ଖଣ୍ଡୁଆଳ ମାଳି ଶିଖରରେ ଶେଷ ହେଲା ଖଣ୍ଡୁଆଳରାଜା ପରବ୍

ଲାଞ୍ଜିଗଡ଼: ଜାନ ଯାଉ ଜୀବନ ଯାଉ, ଖଣ୍ଡୁଆଳ ମାଳି ବଞ୍ଚିଥାଉ ଏହି ନାରାରେ ମାର୍ଚ୍ଚ ୨୮ ଓ ୨୯ ତାରିଖ ଦୁଇଦିନ ବ୍ୟାପି ପ୍ରକମ୍ପିତ ହୋଇଥିଲା ଖଣ୍ଡୁଆଳ ମାଳି ଶିଖର। ପ୍ରକୃତିର ଆଦିମ ସନ୍ତାନ ମାନେ ମାଁ ମାଟିର ସୁରକ୍ଷା ପାଇଁ ଜାଗି ଉଠିଥିଲେ ସୁରକ୍ଷା ସମିତି। ଆରାଧ୍ୟ ଦେବତା ଖଣ୍ଡୁଆଳ ବୁଢାରାଜା ଓ ମା’ ଡୁକୁରୀଙ୍କୁ ସାକ୍ଷୀ ରଖି ନିଜର ଜୀବନ ଜୀବିକା ଖଣ୍ଡୁଆଳ ମାଳିକୁ ସୁରକ୍ଷିତ ରଖିବାକୁ ପଣ କରି ବଜ୍ର ଶପଥ ନେଇଥିଲେ। ଖଣ୍ଡୁଆଳ ବୁଢାରାଜାଙ୍କୁ ବଳିଭୋଗ ଦ୍ୱାରା ସନ୍ତୁଷ୍ଟ କରିବା ପରେ ବହୁରାଷ୍ଟ୍ରୀୟ କଂପାନୀକୁ ଦେଇଥିଲେ ଚରମ ଚେତାବନୀ। ରକ୍ତ ଚାଉଳ ଧରି ଶପଥ ନେଇଥିଲେ ଜୀବନ ଥିବା ପର୍ଯ୍ୟନ୍ତ ଖଣ୍ଡୁଆଳ ମାଳିର ସୁରକ୍ଷା ହିଁ ସେମାନଙ୍କ ଏକମାତ୍ର ନିଷ୍ପତ୍ତି। ସରକାର ଆଉ ପ୍ରଶାସନ ଯେତେ ଭୁତେଇଲେ ବି ଖଣ୍ଡୁଆଳ ମାଳି ଛାଡିବୁ ନାହିଁ ବୋଲି ସେମାନେ ମିଳିତ ଭାବେ ଆହ୍ୱାନ ଦେଇଛନ୍ତି। ପ୍ରକୃତିର ଉପାସନା ଖଣ୍ଡୁଆଳରାଜା ପରବ ସହିତ ବହୁ ରାଷ୍ଟ୍ରୀୟ କଂପାନୀର ଖଣି ଖନନ ବିରୁଦ୍ଧରେ ହଜାର ହଜାର ଆଦିବାସୀଙ୍କ ମେଳି ଭଳି ଏକ ସମ୍ମନ୍ୱୟର ପର୍ବ ଉଦ୍‌ଯାପିତ ହୋଇଯାଇଛି। ବହୁ ଚର୍ଚ୍ଚିତ ଖଣ୍ଡୁଆଳ ମାଳି ଶିଖରରେ ଦୁଇଦିନ ବ୍ୟାପି ଚାଲିଥିବା ଖଣ୍ଡୁଆଳ ବୁଢ଼ାରାଜା ପରବରେ ଅନେକ କାରଣକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ଓ ଖଣି ଖନନ ପାଇଁ ସବୁ ପ୍ରକାର କୋହଳ ନୀତି ଜାରି କରିଥିବା ବେଳେ ଖଣ୍ଡୁଆଳ ମାଳିରେ ଖଣି ଖନନକୁ ତୀବ୍ର ବିରୋଧ ସହିତ ସରକାରଙ୍କ ଆଦିବାସୀ ଓ ଲୁପ୍ତପ୍ରାୟ ଆଦିମ ଜନଜାତିଙ୍କ ଜୀବନ ଜୀବିକାକୁ ବିପନ୍ନ କରିବାକୁ ତୀବ୍ର ବିରୋଧ ଜାରି ରହିବ ବୋଲି ଆଦିବାସୀମାନେ ଶପଥ ନେଇଥିଲେ।

୨୪୦୦ ବର୍ଗ କିଲୋମିଟରରେ ରହିଥିବା ଏହି ଖଣ୍ଡୁଆଳ ମାଳି ମଧ୍ୟରେ ୩୨୨ ଗୋଟି ଝରଣା, ୨୧୦ ଗୋଟି ଗାଁ ଓ କଳାହାଣ୍ଡି ଜିଲ୍ଲାର ତିନୋଟି ବ୍ଲକ ଲାଞ୍ଜିଗଡ, ଥୁଆମୂଳ ରାମପୁର ଓ ସଦର ବ୍ଲକର ୧୧ ଗୋଟି ପଞ୍ଚାୟତର ହଜାର ହଜାର ଆଦିବାସୀ, ଝରଣିଆ ଓ କୁଟିଆ କନ୍ଧଙ୍କ ଆସ୍ଥାର ସୂଚକ ତଥା ପରମ ଆରାଧ୍ୟ ଖଣ୍ଡୁଆଳରାଜାଙ୍କ ବାର୍ଷିକ ଉତ୍ସବ ଖଣ୍ଡୁଆଳରାଜା ପରବ ସମାପନ ହେବା ସହିତ ଏଠାରେ ଖଣିଖନନକୁ ନେଇ ତୀବ୍ର ବିରୋଧର ନମୁନା ଦେଖିବାକୁ ମିଳିଛି। ଏଥିରେ ଓଡ଼ିଶା କୃଷକ ସଂଗଠନର ସଦସ୍ୟ ଲିଙ୍ଗରାଜ ପ୍ରଧାନ, ପ୍ରତାପ ଚିନାରା, ନାରୀ ନେତ୍ରୀ ପୁଲମେ ମାଝୀ, ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି ସଭାପତି କାର୍ତ୍ତିକ ମାଝୀ, ସମ୍ପାଦକ ବ୍ରିଟିଶ କୁମାର ଜଙ୍ଗଲୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ନେତୃତ୍ୱ ନେଇଥିବାବେଳେ ଖଣ୍ଡୁଆଳ ମାଳି ସଂଲଗ୍ନ ଅଞ୍ଚଳର ଲାଞ୍ଜିଗଡ, ଥୁଆମୂଳରାମପୁର ଓ ସଦର ବ୍ଲକର ୧୧ ଗୋଟି ପଞ୍ଚାୟତର ୨୧୦ଟି ଗାଁର ହଜାର ହଜାର ଆଦିବାସୀ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଥିଲେ।

Comments are closed.