ନିିିିିିିିିିିିିିିିିିିର୍ବାଚନ ଲଢେଇ ପାଇଁ ରଣନୀତି ପ୍ରସ୍ତୁତ, ସୋମବାର ରଣେନ୍ଦ୍ରଙ୍କ ନାମାଙ୍କନ

ଆଠଗଡ଼: ଦେଶରେ ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଆଠଗଡ଼ରେ ୬ଷ୍ଠ ପର୍ଯ୍ୟାୟରେ ଆସନ୍ତା ମେ ୨୫ତାରିଖରେ ଲୋକସଭା ସହିତ ଓଡ଼ିଶା ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ। ଆଠଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ଶାସକ ବିଜେଡି ସହିତ ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ସରିଛି। ବିଜେଡିରୁ ଏଥର ଅଷ୍ଟମ ଥର ପାଇଁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ଅଭିଜ୍ଞ ତଥା ଅପରାଜେୟ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କର ପ୍ରାର୍ଥୀତ୍ୱ ଘୋଷଣା ହେବା ପରଠାରୁ ଲଢେଇ ପାଇଁ ରଣନୀତି ପ୍ରସ୍ତୁତ କରିଚାଲିଛନ୍ତି। ଦଳର ସମସ୍ତ ଛାମୁଁଆ ସଂଗଠନ ଯଥା ଛାତ୍ର ଓ ଯୁବ ବିଜେଡି ଏବଂ ମହିଳା ବିଜେଡି ସମେତ କୃଷକ ବିଜେଡି ଓ ଅନ୍ୟାନ୍ୟ ସଂଗଠନ ଗୁଡିକର ଲଗାତାର ବୈଠକ କରି ଶ୍ରୀ ସ୍ୱାଇଁ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି କରିସାରିଛନ୍ତି।

ତେବେ ପ୍ରମୁଖ ବିରୋଧି ବିଜେଡି ଓ କଂଗ୍ରେସ ଏ କ୍ଷେତ୍ରରେ ବହୁ ପଛରେ ପଡ଼ିଥିବା ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ଅଭୟ କୁମାର ବାରିକଙ୍କୁ ଦଳୀୟ ଟିକେଟ ମିଳିବା ଘୋଷଣା ହେବା ପରଠାରୁ ଦଳର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ଏବଂ ଗତ ନିର୍ବାଚନରେ ଏଠାରେ ଦଳୀୟ ପ୍ରାର୍ଥୀ ହୋଇଥିବା ବ୍ରଜେନ୍ଦ୍ର କୁମାର ରାୟଙ୍କର ବହୁ ସମର୍ଥକ ଏବେବି ଅଭୟଙ୍କ ପ୍ରାର୍ଥୀତ୍ୱକୁ ଗ୍ରହଣ କରିପାରୁନାହାଁନ୍ତି। ସେଥିପାଇଁ ଦଳର ଛାମୁଁଆ ସଂଗଠନଗୁଡିକୁ ନେଇ ରଣନୀତି ପ୍ରସ୍ତୁତିରେ ବିଜେପି ଦଳର ପ୍ରାର୍ଥୀ ପଛରେ ରହିଯାଇଛନ୍ତି।

ସେହିପରି କଂଗ୍ରେସ ବହୁ ବିଳମ୍ବରେ ମାତ୍ର ୭ଦିନ ପୂର୍ବରୁ ଏଠାରେ ଦଳୀୟ ପ୍ରାର୍ଥୀ ଭାବେ ତିଗିରିଆର ବରିଷ୍ଠ ତଥା ଲୋକପ୍ରିୟ ନେତା ମେହବୁବ ଅହମ୍ମଦ ଖାଁଙ୍କୁ ଦଳର ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ସେ ବି ନିର୍ବାଚନ ଲଢିବେ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଥିଲେ। ତେବେ ଦଳୀୟ ନେତା ଓ ଆଗଧାଡିର କର୍ମୀଙ୍କ ସହ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ସେ ପ୍ରତିଦ୍ୱନ୍ଦିତା କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆଗାମୀ ୨୯ତାରିଖ ସୋମବାର ୬ଷ୍ଠ ପର୍ଯ୍ୟାୟ ଅର୍ଥାତ ଆଠଗଡ଼ ଓ ବଡମ୍ବା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

ସେହି ଦିନଠାରୁ ମେ ୬ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ, ୭ତାରିଖରେ ଯାଞ୍ଚ, ୮ ଓ ୯ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ସେହି ମେ ୯ତାରିଖ ଅପରାହ୍ନ ୫ଟାରେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ବିଜ୍ଞପ୍ତି ଜାରି ହେବାର ପ୍ରଥମ ଦିନରେ ଅର୍ଥାତ ସୋମବାର ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବାକୁ ଥିବାବେଳେ ଏଥିପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରାୟ ୩୦ହଜାର ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଆସି ରଣେନ୍ଦ୍ର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଦଳୀୟ ସୁତ୍ରରୁ ପ୍ରକାଶ। ସେହିପରି ମଙ୍ଗଳବାର ବଡମ୍ବା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ଆଠଗଡ଼ର ବିଜେପି ପ୍ରାର୍ଥୀ ଅଭୟ କୁମାର ବାରିକ ଆସନ୍ତା ମେ ୩ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବାର ସମ୍ଭାବନା ଥିବା ଜଣାପଡ଼ିଛି।

Comments are closed.