ଫୁଲବାଣୀ ନାରାୟଣୀ ଯାତ୍ରା, ଉଦଘାଟିତ ହେଲା ମିନା ବଜାର

ଫୁଲବାଣୀ: ପ୍ରତି ଦୁଇ ବର୍ଷ ଅନ୍ତରରେ ଫୁଲବାଣୀରେ ଅନୁଷ୍ଠିତ ହେଉଥିବା ନାରାୟଣୀ ଯାତ୍ରା ଅବସରରେ ଦିନକୁ ଦିନ ଯାତ୍ରା ପଡ଼ିଆରେ ଭକ୍ତଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିବା ବେଳେ ଆଜି ଯାତ୍ରା ଅବସରରେ ମିନା ବଜାର ଓ ବିଭିନ୍ନ ପ୍ରକାର ଦୋଳୀ ଉଦଘାଟିତ ହୋଇଯାଇଛି। ଶନିବାର ସଂନ୍ଧ୍ୟା ଆଳତି ପରେ ପଞ୍ଚଦେବୀ ପଞ୍ଚଠାକୁରାଣୀ ଗମ୍ଭିରାରୁ ବାହାରି ଗୋପାଳ ସାହି , ଉପର ନାରୟଣୀ ସାହି ଆଦି ଅଞ୍ଚଳ ନଗର ଭ୍ରମଣରେ ଯାଇ ଭୋଗ ଆଳତି ଗ୍ରହଣ କରିଥିଲେ। ଯାତ୍ରା ମଣ୍ଡପଠାରେ କୋମଲ ଗାନ୍ଧାର ସଙ୍ଗୀତ ଓ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିଭଳି ପଞ୍ଚାଦେବୀ ଶୁକ୍ରବାର ଜିଲାପାଳ, ଉପଜିଲାପାଳ ଓ କନ୍ଧମାଳ ଆରୀକ୍ଷୀ ଅଧିକ୍ଷକଙ୍କ ବାସଭବନ ସହିତ ବିଭିନ୍ନ ସାହି ଭ୍ରମଣରେ ଯାଇ ଭୋଗ ଆଳତି ଗ୍ରହଣ କରିଥିଲେ। ଏହି ଅବସରରେ ଯାତ୍ରା ପଡ଼ିଆ ଠାରେ ବ୍ରହ୍ମପୁରର କଳାକାର ମାନଙ୍କ ଦ୍ୱାରା ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କମିଟିର ସଭାପତି ପି.ସିଧାଂଶୁ ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମରେ ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ଓ ସମସ୍ତ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ମାନେ ପରିଚାଳନାରେ ସହଯୋଗ କରୁଥିବା ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍‌‌ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଛି।

Comments are closed.