ମହିଳାଙ୍କ ଗଳାକାଟି ହତ୍ୟା

ବାସୁଦେବପୁର: ଘରେ ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଗଳାକାଟି ହତ୍ୟା। ଏମିତି ଘଟଣା ବାସୁଦେବପୁର ଥାନା ଅଧିନ ଶୁକଦେବପୁର ଗ୍ରାମର ବୋଲି ଜାଣିବାକୁ ମିଳିଛି। ସୂଚନାରୁ ଜଣାପଡିଛି,ଶୁକଦେବପୁର ଗ୍ରାମର ରବିନ୍ଦ୍ର ବେହେରା ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ସ୍ତ୍ରୀ ସସ୍ମିତା ଓ ତେର ବର୍ଷର ଝିଅ ଗାଁରେ ରହି ଆସୁଥିଲେ। ଗୁରୁବାର ରାତିରେ ସସ୍ମିତା ଓ ତାର ଝିଅ ଶୋଇଥିବା ଅବସ୍ଥାରେ ପାଖାପାଖି ରାତି ୧ଟା ସମୟରେ ତଣ୍ଟି ପୋଡାଜଳା କରୁଥିବା କହି ଡାକିଥିଲେ। ଝିଅ ନିଦରୁ ଉଠି ଦେଖିବା ବେଳକୁ ବେକରୁ ରକ୍ତ ବୋହି ଚାଲିଥିଲା। ଏହି ସମୟରେ କେହିଜଣେ ଦୁବୃତ୍ତ ମୁହଁରେ ନାଲିଗାମୁଛା ଗୋଡେଇ ହୋଇ କବାଟ ଖୋଲି ବାହାରୁ ଚାଲିଯିବା ଝିଅ ଦେଖିବାକୁ ପାଇଥିଲା ବୋଲି ପୋଲିସ ଆଗରେ କହିଛି। ଝିଅର ଡାକ ଶୁଣି ପାଖ ପଡୋଶୀମାନେ ସସ୍ମିତାକୁ ସଙ୍ଗେ ସଙ୍ଗେ ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଆସିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଶୁକ୍ରବାର ସକାଳ ସମୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଥାନାଧିକାରିଣୀ ଲୋପାମୁଦ୍ରା ନାୟକ କହିଛନ୍ତି। ତେବେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରୁଛି।

Comments are closed.