ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ସ୍ଥାପନ ହୋଇଥିବା ଉନ୍ନତ ଜ୍ଞାନକୌଶଳରେ ନିର୍ମିତ ପୋଷ୍ଟ ପ୍ରୋଡାକ୍ସନ୍ ଏଡିଟିଂ ଲ୍ୟାବକୁ ଆଜି ରାଜ୍ୟ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଶୁଭ ଉଦଘାଟନ କରିଛନ୍ତି। ବିଶ୍ବବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଏହାର ଶୁଭ ଉଦଘାଟନ କରିଛନ୍ତି। କୁଳପତି ଗୀତାଞ୍ଜଳି ଦାଶଙ୍କ ଉପସ୍ଥିତିରେ ଉଦଘାଟନି ଫଳକକୁ ମନ୍ତ୍ରୀ ଶ୍ରୀ ଜେନା ଉନ୍ମୋଚନ କରିଥିଲେ। ଏଥିରେ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ପ୍ରମୂଖ ଉପସ୍ଥିତ ଥିଲେ। ପୋଷ୍ଟ ପ୍ରୋଡକ୍ସନ୍ ଏଡିଟିଂ ଲ୍ୟାବ୍ ନିର୍ମାଣ ପରେ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ଅଧ୍ୟୟନରତ ବିଦ୍ୟାର୍ଥୀମାନେ ପ୍ରିଣ୍ଟ, ଭିଜୁଆଲ ଏବଂ ସାଉଣ୍ଡ ଏଡିଟିଂ ସଂପର୍କରେ ଉନ୍ନତ ତାଲିମ ପାଇପାରିବେ। ଷ୍ଟେଟ ଅଫ ଆର୍ଟ ଏଡିଟିଂ ଲ୍ୟାବ୍ ସ୍ଥାପନ ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ଥିତ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଆସୋସିଟଏଟ ପ୍ରଫେସର ଡକ୍ଟର ଜୟନ୍ତ କୁମାର ପଣ୍ଡା ଗତବର୍ଷ ଅକ୍ଟୋବର ମାସରେ କୁଳସଚିବଙ୍କ ଜରିଆରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଏକ ପ୍ରସ୍ତାବ ଦେଇଥିଲେ। ମାର୍ଚ୍ଚ ୨୦୨୪ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ପ୍ରସ୍ତାବକୁ ଅନୁମୋଦନ କରାଯିବା ସହ ଏଡିଟିଂ ଲ୍ୟାବ୍ ସ୍ଥାପନ ପାଇଁ ବିଶ୍ବବିଦ୍ୟାଳୟକୁ ଏକ କୋଟି ଦଶ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଆର୍ଥିକ ଅନୁଦାନ ମିଳିଥିଲା। ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ବିଶ୍ବବିଦ୍ୟାଳୟ ଓ ଲ୍ୟାବ ନର୍ମାଣକାରୀ ସଂସ୍ଥା ଡିଜିକମ୍ ଭିଜୁଆଲ ଟେକନଲୋଜି ପ୍ରାଇଭେଟ ଲିମିଟେଡ୍ (ଡିଭିପିଏଲ) ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଥିଲା। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗକୁ ୫୦ ବର୍ଷ ପୁରଣ ହୋଇଥିବା ବେଳେ ଏଡିଟିଂ ଲ୍ୟାବ ନିର୍ମାଣ ଫଳରେ ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଲ୍ୟାବ ପରେ ବିଭାଗରେ ଏକ ଉନ୍ନତମାନର ଟିଭି ଓ ରେଡିଓ ଷ୍ଟୁଡିଓ ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯିବ ବୋଲି କୁଳପତି କହିଛନ୍ତି।
Comments are closed.