ଥାନାଧିକାରୀଙ୍କ ଦୁର୍ବ୍ୟବହାର, ଚାକିରିରୁ ଅବସର ପାଇଁ ଏସପିଙ୍କୁ ଫେରାଦ ହେଲେ ଏସଆଇ

ଜେନାପୁର: ଧର୍ମଶାଳା ଥାନା ଅଧିକାରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଥାନାର ଜଣେ ସବଇନିସପେକ୍ଟର ଚାକିରିରୁ ଅବସର ନେବା ପାଇଁ ଯାଜପୁର ଏସପିଙ୍କ ନିକଟକୁ ଲିଖିତ ଆବେଦନ କରିଥିବା ଜଣାପଡ଼ିଛି। ଧର୍ମଶାଳା ଥାନାର ପୁଲିସ ସବଇନିସପେକ୍ଟର ରାଧାନାଥ ଦାସ ତାଙ୍କ ଅବସର ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଧର୍ମଶାଳା ଥାନାରେ ଥିବା ଅଫିସରଙ୍କ ମଧ୍ୟରେ ସଠିକ ଭାବେ କାର୍ଯ୍ୟ ବଣ୍ଟନ କରାଯାଉନାହିଁ। ଅନ୍ୟମାନଙ୍କ ତୁଳନାରେ ତାଙ୍କୁ ଅଧିକ ମାମଲା ଦିଆଯାଉଛି। ତିନିରୁ ଅଧିକ ବଡଧରଣର ମାମଲା ତଦନ୍ତ ପାଇଁ ନିୟମ ରହିଥିବା ବେଳେ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ତାଙ୍କୁ ଅଧିକ ମାମଲା ତଦନ୍ତ କରିବାକୁ ଦେଉଛନ୍ତି। ଏହା ବ୍ୟତୀତ ସେ ତାଙ୍କ ମାଆ ଦେହ ଖରାପ ହୋଇଥିବାରୁ ଘରକୁ ଛୁଟିରେ ଯିବା ପାଇଁ ଥାନା ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସେ ଛୁଟି ଦେଉ ନଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ତାଙ୍କୁ ମାନସିକ ଚାପ ଦେଉଥିବାରୁ ସେ ଚାକିରିରୁ ଅବସର ନେବାକୁ ନିଷ୍ପତି ନେଇ ଆଜି ଯାଜପୁର ଏସପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ଏସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରୁ ଧର୍ମଶାଳା ଥାନା ଏକ ବଡ ଥାନା ହୋଇଥିବାରୁ ଏଠାରେ ଅଧିକ ମାମଲା ହୋଇଥାଏ। ଥାନାରେ କର୍ମଚାରୀ କମ ଥିବାରୁ ସିନିଅର ଅଫିସରଙ୍କୁ ଅଧିକ କେଶ ଦିଆଯାଇଥାଏ ବୋଲି ସେ କହିଛନ୍ତି।

Comments are closed.