ଆଠଗଡ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆଠଗଡର ଶ୍ରୀ ରଘୁନାଥ ଜୀଉ ମନ୍ଦିରରେ ମଙ୍ଗଳବାର ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା। ଏକ ପବିତ୍ର ତଥା ଭକ୍ତିମୟ ପରିବେଶରେ ରଘୁନାଥ କୃପା ପରିଷଦ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁଙ୍କ ଦ୍ବାରା ସାମୁହିକ ହନୁମାନ ଚାଳିଶା ପାଠ ସମଗ୍ର ସହରରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ବିଶିଷ୍ଟ ହନୁମାନ ଚାଳିଶା ପାଠକ ପଣ୍ଡିତ ତ୍ରିବିକ୍ରମ ମିଶ୍ରଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ଏହି ୧୦୮ ହନୁମାନ ଚାଳିଶା ପାଠ ଅବସରରେ ଅଞ୍ଚଳର ଶହ ଶହ ଶ୍ରୀରାମ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀ ରଘୁନାଥଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ରଘୁନାଥ କୃପା ପରିଷଦ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏହି ଉପଲକ୍ଷେ ସନ୍ଧ୍ୟାରେ ରଘୁନାଥ ମନ୍ଦିର ନିକଟସ୍ଥ ଗୋପବନ୍ଧୁ ଛକଠାରେ ଭଜନ ସମାରୋହ ଆୟୋଜିତ ହୋଇଥିଲା। କୃପା ପରିଷଦ ଓ ରଘୁନାଥ ଜୀଉ ରାମଲୀଳା ସଂଘର ସଦସ୍ଯମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Popular Categories



