ବିପଦ ସଙ୍କୁଳ କୋଠାରେ ଚାଲିଛି ସ୍କୁଲ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ରେଙ୍ଗାଲି ଗ୍ରାମପଞ୍ଚାୟତର ଜାମବାହାଲ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ବିପଦ ସଙ୍କୁଳ କୋଠରୀରେ ଚାଲିଛି। ଶ୍ରେଣୀ କୋଠରୀର ଛାତରୁ ସିମେଣ୍ଟ ଅତଡା ଖସି ଚଟାଣରେ ପଡୁଛି। ସିମେଣ୍ଟ ଅତଡା ଖସି ପଡୁଥିବାରୁ ଛାତରେ ଲାଗିଥିବା ଲୁହାଛଡ ଜଳଜଳ ହୋଇ ଦୃଶ୍ୟମାନ ହେଉଛି। କେବଳ ସେତିକି ନୁହେଁ କାନ୍ଥରୁ ମଧ୍ୟ ସିମେଣ୍ଟ ପ୍ଳାଷ୍ଟର ଖସି ଯାଇ ଇଟା ଦିଶୁଛି। ଝରକା ଉପର ଅଂଶ କାନ୍ଥ ଦବିଯାଇ ସିମେଣ୍ଟ ଖସୁଥିବା ଯୋଗୁଁ ଝରକା ଖୋଲାଯାଇ ପାରୁନାହିଁ। ୫ଟି ଶ୍ରେଣୀ ପାଇଁ ଥିବା ୪ଟି କୋଠରୀ ମଧ୍ୟରୁ ଗୋଟିଏ ଆଜବେଷ୍ଟସ କୋଠରୀକୁ ରୋଷେଇ ଘର ରୂପେ ବ୍ୟବହାର କରାଯାଉଛି। ଆଉ ଦୁଇଟି କୋଠରୀର ଛାତ ଉପରୁ ସିମେଣ୍ଟ ଅତଡା ଖସିପଡି ବିପଦ ସଙ୍କୁଳ ଅବସ୍ଥାରେ ଥିବା ସତ୍ତ୍ବେ ଗୋଟିଏ କୋଠରୀରେ ୩ଟି ଶ୍ରେଣୀର ପାଠ ପଢା ଏବଂ ଅନ୍ୟ କୋଠରୀରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ରଖି ଷ୍ଟୋର୍ ରୁମ୍ କରାଯାଇଛି। ବର୍ଷାଋତୁରେ ୫ଟି ଶ୍ରେଣୀର ଛାତ୍ର ଛାତ୍ରୀ ଗୋଟିଏ କୋଠରୀରେ ଅଭାବନୀୟ ଅବସ୍ଥାରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। ଏହି ଅବ୍ୟବସ୍ଥାର ପ୍ରତିକାର ପାଇଁ ସ୍କୁଲ ପରିଚାଳନା କମିଟୀ ପକ୍ଷରୁ ବିଇଓ ଏବଂ ବିଡିଓ ଙ୍କୁ ଦାବୀପତ୍ର ଦିଆଯାଇଥିଲା। ଏହା ପରେ ଜରାଜୀର୍ଣ୍ଣ କୋଠରୀର ମରାମତି ପାଇଁ ୩ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ବିଭାଗୀୟ ଯନ୍ତ୍ରୀ ସ୍କୁଲ କୋଠରୀର ଅବସ୍ଥା ନୀରିକ୍ଷଣ କରି ଜରାଜୀର୍ଣ୍ଣ କୋଠରୀ ଗୁଡିକ ମରାମତି ଯୋଗ୍ୟ ନୁହେଁ ବୋଲି ରିପୋର୍ଟ ଦେଇ ନୂତନ କୋଠା ନିର୍ମାଣ ପାଇଁ ସୁପାରିସ କରିଥିଲେ। କିନ୍ତୁ ବିଭାଗୀୟ ଯନ୍ତ୍ରୀଙ୍କ ସୁପାରିସ କାର୍ଯ୍ୟକାରୀ ହୋଇନାହିଁ। ଅପର ପକ୍ଷରେ ମରାମତି ପାଇଁ ମଞ୍ଜୁର ହୋଇଥିବା ୩ଲକ୍ଷ ଟଙ୍କାରେ ଛାତରୁ ପାଣି ଗଡୁଥିବା କୋଠରୀ ଉପରେ ବ୍ଳୁ ସିଟ୍ ଛାଉଣି କରିବାକୁ ପରିଚାଳନା କମିଟି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ମଧ୍ୟ କମିଟୀର ଅନୁରୋଧକୁ ଖାରଜ କରି ଦିଆଗଲା।

Comments are closed.