ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମର ହରିବନ୍ଧୁ ମଣ୍ଡଳଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ପଞ୍ଚମା ବଡ ସାହିର ପ୍ରଭାକର ମଣ୍ଡଳ ଓରଫ ଟୁନା ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଗତ ୨୮ ତାରିଖରେ ପଞ୍ଚମାର ହରିବନ୍ଧୁ ନିଜର ଦୁଇ ଛୁଆକୁ ବିଦ୍ୟାଳୟରୁ ନେଇ ଘରକୁ ଫେରିବା ସମୟରେ ଟୁନା ତାଙ୍କୁ ରାସ୍ତାରେ ଅଟକାଇ ଥିଲେ।
ଗଣ୍ଡଗୋଳ କରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରି ହାତରେ ଧରିଥିବା ଏକ ଖଣ୍ଡାରେ ହରିବନ୍ଧୁକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ହରିବନ୍ଧୁଙ୍କ ବେକ ଓ ହାତରେ ଆଘାତ ଲାଗିଥିଲା। ଘଟଣା ନେଇ ହରିବନ୍ଧୁଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିବା ସହ ଆଜି ଅଭିଯୁକ୍ତ ଟୁନାକୁ ଗିରଫ କରି କୋର୍ଟ ଚାଲାଣ କରିଛି।



