ରେଙ୍ଗାଲିକ୍ୟାମ୍ପ: ଏମସିଏଲରେ ଚାକିରି ଦେବା ନାଁରେ ଲୋକ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ନକଲି ଏମସିଏଲ ଅଫିସର ଆଜି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ଏମ ସି ଏଲ କାର୍ଡ ପିନ୍ଧି ବୁଲୁଥିବା ଏହି ନକଲି ବାବୁ ଜଣକ ହେଉଛନ୍ତି ଚିପିଲମା ନିକଟସ୍ଥ ମରାଙ୍ଗୁଲା ଗ୍ରାମର ପ୍ରକାଶ ଜଗଦ୍ଦଲ୍ଲା (୨୭)। ଏମସିଏଲରେ ଚାକିରି କରାଇ ଦେବା ନାଁରେ ଲୋକଙ୍କ ଠାରୁ କୋଟି କୋଟି ଅର୍ଥ ଆଦାୟ କରି ଦୀର୍ଘ ୨/୩ବର୍ଷ ହେବ ଧରା ଛୁଆଁ ଦେଉନଥିଲା। କୁମେଲ ସିଂହା ପଞ୍ଚାୟତ ମହୁ ଖଣ୍ଡ ଗ୍ରାମର ମନୋଜ କର୍ମୀ ୧୦ ଲକ୍ଷ ଟଙ୍କା ଠକେଇ ହୋଇ ଗତ ୧୧ ତାରିଖ ଦିନ ଅତାବିରା ଥାନାରେ ଅଭିଯୁକ୍ତ ପ୍ରକାଶ ଜଗଦ୍ଦଲ୍ଲାଙ୍କ ନାଁରେ ଲିଖିତ ଅଭିଯୋଗ କରିବା ପରେ ଅତାବିରା ପୋଲିସ ସଦଳ ବଳେ ସାତୁ ପାଲି ଛକରେ ପ୍ରକାଶ ଜଗଦ୍ଦଲ୍ଲାକୁ ଗିରଫ କରିଥିଲେ। ତାକୁ କୋର୍ଟ ଚାଲାଣ କରାଯାଇଛି।
ଅତାବିରା ଅଞ୍ଚଳର ୬୦୦ରୁ ଉର୍ଦ୍ଧ୍ବ ଲୋକ ଚାକିରି ନିମନ୍ତେ ଟଙ୍କା ଦେଇଥିବା ଜଣାପଡ଼ିଛି। ଠକ ଜଣଙ୍କ ବିଶ୍ୱାସ ସୃଷ୍ଟି କରିବା ଲାଗି ଝାରସୁଗୁଡ଼ା ଡାକି ମେଡିକାଲ ଟେଷ୍ଟ କରୁଥିଲେ, ବୁର୍ଲା ଗେଷ୍ଟ ହାଉସରେ ସାକ୍ଷାତକାର ମଧ୍ୟ ନେଉଥିଲେ। ଆହୁରି ଆଶ୍ଚର୍ଯ୍ୟର କଥା ଯେ ଅନେକ ଲୋକଙ୍କୁ ସେମାନେ ନକଲି ଯୋଗଦାନ ପତ୍ର, ତାଲିମ ପତ୍ର ମଧ୍ୟ ଦେଇ ଥିବା କଥା ସାମ୍ନାକୁ ଆସୁଛି।



