ଦୂଷିତ ପାଣି ମଧ୍ୟରେ ଜଳ ଯୋଗାଣ, ଜଣ୍ଡିସ ବ୍ୟାପିବା ଆଶଙ୍କା

ସମ୍ବଲପୁର: ସମ୍ବଲପୁରରେ ୨୦୧୪ ମସିହାର ଜଣ୍ଡିସର ତାଣ୍ଡବଲୀଳା ବିଭିଷିକା ଆଜି ମଧ୍ୟ ସହରବାସୀଙ୍କ ମନରେ ଜୀବନ୍ତ ରହିଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗର ଅବହେଳା ପୁଣି ଜଣ୍ଡିସକୁ ଆମନ୍ତ୍ରଣ କରୁଛି। ଜନତାଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ଗୁଡିକୁ ବିଶୁଦ୍ଧ ଜଳ ଯୋଗାଣ ନାମରେ ହରିଲୁଟ କରାଯାଇ ସଠିକ ବିନିଯୋଗ କରାଯାଉ ନ ଥିବାରୁ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବ୍ୟାପକ ଜଳ ଅପଚୟ ସମେତ ଆବର୍ଜନା ଓ ଦୂଷିତ ଜଳ ପାଣି ପାଇପ ଗୁଡିକରେ ମିଶୁଥିବାର ଅନେକ ସ୍ଥାନରେ ଦେଖାଯାଉଛି। ଏଭଳି ଏକ ଘଟଣାରେ ରବିବାର ସକାଳୁ ଅଚାନକ ଅଇଁଠାପାଲି ଛକ ନିକଟସ୍ଥ ପିଏଚଡି ପଡ଼ିଆ ଠାରେ ପାଇପରୁ ଜଳ ଲିକେଜ ହୋଇ ସାରା ପଡ଼ିଆ ଜଳାର୍ଣ୍ଣବ ହୋଇ ଯାଇଥିଲା। ଏବେ ସମ୍ବଲପୁର ସମେତ ସାରା ରାଜ୍ୟରେ ଗ୍ରୀଷ୍ମତାପ ବୃଦ୍ଧି ଯୋଗୁଁ ଜଳର ଆବଶ୍ୟକତା ବୃଦ୍ଧି ପାଇବା ଏବଂ ସହରର ଅନେକ ସ୍ଥାନରେ ଜଳ ସଙ୍କଟ ଦେଖାଯାଉଥିବା ବେଳେ କିନ୍ତୁ ଜନସ୍ୱାସ୍ଥ୍ୟ ବିଭାଗର ସମ୍ବେଦନହୀନ ଅଧିକାରୀ ଓ କର୍ମଚାରୀ ମାନଙ୍କର ଦାୟିତ୍ୱହୀନତା ପାଇଁ ଲକ୍ଷାଧିକ ଲିଟର ପାନୀୟ ଜଳ ନଷ୍ଟ ହୋଇ ବହି ଯାଇଛି। ଏଥି ଏହି ଅଞ୍ଚଳରେ ଜଳ ଯୋଗାଣ ନିମନ୍ତେ ଥିବା ଭୂତଳ ଚାବି (ସକେଟ) ଗୁଡିକ ନିକଟରେ ଆବର୍ଜନା ଭରି ରହିଥିବାରୁ ଦୂଷିତ ଜଳ ଗୁଡିକ ପାଇପ ମଧ୍ୟକୁ ପ୍ରବେଶ କରୁଛି। ସହରର ଅନେକ ସ୍ଥାନରେ ଏଭଳି ଅବସ୍ଥା ରହିଥିବା ବେଳେ କିନ୍ତୁ ଜନସ୍ୱାସ୍ଥ୍ୟ ବିଭାଗ ଏ ପର୍ଯ୍ୟନ୍ତ ଚେତୁ ନାହିଁ।

ଜନତାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗତ ୨ ତାରିଖରେ ସମ୍ବଲପୁର ବିଚାର ମଞ୍ଚ ପକ୍ଷରୁ ଜନତାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଦାବି କରାଯାଇଥିଲା। ସହରର ସିଂହଭାଗ ପାନୀୟ ଜଳ ପାଇପ ନାଳ ମଧ୍ୟ ଦେଇ ଯାଇଥିବାରୁ ଉକ୍ତ ଫଟା ଦଦରା ପାଇପ ଯୋଗେ ନାଳର ମଇଳା ପାଣି ପାନୀୟ ଜଳ ସହିତ ମିଶି ଲୋକଙ୍କ ନିକଟରୁ ଯାଉଛି। ଲୋକେ ଏହି ଦୂଷିତ ଜଳକୁ ବ୍ୟବହାର କରି ଜଣ୍ଡିସ ଓ ଅନ୍ୟାନ୍ୟ ଜଳ ଜନିତ ରୋଗର ଶିକାର ନିୟମିତ ହୋଇ ଆସୁଛନ୍ତି। ବାରମ୍ବାର ବିଶୁଦ୍ଧ ଜଳ ଯୋଗାଣ ଦାବୀ ଏବଂ ହୀରାକୁଦ ସମେତ ମୈତ୍ରି ନଗର, ମାତୃ ବିହାର, ଶକ୍ତି ନଗର, ଚେରୁଆପଡ଼ା, ମୁଦିପଡ଼ା ଆଦି ଅଞ୍ଚଳରେ ଅସ୍ୱାଭାବିକ ଭାବରେ ଲୋକେ ରୋଗାକ୍ରାନ୍ତ ହେଉଥିବା ବେଳେ ଏଭଳି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଦୋଷୀ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବା ଉଚିତ ବୋଲି ବିଚାର ମଞ୍ଚର ଆବାହକ ବେଣୁଧର ଦାଶ ଓ ଅମୂଲ୍ୟ ମିଶ୍ର ଦାବି କରିଛନ୍ତି।

ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ଅଧିକାରୀ ଗୁଲଶନ ସାହୁ କହିଛନ୍ତି ଯେ, ପାଣି ପ୍ରେସର ଯୋଗୁଁ ଅଇଁଠାପାଲି ପଡ଼ିଆ ନିକଟରେ ଥିବା ସକେଟଟି ଫାଟି ଯାଇ ପାଣି ଲିକେଜ ହୋଇଥିଲା। ପାଣି ଲିକେଜ ଜଣା ପଡ଼ିବା ପରେ ଆମର ସ୍ୱତନ୍ତ୍ର ଦଳ ଯାଇ ତାକୁ ମରାମତି କରିଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।

ଅପରପକ୍ଷରେ ସହରରେ ୨୦୧୪ ମସିହାରେ ଜଣ୍ଡିସର କରାଳ ରୂପ ସମ୍ବଲପୁରବାସୀ ଦେଖିବା ପରେ ସରକାର ସହରରେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ଭୂତଳ ପାଣି ପାଇପ ଗୁଡିକୁ ବଦଳାଇ ନୂତନ ପାଇପ ବିଛାଇବା ପାଇଁ ଶହ ଶହ କୋଟି ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଏହି କାମରେ ବ୍ୟାପକ ଦୁର୍ନିତୀ ହୋଇଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ପ୍ରତି ବର୍ଷ ଜଣ୍ଡିସ ରୋଗୀ ସହରରେ ଦେଖାଯାଉଥିବା ଘଟଣା ଏହାର ସତ୍ୟତାକୁ ପୃଷ୍ଟି କରୁଛି ବୋଲି ସହରବାସୀ କହୁଛନ୍ତି। ଏଣୁ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବିଛା ଯାଇଥିବା ପାଣି ପାଇପର ଦୁର୍ନିତୀର ପର୍ଦ୍ଦାଫାଶ କରିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ସହରବାସୀ ଦାବୀ କରୁଛନ୍ତି। ଏହା ସହିତ ସହର ମଧ୍ୟରେ ରହିଥିବା ସମସ୍ତ ଫଟା ପାଇପ ଗୁଡିକୁ ତୁରନ୍ତ ମରାମତି କରାଯାଇ ଲୋକଙ୍କୁ ଜଣ୍ଡିସ ଭୟରୁ ମୁକ୍ତ କରିବା ସହିତ ଜଳ ଅପଚୟକୁ ରୋକାଯାଉ ବୋଲି ସାଧାରଣରେ ଦାବୀ ହେଉଛି।

Comments are closed.