ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା – ମୁଖ୍ୟ ଆର୍କଷଣ ଥାଇଲାଣ୍ଡର ଲୋକ ନୃତ୍ୟ ଓ କେରଳର ବାଜା

ସମ୍ବଲପୁର: ପ୍ରାୟ ୪ ଶହ ବର୍ଷରୁ ଉର୍ଦ୍ଧ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ପାଇଁ ସହରର ବିଭିନ୍ନ ପୂଜା କମିଟୀ ମାନେ ଜୋରସୋରରେ ପ୍ରାକ ପ୍ରସ୍ତୁତି ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ଗତ ମାସ ୧୦ ତାରିଖରୁ ଆରମ୍ଭ କରି ସାରିଛନ୍ତି। ଏହି କ୍ରମରେ ସମ୍ବଲପୁରର ସର୍ବପୁରାତନ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ମଧ୍ୟ ପ୍ରସ୍ତୁତି ପର୍ବ ଏବେ ଶେଷ ପର୍ଯ୍ୟାୟରେ। ନନ୍ଦପଡ଼ା କମିଟି ପକ୍ଷରୁ ପଶ୍ଚିମ ଓଡ଼ିଶାର ସର୍ବବୃହତ ତଥା ଓଜନଦାର ରୂପା ମେଢ଼ ବଂ ବରାଡ ବାଲୁଙ୍କେଶ୍ୱର ଙ୍କ ନିମନ୍ତେ ପ୍ରାୟ ଦେଢ଼ କ୍ୟୁଣ୍ଟାଲ (୧୫୦ କିଗ୍ରା) ଓଜନର ନିର୍ମାଣ କରାଯାଇଥିବା ବେଳେ ଚଳିତ ବର୍ଷ ଏହି ରୂପା ମେଢ଼କୁ ନୁତନ ରୂପ ଦିଆଯାଉଛି। ଏଥି ସହ ମାତା ପାର୍ବତୀଙ୍କର ପାଇଁ ନୂତନ ସୁନାର ଅଳଙ୍କାର ଗୁଡିକୁ ନିର୍ମାଣ କରାଯାଇଛି ବୋଲି କମିଟି ସଭାପତି ଫଣି ଭୂଷଣ ମିଶ୍ର ସୂଚନା ଦେଇଛନ୍ତି। କମିଟି ପକ୍ଷରୁ ୧୧ ଫୁଟ ଚୌଡ ଓ ୧୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ରୂପା ମେଢ଼ କୁ ଚଳିତ ବର୍ଷ ନୂତନ ରୂପ ଦିଆଯାଇ ଦେବ ଦମ୍ପତ୍ତିଙ୍କ ନଗର ପରିକ୍ରମା ଯାତ୍ରାରେ ସାମିଲ କରାଯିବ। ବିଶାଳ ପରଭା ମଧ୍ୟରେ ବାବା ବାଲୁଙ୍କେଶ୍ୱର ଙ୍କ ଚଳନ୍ତି ପ୍ରତିମା ଶ୍ରୀ ଶ୍ରୀ ଚନ୍ଦ୍ରଶଖେର ବିରାଜମାନ ହୋଇ ମାତା ପାର୍ବତୀଙ୍କ ସହିତ ଜଗତକଲ୍ୟାଣ ନିମନ୍ତେ ନଗର ପରିକ୍ରମା କରି