ବୌଦ୍ଧ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ, ରୋଗୀ ହନ୍ତସନ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ରକ୍ତ ଭଣ୍ଡାରରେ ରକ୍ତର ସଙ୍କଟ ଦେଖାଦେଇଛି। ଯାହାଫଳରେ ରୋଗୀ ରକ୍ତ ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି। ବୌଦ୍ଧଜିଲ୍ଲାବାସୀ ସହିତ ପଡୋଶୀ ଅନୁଗୁଳ, ସୋନପୁର ଓ ସମ୍ବଲପୁର ଜିଲ୍ଲାର ସୀମାବର୍ତ୍ତି ଗ୍ରାମର ଲୋକମାନଙ୍କ ଦେହ ଖରାପ ହେଲେ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। ପ୍ରତିଦିନ ଶହଶହ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ଅନେକ ରୋଗୀଙ୍କ ପରୀକ୍ଷା ପରେ ରକ୍ତ ସମସ୍ୟା ରହିଥିବା ଜଣାପଡ଼ିଥାଏ। ହେଲେ ରୋଗୀର ସମ୍ପକୀୟ ରକ୍ତ ପାଇଁ ରକ୍ତ ଭଣ୍ଡାରକୁ ଆସିଲା ବେଳକୁ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ସମସ୍ୟା ଦେଖା ଦେଇଥାଏ। ଏପରିସ୍ଥଳେ କାହାକୁ ରକ୍ତ ଦିଆଯିବ ତାହାକୁ ନେଇ ରକ୍ତ ଭଣ୍ଡାର କତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଉଛନ୍ତି।

ବୌଦ୍ଧ ରକ୍ତ ଭଣ୍ଡାରରେ ୭୫୦ ୟୁନିଟ ରକ୍ତ ରଖିବା ପାଇଁ ସୁବିଧା ରହିଥିଲେ ମଧ୍ୟ ତାହା ପୂରଣ ହୋଇପାରିନଥାଏ। ଦୈନିକ ୧୫ରୁ ୨୦ ୟୁନିଟ ରକ୍ତ ରୋଗୀଙ୍କୁ ଆବଶ୍ୟକ ହେଉଥିବା ବେଳେ ଆବଶ୍ୟକତା ଠାରୁ କମ ୟୁନିଟ ମହଜୁଦ ରହୁଛି। ଏପରିସ୍ଥଳେ ଅଧିକ ଗୁରୁତର ଓ ରକ୍ତ ଆବଶ୍ୟ କରୁଥିବା ରୋଗୀଙ୍କୁ ରକ୍ତ ଦିଆଯାଇଥାଏ। ଜିଲ୍ଲାରେ ରକ୍ତ ସମସ୍ୟା ଦୂର କରିବା ପାଇଁ ଜିଲ୍ଲାରେ ବିଭିନ୍ନ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର କରାଯାଉଥିଲେ ମଧ୍ୟ ରକ୍ତର ଅଭାବ ରହୁଛି। ବର୍ତ୍ତମାନ ଖରା ଦିନ ଆସୁଥିବା ବେଳେ ରକ୍ତଦାନ ଶିବିର ସଂଖ୍ୟା କମ ହୋଇଥାଏ। ଏପରିସ୍ଥଳେ ଜିଲ୍ଲାରେ ରକ୍ତ ସମସ୍ୟା ଅଧିକ ଦେଖା ଦେବାର ସମ୍ଭାବନା ରହିଛି। ଥାଲାସେମିଆ, ସିକିଲ ସେଲ, ପ୍ରସବ ପାଇଁ ଆସୁଥିବା ମହିଳା, ରକ୍ତହୀନତା ଏବଂ ଡାଏଲିସିସ ରୋଗୀଙ୍କ କ୍ଷେତ୍ରରେ ଅଧିକ ରକ୍ତର ଆବଶ୍ୟକତା ହୋଇଥାଏ। ଅନେକ ସମୟରେ ରକ୍ତର ଆବଶ୍ୟକ ପାଇଁ ରକ୍ତଦାତାଙ୍କ ଅପେକ୍ଷା କରିବାକୁ ପଡ଼ିଥାଏ। ବିଭିନ୍ନ ସମୟରେ ବିଭିନ୍ନ ରକ୍ତଦାତା ସଂଗଠନ ମାନଙ୍କୁ ରକ୍ତଦାନ ଅନୁରୋଧ କରାଯାଇଥାଏ। ସଚେତନତା ଅଭାବରୁ ଏପରିକି ଅନେକ ସମୟରେ ରୋଗୀଙ୍କ ସଂପର୍କିୟମାନେ ରକ୍ତ ଦେବାକୁ ଅମଙ୍ଗ ହେଉଥିବାର ଦେଖିବାକୁ ମିଳିଥାଏ। ଯାହାଫଳରେ ବାହାର ଲୋକ ରକ୍ତଦାନ କରିବା ପରେ ରୋଗୀଙ୍କୁ ରକ୍ତ ଦିଆଯାଇଥାଏ। ଜିଲ୍ଲା ରକ୍ତଦାତା ପ୍ରବତକ ସଂଘର ସଂପାଦକ ଦେବାଶିଷ ପୁରୋହିତଙ୍କ କହିବା ଅନୁଯାଇ ଜିଲ୍ଲାରେ ପ୍ରତିବର୍ଷ ଛଅ ହଜାରରୁ ଅଧିକ ରକ୍ତର ଆବଶ୍ୟକତା ହେଉଥିବା ବେଳେ ମାତ୍ର ୨୫ରୁ ୩ ହଜାର ମଧ୍ୟରେ ରକ୍ତ ସଂଗ୍ରହ କରାଯାଇଥାଏ। ଜିଲ୍ଲାରେ ବର୍ଷକୁ ମାତ୍ର ପ୍ରାୟ ଶହେଟି ରକ୍ତଦାନ ଶିବିର ହେଉଛି ବୋଲି କହିଛନ୍ତି। ଜିଲ୍ଲାରେ ରକ୍ତ ସଂଙ୍କଟ ଦୂର କରିବା ପାଇଁ ପ୍ରଶାସନ ସହିତ ବିଭିନ୍ନ ସଂଗଠନ ଆଗକୁ ଆସି ଲୋକଙ୍କୁ ସଚେତନତା କରାଇ ଅଧିକରୁ ଅଧିକ କିପରି ରକ୍ତଦାନ କରି ପାରିବେ ସେଥିପାଇଁ ଅଧିକ ସଚେତନତା କରାଇବା ସହ କିପରି ଅଧିକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି।

Comments are closed.