ପିପିଲିରେ ଶାନ୍ତି ଶୃଙ୍ଖଳାର ସହ ସରିଲା ମତଦାନ
ପିପିଲି: ପିପିଲିରେ ଆଜି ସଂପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। କେତେକ ବୁଥ୍ରେ ଇଭିଏମ୍ରେ ତୃଟି ପରିଲକ୍ଷିତ ହୋଇଥିବା ବେଳେ ସେସବୁକୁ ଠିକ୍ କରାଯାଇ ସୁରୁଖୁରୁରେ ମତଦାନ କରାଯାଇଥିଲା। ଆଉ କେତେକ ବୁଥ୍ରେ ଇଭିଏମ୍ ପରିବର୍ତ୍ତନ କରାଯାଇ ମତଦାନ କରାଯାଇଥିଲା। ପିପିଲି ବ୍ଲକ ଓ ଏନ୍ଏସି ଅଞ୍ଚଳରେ ଥିବା ମୋଟ୍ ୧୫୫ଟି ମତଦାନ କେନ୍ଦ୍ର ମଧ୍ୟରୁ ସଂନ୍ଧ୍ୟା ୬ଟା ସୁଦ୍ଧା ୧୩୦ଟି ମତଦାନ କେନ୍ଦ୍ରରେ ଭୋଟିଂ ସରିଯାଇଥିବା ବେଳେ ୨୫ଟି ବୁଥ୍ରେ ମତଦାତାଙ୍କୁ ଚିରିକୁଟି ବଣ୍ଟାଯାଇ ମତଦାନ କରାଯାଇଥିଲା। ପୁଲିସର କଡା ସୁରକ୍ଷା ବଳୟ ମଧ୍ୟରେ ସମସ୍ତ ବୁଥ୍ରେ ସୁରୁଖୁରୁରେ ମତଦାନ ଶେଷ ହୋଇଥିଲା।
ପିପିଲି ବ୍ଲକର ୨୫ଟି ପଞ୍ଚାୟତ, ଡେଲାଙ୍ଗ ବ୍ଳକର ୨୧ଟି ପଞ୍ଚାୟତ ଓ ପିପିଲି ଏନ୍.ଏ.ସିର ୧୬ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ ହେଉଛି ସାଧାରଣବର୍ଗର ପ୍ରାର୍ଥିଙ୍କ ପାଇଁ ଉଦ୍ଦିଷ୍ଟ। ଚଳିତ ନିର୍ବାଚନରେ ଏହି ଆସନରେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ଜ୍ଞାନ ରଞ୍ଜନ ପଟ୍ଟନାୟକ, ବହୁଜନ ସମାଜ ପାର୍ଟି ରୁ ଅହେମ୍ମଦ ଖାଁ, ମାନସ ଲୋକଶକ୍ତି ଦଳରୁ ଆରତ ବେହେରା, ଏସ୍ୟୁସିଆଇ (କମ୍ୟୁନିଷ୍ଟ) ଦଳରୁ ଦୀନବନ୍ଧୁ ପରିଡ଼ା ଓ ସ୍ୱାଧୀନ ଭାବେ ଯୁଧିଷ୍ଠିର ସ୍ୱାଇଁ, ରାଧାମୋହନ, ଶୁଭ୍ରାଂଶୁ କୁମାର ମଲ୍ଲିକ ପ୍ରତିଦ୍ୱନ୍ଦିତା କରୁଛନ୍ତି। ନିର୍ବାଚନ ପରିଚାଳନା ପାଇଁ ପିପିଲି ବ୍ଲକ ଓ ଏନ୍ଏସିରେ ୨୩ଜଣ ସେକ୍ଟର ଅଫିସରଙ୍କୁ ନିୟୋଜିତ କରାଯାଇଥିଲା। ପିପିଲିରେ ୨୨ଟି ଆଦର୍ଶ ମତଦାନ କେନ୍ଦ୍ର ମଧ୍ୟରୁ ଦାଣ୍ଡମୁକୁନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ୨ଟି ସଖି ମତଦାନ କେନ୍ଦ୍ରକୁ ଚାନ୍ଦୁଆରେ ସଜ୍ଜିତ କରାଯାଇ ଆକର୍ଷଣୀୟ କରାଯାଇଥିଲା। ସେଠାରେ ପାନୀୟ ଜଳ, ଆଲୋକ, ପଙ୍ଖା, ପିଲାଙ୍କ ପାଇଁ ସ୍ୱତନ୍ତ୍ର ଖେଳ ଜୋନ୍, ସେଲ୍ଫି ପଏଣ୍ଟ ଓ ଚାନ୍ଦୁଆ ପ୍ରଦର୍ଶନ କେନ୍ଦ୍ର ଆଦି କରାଯାଇଥିଲା। ବିଶ୍ୱପ୍ରସିଦ୍ଧ ପିପିଲି ଚାନ୍ଦୁଆରେ ସଜ୍ଜିତ ଏହି ମତଦାନ କେନ୍ଦ୍ରକୁ ଦେଖିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଆଗ୍ରହ ପ୍ରକାଶ ପାଇଥିଲା। ଏହି ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା ପିପିଲି ଥାନା ଅଞ୍ଚଳରେ ୨୭ଟି, ଡେଲାଙ୍ଗ ଥାନା ଅଞ୍ଚଳରେ ୨୦ଟି ଓ ବଳଙ୍ଗା ଥାନା ଅଞ୍ଚଳର ୭ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
Comments are closed.