ବାସହୀନ ସାଇବାନିଙ୍କ ସରୁନି ଜୀବନ ଯନ୍ତ୍ରଣାର ଯାତ୍ରା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଲାଦରପାଲି ବନ୍ଧପଡ଼ା ପ୍ରାଥମିକ ବିଦ୍ୟାଳୟର ପାଚେରୀକୁ ଲାଗି ରହିଥିବା ଏକ ସରକାରୀ ଜାଗାରେ ଏକ କୁଡ଼ିଆ ଘର ରହନ୍ତି ୬୪ ବର୍ଷର ଆଦିବାସୀ ବୃଦ୍ଧା ସାଇବାନି ବରିହା। ଦୀର୍ଘ ୪୦ରୁ ଉର୍ଦ୍ଧ୍ବ ବର୍ଷ ହେଲା ସେ ଏଠାରେ ରହି ଆସୁଛନ୍ତି। ତାଙ୍କର ଚାରି ଝିଅ ଓ ଗୋଟିଏ ପୁଅ। କୁଲି ମଜୁରୀ କାମ କରି ଚାରି ଝିଅଙ୍କୁ କଷ୍ଟେ ମଷ୍ଟେ ବିବାହ ଦେବା ପରେ ସେ ସର୍ବସ୍ୱାନ୍ତ ହୋଇ ପଡିଲେ। ଝିଅ ମାନଂକ ବିବାହ ପାଇଁ କରିଥିବା ଧାର ଟଙ୍କା ଶୁଝିବା ପାଇଁ ସ୍ବାମୀ କୁମର ବରିହା (୮୦)ଙ୍କ ସହ ଆଗ ଅପେକ୍ଷା ଅଧିକ କୁଲି ମଜୁରୀ କରି ପରିଶ୍ରମ କରିବାକୁ ପଡିଲା। ପରିଣତ ବୟସରେ ଅଧିକ ପରିଶ୍ରମ କରିବା ଫଳରେ କୁମର ବରିହାଙ୍କୁ ପକ୍ଷାଘାତ ରୋଗ ଆକ୍ରମଣ କଲା। ଏବେ ସେ ଆଉ କିଛି କରି ପାରୁ ନାହାନ୍ତି। ପୁଅ ଯାଇଛି ତାମିଲନାଡୁକୁ ଦାଦନ ଖଟିବାକୁ ପାଇଁ। ସାଇବାନି ଏବେ ଏକା। ନା ସ୍ଥାୟୀ ଘର ଖଣ୍ଡିଏ ଅଛି, ନା ହାତରେ ପଇସା।ସ୍ବାମୀଙ୍କୁ ଛାଡି ସେ ମଜୁରୀ ପାଇଁ ବି କୁଆଡେ ଯାଇପାରୁ ନାହାନ୍ତି। କେବଳ ୧୦୦୦ ଟଙ୍କା ଭତ୍ତା ପଇସା ଓ ୩୫ କେଜି ଚାଉଳ ତାଙ୍କର ଏକମାତ୍ର ସାହାରା। ସ୍ବାମୀ କୁମର ବରିହାଙ୍କୁ ୮୦ ବର୍ଷ। ହେଲେ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବି ମିଳୁନି କି ଚାଉଳ ବି ମିଳୁନି। ଏତିକି ମାତ୍ର ସମ୍ବଳରେ ସାଇବlନି ସ୍ଵାମୀଙ୍କ ଔଷଧ, ଲୁଗାପଟା ସହ ପରିବାର ପାଇଁ ତେଲ ଲୁଣ କରୁଛନ୍ତି।

ଯେଉଁ ମାନେ ବହୁ ବର୍ଷ ଧରି ସରକାରୀ ଜାଗାରେ ଅସ୍ଥାୟୀ ଭାବରେ ରହୁଛନ୍ତି, ତାଙ୍କୁ ସରକାର ଜାଗା ମିଶନରେ ସାମିଲ କରି ଜମି ପଟ୍ଟା ପ୍ରଦାନ କରୁଛନ୍ତି। ମୋ କୁଡିଆ ଯୋଜନା, ଇନ୍ଦିରା ଆବାସ ଆଦି ଅନେକ ଯୋଜନାରେ ଘର ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ହେଲେ ସାଇବାନିଙ୍କ ପାଇଁ ତାହା ସପ୍ନ ହୋଇଛି। ଏଥିପାଇଁ ସେ ରାଜସ୍ବ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇ ସାରିଛନ୍ତି। ରାଜସ୍ବ ଅଧିକାରୀଙ୍କୁ ମଧ୍ୟ ଜଣାଇବାର ୪/୫ ମାସ ବିତି ଗଲାଣି, ଶେଷରେ ସେ ନିରାଶ ହୋଇ ପଡିଛନ୍ତି।

Comments are closed.