ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍
କେନ୍ଦୁଝରଗଡ଼଼: ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତକୁ ଫାଷ୍ଟ ଟ୍ରାକ୍ କୋର୍ଟ କେନ୍ଦୁଝରର ବିଚାରପତି ଗୁରୁବାର ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ତେଲକୋଇ ଥାନା ଶିରିଆବାହାଳ ଗ୍ରାମର ଟୁକୁନା ମୁଣ୍ଡା (୨୨) ୨୫ ଫେବୃୟାରୀ ୨୦୨୨ ବିଳମ୍ବିତ ରାତିରେ ନିକଟସ୍ଥ ଜଣଙ୍କ ଘରେ ପଶି ସାନ ଭଉଣୀ ଓ ୩ ଜଣ ସାଙ୍ଗଙ୍କ ସହ ଶୋଇଥିବା ୧୩ବର୍ଷର ନାବାଳିକାର ପାଟିକୁ ବନ୍ଦ କରି ଦୁଷ୍କର୍ମ କରିଥିଲା। ଏହି ସମୟରେ ନାବାଳିକାର ପାଟି ଶୁଣି ପାଖରେ ଶୋଇଥିବା ସାନଭଉଣୀ ଓ ତା’ର ସାଙ୍ଗ ମାନେ ଆଲୁଅ ଜାଳି ଦେଖିବାରୁ ଦୁଷ୍କର୍ମକାରୀ ଟୁକୁନା ଟର୍ଚ୍ଚ ଓ ଚପଲ ଛାଡି ଦୌଡି ପଳାଇଥିଲା। ଏହା ଜାଣିବା ପରେ ପୀଡିତାର ସାଙ୍ଗ ମାନେ ଅନ୍ୟ ଏକ କୋଠରୀରେ ଶୋଇଥିବା ପୀଡିତାଙ୍କ ଭାଇଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରଦିନ ପୀଡିତାର ଭାଇ ଏ ସମ୍ପର୍କରେ ତେଲକୋଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଟୁକୁନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାରେ ମୋଟ ୩୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଫାଷ୍ଟ ଟ୍ରାକ୍ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତ ଟୁକୁନାକୁ ୨୦ବର୍ଷ ଜେଲ ଓ ୧୦ହଜାର ଟଙ୍କା ଏବଂ ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡ ଆଦେଶ କରିଛନ୍ତି। ଏଥିସହ ପୀଡିତାଙ୍କୁ କ୍ଷତିପୁରଣ ବାବଦ ୫ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ଆଦେଶ ହୋଇଛି। ପୀଡିତାଙ୍କ ପକ୍ଷରୁ ସ୍ପେଶାଲ ପି.ପି. ଜ୍ଞାନେନ୍ଦ୍ର ନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।
Comments are closed.