ଭକ୍ତଜନଙ୍କୁ ଯୁଗଳ ଦର୍ଶନ ଦେବେ। ଏହି ରୂପା ପରଭା କଟକର ଖ୍ୟାତନାମା କାରିଗର ପଙ୍କଜ ସାହୁ ଓ ସାଥି ମାନଙ୍କ ଦ୍ୱାରା ନିର୍ମାଣ କରାଯାଇଛି। ଏଥି ସହ ସ୍ଥାନୀୟ କାରିଗର ମାନଙ୍କ ଦ୍ୱାରା ଶୋଭାଯାତ୍ରାର ଅନ୍ୟତମ ଆକର୍ଷଣ ନୃସିଂହ ପରଭା (ମେଢ଼) କୁ ସୋଲ ଦ୍ୱାରା ନିର୍ମିାଣ କରାଯାଉଛି। ଏଥି ସହ ଚଳିତ ବର୍ଷ ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ମୁଖ୍ୟ ଶୋଭାଯାତ୍ରା ଆରମ୍ଭ ପୂର୍ବରୁ ହେଉଥିବା ମଙ୍ଗଳ ଆଳତୀକୁ ଭବ୍ୟ ଓ ନୂତନ ରୂପରେ କରିବାକୁ କମିଟି ନିଷ୍ପତ୍ତି ନେଇଛି ବୋଲି ସଭାପତି ଶ୍ରୀ ମିଶ୍ର କହିଛନ୍ତି।

ଏହି ଭବ୍ୟ ଧାର୍ମିକ ମହୋତ୍ସବ ପାଇଁ ପ୍ରାୟ ୪୦ ରୁ ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ବିଭିନ୍ନ ସୂତ୍ରରୁ ଆର୍ଥିକ ସହାୟତା ରାଶି ସଂଗ୍ରହ ଜାରି ରହିଛି। ସରକାରୀ ଅନୁଦାନର ପ୍ରତିଶୃତି ମିଳିଥିବା ବେଳେ ବିଗତ ବର୍ଷର ସରକାରୀ ଅନୁଦାନକୁ ଏବେ ମଧ୍ୟ ଅପେକ୍ଷା କରାଯାଉଛି। ନନ୍ଦପଡ଼ା ଯାତ୍ରା କମିଟୀର ଶୋଭାଯାତ୍ରାର ବିଶେଷତ୍ୱ ଅନୁଯାୟୀ, ଚଳିତ ବର୍ଷ ମଧ୍ୟ ନଗର ପରିକ୍ରମା ଶୋଭାଯାତ୍ରାର ଲମ୍ବ ପ୍ରାୟ ୨ କିମି ପର୍ଯ୍ୟନ୍ତ ରହିବ। ପ୍ରଥମ ଥର ପାଇଁ ଥାଇଲାଣ୍ଡର ଏକ ଲୋକ ନୃତ୍ୟ ଦଳକୁ ଏହି ଯାତ୍ରାରେ ସାମିଲ କରାଯିବା ପାଇଁ ଉଦ୍ୟମ ଜାରି ରହିଛି। ଏଣୁ ଚଳିତ ବର୍ଷ ଥାଇଲାଣ୍ଡର ଲୋକ ନୃତ୍ୟ ଓ କେରଳର ବାଜା ସହିତ ଘୋଡା ନୃତ୍ୟ ପ୍ରମୁଖ ଆକର୍ଷଣ ରହିବେ। ପୁର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଶୋଭାଯାତ୍ରାରେ ଲୁପ୍ତପ୍ରାୟ ଲୋକ ନୃତ୍ୟ ଓ ଆଦିବାସୀ ନୃତ୍ୟ ଇତ୍ୟାଦିକୁ ପ୍ରଧାନ୍ୟ ସହିତ ଆଧୁନିକତାର