ସମ୍ବଲପୁର: ସାଧାରଣ ନିର୍ବାଚନର ତାତି ବୃଦ୍ଧି ପାଇବା ସହିତ ନେତା ମାନଙ୍କର ଆରୋପ ପ୍ରତ୍ୟାରୋପ ମଧ୍ୟ ଦିନକୁ ଦିନ ତୀକ୍ଷ୍ଣ ହେବାରେ ଲାଗିଛି। ଓଡ଼ିଶାର ସବୁଠାରୁ ହଟ ସିଟ ରୂପେ ବିବେଚିତ ସମ୍ବଲପୁର ଆସନ ପାଇଁ ଏବେ ବିଜେପି ଓ ବିଜେଡି ନେତା ମାନେ ପରସ୍ପରକୁ ବିଭିନ୍ନ ପ୍ରସଙ୍ଗରେ ତୀକ୍ଷ୍ଣ ଆକ୍ରମଣ କରଛୁନ୍ତି। ଏହି କ୍ରମରେ ଶନିବାର ବିଜେଡି ନେତା ମାନଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ ପରେ ଏହାକୁ ନେଇ ବରିଷ୍ଠ ବିଜେପି ନେତା ଡ. ପ୍ରମୋଦ ରଥ ସମ୍ବଲପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଦେବଗଡ଼ରେ ଏକ ଜନସଭାରେ ବିଜେଡି ଦଳର ଜଣେ ଆମଦାନୀ ନେତା ଉମାଶଙ୍କର ସାହୁ ଯେଭଳି ଭାବରେ ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ମିଛ ପ୍ରଚାର କରିବାରେ ଧୁରନ୍ଧର ବିଜେଡି ନେତା ମାନେ ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ନ ଥାଇ ଖାଲି ଭାଷରେ ମିଛ କହୁଛନ୍ତି। ରାଜ୍ୟ ସରକାର ଜାଗା ଦେବା ପରେ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ରେ କେନ୍ଦ୍ରୀ ବିଦ୍ୟାଳୟ କରି ନ ଥିବା କଥା ସମ୍ପୁର୍ଣ୍ଣ ମିଛ ଓ ଭିତ୍ତିହୀନ। ବିଜେଡିର ମିଛ ଧରାପଡ଼ି ଯାଉଥିବାରୁ ସେମାନେ ମିଛରେ କୁମ୍ଭୀର କାନ୍ଦଣା କରୁଛନ୍ତି ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆରୋପ ଲଗାଉଛନ୍ତି। ବିଜେଡି ଦଳର କ୍ରିତଦାସ ମଣ୍ଡଳୀ ବିଗତ କିଛି ମାସ ହେବ ଗେଟ ଜଗିବା, ତମ୍ବୁ ଟାଣିବା ଓ ଟ୍ରାଫିକ ଦାୟିତ୍ୱରେ ବ୍ୟସ୍ତ ଥିବାରୁ ଜିଲାରେ ହେଉଥିବା ଭିତ୍ତିଭୂମି ବିକାଶ କାମ ଦେଖିବାକୁ ସମୟ ପାଇ ନାହାନ୍ତି। ଶ୍ରୀ ପ୍ରଧାନ ଜାନୁଆରୀ ୧୩ ତାରିଖରେ ଦେବଗଡ଼ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପାଇଁ ୩୨ କୋଟି ଟଙ୍କାର ବ୍ୟୟରେ କାର୍ଯ୍ୟାରମ୍ଭ କରିଛନ୍ତି। ତାଙ୍କର ପ୍ରଚେଷ୍ଟାରେ ବିଗତ ୩ ବର୍ଷ ମଧ୍ୟରେ ଓଡ଼ିଶାରେ ୮ଟି ନୂତନ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଖୋଲିଛି। ଏଥିରୁ ୪ଟି ନୁଆ କେନ୍ଦ୍ରୀୟ ବିଦ୍ୟାଳୟ ଯଥା କେଭି ଆଇଆଇଟି, ଭୁବନେଶ୍ୱର, କେଭି ଏମସିଏଲ ସୁଭଦ୍ରା ଓ କେଭି ଏନଆଇଟି ରାଉରକେଲାର ଶୁଭାରମ୍ଭ ହୋଇଛି। ସେହିପରି କେଭିର ୪ଟି ନୂତନ କୋଠା ଆସିକା, ସୋନପୁର, ମୁଣ୍ଡଳି ଓ ଅନୁଗୁଳ କେଭି – ୨ ମଧ୍ୟ ଉଦଘାଟିତ ହୋଇଯାଇଛି। ଏଥି ସହ ଆହୁରୀ ୧୩ଟି ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟର କାର୍ଯ୍ୟ ଆରମ୍ଭ ହୋଇ ସାରିଛି।
ଆଜି ଦେବଗଡ଼ରେ ରେଳ ଲାଇନ ଆସିବାର ସ୍ୱପ୍ନକୁ ପୂରଣ କରିବାରେ ଶ୍ରୀ ପ୍ରଧାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଜେଡିର କଣ୍ଟା ୫୫ ଜାତୀୟ ରାଜପଥରେ ଅଟକି ଯାଇଥିବା ବେଳେ ଏହି ଜାତୀୟ ରାଜପଥର କାର୍ଯ୍ୟ ୯୦ ପ୍ରତିଶତରୁ ଅଧିକ ସମ୍ପୁର୍ଣ୍ଣ ହୋଇ ସାରିଛି। ବାକିତକ କାର୍ଯ୍ୟ ରାଜ୍ୟ ସରକାରଙ୍କ ଅପରାଗତା ପାଇଁ ଅଟକି ରହିଛି। ଜମି ଅଧିଗ୍ରହଣରେ ରାଜସ୍ୱ ବିଭାଗର ଅନୁମତି ପାଇଁ ଜଙ୍ଗଲ ଓ ରାଜସ୍ୱ ବିଭାଗର ମନ୍ଥରତା ପାଇଁ ଏହି କାର୍ଯ୍ୟ ବିଳମ୍ବ ହେଉଛି। ନିଜର ଅପାରଗତାକୁ ଲୁଚାଇବା ପାଇଁ ବିଜେଡି ନେତା ମାନେ ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟୀ କରୁଥିବା ବେଳେ ଛତିଶଗଡ଼ ରାଜ୍ୟର ବିକାଶ ପାଇଁ ପିପିପି ମୋଡରେ ଅନେକ ଛୋଟ ବଡ ବ୍ୟାରେଜ ନିର୍ମାଣ କରି ଜଳର ସତବ୍ୟବହାର କରୁଛନ୍ତି। କିନ୍ତୁ ରାଜ୍ୟରେ ଦୀର୍ଘ ୨୫ ବର୍ଷ କାଳ ଶାସନ ପରେ ମଧ୍ୟ ସରକାର ଛୋଟିଆ ବ୍ୟାରେଜ ଟିଏ ମଧ୍ୟ ତିଆରି କରି ନ ପାରିଥିବାରୁ ହୀରାକୁଦରୁ ସଂରକ୍ଷିତ ଜଳ ବାହାରି ସିଧା ସଳଖ ଯାଇ ସମୁଦ୍ରରେ ମିଶୁଛି ବୋଲି ଡ. ରଥ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସଂଯୋଜକ ମାନସ ବକ୍ସୀ, ମୁକେଶ ଜରିୱାଲଙ୍କ ସମେତ ଅନ୍ୟ ଦଳୀୟ କର୍ମୀ ମାନେ ଉପସ୍ଥିତ ରହିଥିଲେ।



