ପିପିଲି: ଦୀର୍ଘ ୧୨ ବର୍ଷ ଧରି ପେନସନକୁ ଅପେକ୍ଷା କରି କରି ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ ହେବା ଘଟଣାକୁ ଓଡିଶା ମାନବିକ ଅଧିକାର କମିଶନ ଅତି ଗୁରୁତର ସହ ନେଇଛନ୍ତି। ଘଟଣାର ତଦନ୍ତ କରି ଆଠ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ଲାଗି କମିଶନ ପଞ୍ଚାୟତିରାଜ ନିର୍ଦେଶକ ଓ ପୁରୀ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି।
ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ଜସୁଆପୂର ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବୈକୁଣ୍ଠ ବାରିକଙ୍କ ଗତ ୨୦୨୪ ମସିହା ଡିସେମ୍ବର ୧୯ ତାରିଖରେ ମୃତ୍ୟୁ ଘଟିଛି। ସେ ୨୦୧୨ରେ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ ତାଙ୍କର ପେନସନ ହୋଇପାରିନଥିଲା। ବୀରପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମରେ ବୈକୁଣ୍ଠଙ୍କ ଘର। ସ୍ଥାନୀୟ କଂଗ୍ରେସ ନେତା ଆଡଭୋକେଟ୍ ନିଶିକାନ୍ତ ମିଶ୍ର ମୃତକଙ୍କ ପରିବାରକୁ ଭେଟିବା ସହ ଏ ସମ୍ପର୍କରେ ପୁରୀ ଜିଲlପାଳଙ୍କ ସହ ଆଲୋଚନା କରିଥିଲେ। ତେବେ ପ୍ରଶାସନିକ ପ୍ରତିଶ୍ରୁତି ମୁତାବକ ତାଙ୍କର ପେନସନ ନ ହେବାରୁ ନିଶିକାନ୍ତ ଓଏଚଆରସିରେ ପିଟିସନ ଦାୟର କରିଥିଲେ। କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ଏସ. ପୂଜାହାରି ଏହାକୁ ଗୁରୁତର ସହ ଗ୍ରହଣ କରି ପଞ୍ଚାୟତିରାଜ ନିର୍ଦେଶକ ଓ ପୁରୀ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦେଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୨୧ ତାରିଖ ସୁଦ୍ଧା ଏ ସମ୍ପର୍କିତ ସମସ୍ତ ରିପୋର୍ଟ ଦାଖଲ କରିବାକୁ କମିଶନ କହିଛନ୍ତି।



