ଖରାବେଳେ ଓ ରାତିରେ ଶୌଚାଳୟ ଖୋଲିବା ଅପେକ୍ଷାରେ ପର୍ଯ୍ୟଟକ
ଗୋପାଳପୁର: ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଅନେକେ ବ୍ୟବସ୍ଥା ସ୍ଥାନୀୟ ପ୍ରଶାସନ ପକ୍ଷରୁ କରାଯାଉଥିଲେ ମଧ୍ୟ ସେଗୁଡିକର ସଠିକ ପରିଚାଳନା ହେଉ ନଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବେଳାଭୂମି ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ନିମନ୍ତେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୪ଟି ଶୌଚାଳୟ ର ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହା ମଧ୍ୟରୁ କେବଳ ୩ଟି ଶୌଚାଳୟ ଖୋଲା ରହୁଥିବା ବେଳେ ଅନ୍ୟଟି ନିର୍ମାଣ ପରଠାରୁ ତାଲା ପଡି ରହିଥିବା ଦେଖିବାକୁ ମିଳିଛି। ଖୋଲା ଯାଉଥିବା ୩ଟି ଶୌଚାଳୟ ଖରାବେଳେ ଓ ରାତ୍ରି ସମୟରେ ତାଲା ପଡି ଯାଉଥିବାରୁ ପର୍ଯ୍ୟଟକ ମାନେ ବିଶେଷ କରି ମହିଳା ମାନେ ନାନା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। ବନ୍ଦ ରହିଥିବା ଶୌଚାଳୟଟିକୁ ଗତ ୨୦୨୧ରେ ଦିବ୍ୟାଙ୍ଗଙ୍କ ନିମନ୍ତେ ନିର୍ମାଣ କରାଯାଇଥିଲା। କିନ୍ତୁ ନିର୍ମାଣ ପରଠାରୁ ଏଥିରେ ତାଲା ଝୁଲୁଥିବା ବେଳେ ସେଠାରେ ଲାଗିଥିବା ଅନେକ ସାମଗ୍ରୀ ଚୋରି ହୋଇଯାଇଥିବା ଦେଖିବାକୁ ମିଳିଛି। ବସଷ୍ଟାଣ୍ଡ ଠାରେ ଥିବା ଶୌଚାଳୟ ସମେତ ବେଳାଭୂମି ଓ ବିଜୁ ପଟ୍ଟନାୟକ ପାର୍କ ଠାରେ ଥିବା ଶୌଚାଳୟକୁ ସକାଳ ୬ରୁ ୧୧ଟା ପର୍ଯ୍ୟନ୍ତ ଓ ଅପରାହ୍ନ ସାଢେ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ଯାଉଛି। ଏହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପୌରାଞ୍ଚଳ ଥିବା ଶୌଚାଳୟକୁ ଦେୟମୁକ୍ତ ଶୌଚାଳୟ ଭାବେ ଘୋଷଣା କରାଯାଇଥିବା ସତ୍ୱେ ଏଠାରେ କିନ୍ତୁ ଶୌଚାଳୟ ବ୍ୟବହାରକାରୀଙ୍କ ଠାରୁ ବେଆଇନ ଭାବେ ୧୦ ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ଶୌଚାଳୟ ବ୍ୟବହାର କରୁଥିବା ପର୍ଯ୍ୟଟକ ମାନେ ଅଭିଯୋଗ କରିଛନ୍ତି। ବିଶେଷ କରି ଦିନ ୧୧ଟାରୁ ଅପରାହ୍ନ ସାଢେ ୩ ଓ ରାତି ୮ଟା ପରେ ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଶୌଚ ହେବାରେ ଅସୁବିଧା ହେଉଥିବା ବେଳେ ବାଧ୍ୟ ହୋଇ ବେଳାଭୂମିକୁ ମୁକ୍ତ ଶୌଚାଳୟ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।
Comments are closed.