସାମ୍ନାରୁ ଥିବା ଏକ ସ୍କୁଟି ଚୋରି କରି ନେଇ ଯାଇ ବୁଲା ବୁଲି କରିଥିଲେ। ସ୍କୁଟିର ତେଲ ସରିଯିବା ପରେ ନିକଟସ୍ଥ ଲକ୍ଷାରୀ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଚୋରି ହୋଇଥିବା ଦୋକାନରେ ସାମ୍ନାରେ ଲାଗିଥିବା ସିସି ଟିଭିରେ ଚୋରିର ସମସ୍ତ ଘଟଣା କଏଦ ହୋଇଥିଲା। ସକାଳେ ଚୋରି ଶିକାର ହୋଇଥିବା ବ୍ୟକ୍ତି ଜଣକ ସିସି ଟିଭି ଫୁଟେଜରୁ ହଷ୍ଟେଲର ଛାତ୍ରମାନେ ବୋଲି ଜାଣିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ସିସି ଟିଭି ପୁଟେଜରୁ ଛାତ୍ରମାନଙ୍କୁ କର୍ତ୍ତୃପକ୍ଷ ଚିହ୍ନିବା ପରେ ସେହି ଛାତ୍ରମାନଙ୍କ ଦ୍ଵାରା ସ୍କୁଟିକୁ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ତେବେ ଏଭଳି ଅସାମାଜିକ କାର୍ଯ୍ୟକଳାପକୁ ନେଇ ଗତକାଲି ବିଦ୍ୟାଳୟ କର୍ତ୍ତୃପକ୍ଷ ସଂପୃକ୍ତ ତିନି ଜଣ ଛାତ୍ରମାନଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହିସାବରେ ବିଦ୍ୟାଳୟରୁ ୧୩ ଦିନ ପାଇଁ ବହିଷ୍କାର କରିଛନ୍ତି। ବର୍ତ୍ତମାନ ସିସିଟିଭିରେ କଏଦ ହୋଇଥିବା ଚୋରିର ପୁରା ଭିଡିଓ ମୋବାଇଲରୁ ମୋବାଇଲ୍ ଭାଈରାଲ ହେବାରେ ଲାଗିଛି। ତେବେ ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପାଖରେ କୌଣସି ସୂଚନା ନାହିଁ। ତେବେ ବହିଷ୍କାର ହୋଇଥିବା ଛାତ୍ରମାନେ ଆଗାମୀ ୧୪ ତାରିଖରେ ହେବାକୁ ପରିକ୍ଷା ଦେଇପାରିବେ ବୋଲି ପ୍ରକାଶ କରିଛନ୍ତି ଅଧ୍ୟକ୍ଷ।



