ଗ୍ରୀଷ୍ମରେ ଜଳ କଷ୍ଟ ଦୂର କରିବା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଆରମ୍ଭ

ସମ୍ବଲପୁର: ଚଳିତ ବର୍ଷ ଗ୍ରୀଷ୍ମ ତାପ ବେଶ ବୃଦ୍ଧି ପାଉଥିବାରୁ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜଳ କଷ୍ଟରୁ ଜନତାଙ୍କୁ ରକ୍ଷା କରିବା ପାଇଁ ନିଗମ କତ୍ତୃପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦିଆଯାଇଛି। ମହାନଗର ନିଗମ କମିଶନର ବେଦଭୂଷଣ ଦେଇଥିବା ସୂଚନାନୁଯାୟୀ, ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ନିଗମ କାର୍ଯ୍ୟାଳୟ ଠାରେ ଜଳ ସଙ୍କଟକୁ ଦୂର କରିବା ଏବଂ ସଠିକ ଭାବରେ ପାନୀୟ ଜଳ ଜନତାଙ୍କୁ ଯୋଗାଇ ଦେବା ପାଇଁ ୱାଟକୋ (ସମ୍ବଲପୁର) ଓ ଜଳସାଥୀ ମାନଙ୍କ ସହିତ ଏକ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଜଳ ସଙ୍କଟ ଦୂର ପାଇଁ ବିସ୍ତୃତ ଆଲୋଚନା ପରେ ପ୍ରତି ୱାର୍ଡ ଅନୁଯାୟୀ ଅଭିଯୋଗ ସମାଧାନ ବ୍ୟବସ୍ଥା, ମନିଟରିଂ ଓ ଜଳ ଆବଶ୍ୟକତାକୁ ପୂରଣ ପାଇଁ ବ୍ୟବସ୍ଥା ଚାଲୁ କରିବାର ନିଷ୍ପତ୍ତି ନିଆଯାଇଛି। ଏହି ବ୍ୟବସ୍ଥା ମଧ୍ୟରେ ଜଳସାଥୀ ମାନେ ଜଳ ସଙ୍କଟ ଦୂର କରିବା ପାଇଁ ତୁରନ୍ତ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବା ସହିତ ଜନତାଙ୍କୁ ଯେଭଳି କମ ଅସୁବିଧା ହେବ ଏବଂ କୌଣସି ଅଞ୍ଚଳରେ ଅସୁବିଧା ହେଲେ ତାକୁ ୨୪ ଘଣ୍ଟା ମଧ୍ୟରେ ସମାଧାନ ପାଇଁ ପଦକ୍ଷେପ ନେବେ। ଜଳ ସାଥୀ ମାନେ ଜଳ ସଙ୍କଟ ଥିବା ଅଞ୍ଚଳ ଗୁଡିକୁ ପାଣି ଟ୍ୟାଙ୍କର ଠିକ ଭାବରେ ପହୁଛି କି ନାହିଁ ତାହା ମନିଟରିଂ କରିବେ। ଜଳ ସାଥୀ ଓ ନିୟନ୍ତ୍ରଣ କକ୍ଷର ସହାୟତା ନଂ ଗୁଡିକ ୨୪ ଘଣ୍ଟା ଜନତାଙ୍କ ସୁବିଧା ପାଇଁ ଖୋଲା ରହିବ ଏବଂ ସେମାନେ ନିୟମିତ ନିଜର ରିପୋର୍ଟ କତ୍ତୃପକ୍ଷଙ୍କୁ ପ୍ରଦାନ କରିବେ। ବୈଠକ ପରେ ଜନତାଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସହାୟତା ନଂ ୯୦୭୮୯୩୫୧୨୩ ସମେତ ୪୧ଟି ୱାର୍ଡ ପାଇଁ ସମୁଦାୟ ୩୨ ଜଣ ଜଳସାଥୀଙ୍କ ଫୋନ ନମ୍ବର ଏବଂ ୱାଟକୋ ର ଅଧିକାରୀ ମାନଙ୍କ ଫୋନ ନମ୍ବର ଜାରି କରାଯାଇଛି। ଜନତା ସେମାନଙ୍କର ଜଳ ସମ୍ପର୍କିତ ଅସୁବିଧା ପାଇଁ ସହାୟତା ନମ୍ବର ଗୁଡିକ ସହିତ ଯୋଗାଯୋଗ କରିପାରିବେ। ସମସ୍ତଙ୍କୁ ମିଳିମିଶି ଜଳ ସଙ୍କଟକୁ ଦୂର କରିବା ପାଇଁ ନିଗମ କମିଶନର ଆହ୍ୱାନ ଦେଇଛନ୍ତି।

Comments are closed.