ର୍ସ୍ପଶ ଦିଆଯାଉଛି। ଚଳିତ ବର୍ଷ ପଶ୍ଚିମବଙ୍ଗ, ଆସାମ, ବାଙ୍ଗାଲୁରୁ, ରାୟପୁର, ମୁମ୍ବାଇ, ଭୁବନେଶ୍ୱର ସମେତ ଦେଶ ବିଭିନ୍ନ ଅଞ୍ଚଳରୁ ଆଧୁନିକ ଓ ଲୋକ ଗୀତର ଦଳ ଗୁଡିକ ସାମିଲ ହୋଇ ନୃତ୍ୟ ଓ ପ୍ରତିଭା ପ୍ରଦର୍ଶନ କରି ଭକ୍ତଙ୍କ ମନ ମୋହିବେ। ଏଥି ସହ ସମ୍ବଲପୁରୀ ଲୋକ କଳା ଓ ନୃତ୍ୟକୁ ପ୍ରାଧାନ୍ୟ ଦେଇ ଦୁଲଦୁଲି, କଳିଙ୍ଗୀ ନୃତ୍ୟ, ସମ୍ପ୍ରଦା, ଦଣ୍ଡ ନୃତ୍ୟ, ଶବର ନୃତ୍ୟ (ପୁରୁଷ ଓ ମହିଳା), ଅଘୋରୀ ନୃତ୍ୟ, ନାସିକର ଢ଼ୋଲ, କଳସ ନୃତ୍ୟ, କେରଳର ବାଜା ସହିତ ଘୋଡା ନୃତ୍ୟ, ଘଣ୍ଟ ଦଳ, ଆନ୍ଧ୍ର ପ୍ରଦେଶର ପରଭା ନୃତ୍ୟ, ପୁରୁଲିଆ ଛଉ ନୃତ୍ୟ, ବିଜୟୱାଡାର ବାଘ ନୃତ୍ୟ ସମେତ ଅନ୍ୟାନ୍ୟ ଲୋକ ନୃତ୍ୟ ଓ କଳାକାର ମାନଙ୍କୁ ମୁଖ୍ୟ ଶୋଭାଯାତ୍ରାରେ ସାମିଲ ହେବେ। ଏଥି ସହ ସାମାଜିକ ସଚେତନତା ଓ ଶିଶୁ ମାନଙ୍କର ମନୋରଞ୍ଜନ ନିମନ୍ତେ ସ୍ଥାନୀୟ ଓ କଟକର କଳାକାର ମାନଙ୍କ ଦ୍ୱାରା ୬ଟି ପ୍ରଜ୍ଞାପନ ମେଢ଼ ଯଥା କୁମ୍ଫୁ ପାଣ୍ଡା, ଅଯୋଧ୍ୟାର ରାମଲଲା, ବିଶ୍ୱର ଉଚ୍ଚତମ ବିଷ୍ଣୁ ଓ ଗରୁଡର ପ୍ରତିମା, ପ୍ରହଲ୍ଲାଦ ଓ ନରସିଂହ, ଶ୍ରୀ କୃଷ୍ଣଙ୍କ ନବ ଗୁଞ୍ଜର ବେଶ ଏବଂ ନନ୍ଦି ମହାରାଜ ମଧ୍ୟ ମୁଖ୍ୟ ଶୋଭାଯାତ୍ରାରେ ରହିବ। ରୂପା ମେଢ଼ ପାଇଁ ସ୍ୱତନ୍ତ୍ର ଡିଜିଟାଲ ଆଲୋକର ବ୍ୟବସ୍ଥା କରାଯାଇଥିବା ବେଳେ ନନ୍ଦପଡ଼ାରୁ ଏକ କିମି ପର୍ଯ୍ୟନ୍ତ ରାସ୍ତା କଡରେ ସ୍ୱତନ୍ତ୍ର ଆଲୋକ ସାଜସଜ୍ଜା କରାଯାଉଛି। ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ଜନଗହଳି ଅଞ୍ଚଳରେ ସ୍ୱତନ୍ତ୍ର ପାଣି ସିଞ୍ଚନ ଓ ଚନ୍ଦନ ଲଗାଯିବାର ବ୍ୟବସ୍ଥା କରାଯାଇଛି। ଶୋଭାଯାତ୍ରା ନନ୍ଦପଡ଼ାରୁ ବାହାରି ହାଟପଡ଼ା, ଦଲେଇପଡ଼ା, ମ୍ୟୁନିସିପାଲିଟି ଛକ, ଶକ୍ତି ସଂଘ ଛକ, ବୈଦ୍ୟନାଥ ଛକ, କଂସାରିପଡ଼ା, ମହାନ୍ତିପଡ଼ା ଦେଇ ପୁନଃ ନନ୍ଦପଡ଼ାକୁ ପ୍ରତ୍ୟାବର୍ତ୍ତନ କରିବେ। ଏଥି ସହ ଧାର୍ମିକ ମହୋତ୍ସବକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରକାରର ଆୟୋଜନ କରାଯାଉଛି ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି।

ଧାର୍ମିକ ମହୋତ୍ସବର ସୁଚୀ
୧୦.୦୫.୨୦୨୪ (ଶୁକ୍ରବାର) – ଥାଳ ଉଠା
୦୬.୦୬.୨୦୨୪ (ଗୁରୁବାର) – ପତ୍ରପେଣ୍ଡି (ନିର୍ବନ୍ଧ)
୦୭.୦୬.୨୦୨୪ (ଶୁକ୍ରବାର) – ଶ୍ରୀ ନୃସିଂହ ନିଉତା
୦୯.୦୬.୨୦୨୪ (ରବିବାର) – ଶ୍ରୀ ସାକ୍ଷୀଗୋପିନାଥ ଙ୍କ ଆଗମନ
୧୦.୦୬.୨୦୨୪ (ସୋମବାର) – ଶିବ ପାର୍ବତୀ ବିବାହ
୧୧.୦୬.୨୦୨୪ (ମଙ୍ଗଳବାର) – ଯୁଗଳ ଦର୍ଶନ ଶୋଭାଯାତ୍ରା ଓ ଶୀତଳ ଷଷ୍ଠୀ ନଗର ପରିକ୍ରମା
୧୨.୦୬.୨୦୨୪ (ବୁଧବାର) – ଶୀତଳ ଷଷ୍ଠୀ ନଗର ପରିକ୍ରମା ଓ ମନ୍ଦିର ପ୍ରବେଶ

ଯାତ୍ରାର ପଥ
ନନ୍ଦପଡ଼ାରୁ ଆରମ୍ଭ ହୋଇ ବଡ ସଡକରେ ହାଟପଡ଼ା, ମାରୱାଡିପଡ଼ା, ଦଲେଇପଡ଼ା, ମ୍ୟୁନିସିପାଲିଟୀ ଛକ ଦେଇ ଶକ୍ତି ସଂଘ ଛକରେ ସାନ ସଡକର ବୈଦ୍ୟନାଥ ଛକ, କଂସାରୀପଡ଼ା, ମହାନ୍ତିପଡ଼ା ଦେଇ ନନ୍ଦପଡ଼ାରେ ସମ୍ପନ୍ନ ହେବ।

ଯାତ୍ରା କମିଟି ସଦସ୍ୟ
ସଭାପତି – ଫଣି ଭୂଷଣ ମିଶ୍ର
ଉପ ସଭାପତି – ଆଶିଷ ବାବୁ ଓ ବିଷ୍ଣୂ ପ୍ରସାର ପାଢ଼ୀ
ସମ୍ପାଦକ – ପ୍ରଭୁଦତ୍ତ ପଣ୍ଡା
ଯୁଗ୍ମ ସମ୍ପାଦକ– ରାଜୀବ ଲୋଚନ ମାଝୀ
କୋଷାଧ୍ୟକ୍ଷ – ଭୁବନ ମୋହନ ମିଶ୍ର
ସହ କୋଷାଧ୍ୟକ୍ଷ – ଅବିନାଶ ମିଶ୍ର ଓ ସ୍ୱରୂପ ପାଢ଼ୀ
ଗଣମାଧ୍ୟମ ସଂଯୋଜକ – ବିରାଜ ମିଶ୍ର ଓ ସୁଶ୍ରୀତ ମିଶ୍ର

Comments are closed.