ଦେବଗଡ଼ ପୌର ପରିଷଦର ଷଷ୍ଠ କାଉନସିଲ ବୈଠକ ଅନୁଷ୍ଠିତ

ଦେବଗଡ଼: ନୂତନ ପରିଷଦ ଗଠନ ପରଠାରୁ ବିଭିନ୍ନ ପ୍ରସଙ୍ଗରେ ଉପ ନଗରପାଳଙ୍କ ସମେତ ବିରୋଧୀ ଦଳର କାଉନଶିଲର ମାନେ ହଟ୍ଟଗୋଳ ଏବଂ କକ୍ଷତ୍ୟାଗ କରୁଥିବାରୁ ଦେବଗଡ଼ ପୌର ପରିଷଦରେ ସ୍ୱାଭାବିକ ଭାବେ କାଉନଶିଲ ବୈଠକ ହୋଇପାରୁନଥିଲା। ପୌର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ବିଭିନ୍ନ ଅନିୟମିତତା, ଦୁର୍ନୀତି ଓ ବିନା କାଉନଶିଲର ନିଷ୍ପତ୍ତିରେ କାର୍ଯ୍ୟ ହେଉଥିବା ଦର୍ଶାଇ ସେମାନେ ଏଭଳି ବିରୋଧ ପ୍ରଦର୍ଶନ କରୁଥିବାରୁ ଫଳରେ ପୌରାଂଚଳର ଉନ୍ନୟନ କାର୍ଯ୍ୟରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା। ଅନ୍ୟ ପକ୍ଷରେ ଗତ ରବିବାର ପ୍ରତ୍ୟୂଷରେ କାଉନଶିଲ ହଲରେ ଅଡିଟ ପାଇଁ ଉଦ୍ଦିଷ୍ଟ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ପୋଡିଯାଇଥିବା ବେଳେ ଏହାକୁ ନେଇ ଗତକାଲି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ପୌର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ବିଷୋଦଗାର କରିଥିଲେ।

ବିଧାୟକଙ୍କ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି କାଉନଶିଲର ମାନଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଦୁର୍ନୀତିର ପ୍ରମାଣ ନଷ୍ଟ ପାଇଁ ପୌର ପ୍ରଶାସନ ଗୁରୁତ୍ୱପୂର୍ଣ୍ଣର୍ ନଥିପତକୁ ଜାଣିଶୁଣି ପେଟ୍ରୋଲ ଢାଳି ଜାଳିଦେଇଥିବା ଅଭିଯୋଗ କରିଥିଲେ। ସେହିପରି ଆଜି ସ୍ଥାନୀୟ ଘରୋଇ କଲ୍ୟାଣମଣ୍ଡପ ‘ରୟାଲ ଭେନ୍ୟୂ ’ରେ ଆୟୋଜିତ ଷଷ୍ଠ କାଉନଶିଲ ବୈଠକରେ ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ଥିବାରୁ କାଉନଶିଲ ବୈଠକ ସରଗରମ ରହିବ ଓ ବିଭିନ୍ନ ପ୍ରସଙ୍ଗ ନେଇ ବିଧାୟକ ଏବଂ ତାଙ୍କ ଦଳର କାଉନଶିଲର ମାନେ ପୌର କର୍ତ୍ତୃପକ୍ଷଙ୍କୁ ଘେରିବେ ବୋଲି ସାଧାରଣରେ ଆଲୋଚନା ହେଉଥିଲା। ମାତ୍ର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର କାଉନଶିଲ ବୈଠକ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଥିଲା ଓ ଉଭୟ ଶାସକ ଏବଂ ବିରୋଧି କାଉନଶିଲର ମାନେ ନିଜ ନିଜର ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ଅବସରରେ ବିରୋଧୀ କାଉନଶିଲର ମାନେ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଇଥିବା ସହରର ବିଭିନ୍ନ ସୌନ୍ଦର୍ଯ୍ୟୀଖରଣ କାର୍ଯ୍ୟକୁ ସ୍ୱାଗତ କରିଥିବା ବେଳେ ପୌରାଂଚଳର ସମସ୍ତ ୧୧ଟି ଯାକ ୱାର୍ଡରେ ସୌନ୍ଦର୍ଯ୍ୟୀକରଣ ସାଙ୍ଗକୁ ଉନ୍ନତିକରଣ କାର୍ଯ୍ୟ ଆଗକୁ ନେବାକୁ ପ୍ରସ୍ତାବ ଦେଇଥିଲେ। ଅନୁରୂପ ଭାବେ ସହରର ପ୍ରତ୍ୟେକ ୱାର୍ଡରେ ସମ୍ପୃକ୍ତ ୱାର୍ଡର କାଉନଶିଲର ମାନଙ୍କ ଉପସ୍ଥିତିରେ ଜନ ଅଭିଯୋଗ ଶୁଣାଣୀ ମାଧ୍ୟମରେ ସହରବାସୀଙ୍କ ସମସ୍ୟାର ସମାଧାନ ଏବଂ ଆବଶ୍ୟକତା ଅନୁଯାୟୀ ଦାବୀ ପୁରଣ,ପ୍ରଥମ କାଉନଶିଲ ବୈଠକରେ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ପାଇଁ ସର୍ବ ସମ୍ମତ ଦାବୀ ଉପସ୍ଥାପନ , ସହରର ଉଭୟ ପ୍ରବେଶ ପଥରେ ତୋରଣ ନିର୍ମାଣ, ୯ ନମ୍ବର ୱାର୍ଡ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ବାଇପାସ ଛକ ଓ ୧୦ ନମ୍ବର ୱାର୍ଡ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ବାଇପାସ ଛକକୁ ଯଥାକ୍ରମେ ସ୍ୱାଧିନତା ସଂଗ୍ରାମୀ ବୀର ବୀର୍ସା ମୁଣ୍ଡା ଓ ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର.ଆମ୍ବେଦକରଙ୍କ ନାମରେ ନାମିତ କରିବାକୁ ଦାବୀ କରାଯାଇଥିଲା। ଅନ୍ୟପକ୍ଷରେ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଏବଂ ତାଙ୍କର ସହଯୋଗୀ ବିଜେଡି କାଉନଶିଲର ମାନେ ପୌର ପରିଷଦର ରାଜସ୍ୱ ବୃଦ୍ଧି ସମେତ ସରକାରୀ ‘ଲୁ’ ଏବଂ ‘ଭେଣ୍ଡିଂ ଜୋନ’ ନିର୍ମାଣ, ସ୍ୱର୍ଗଦ୍ୱାରରେ ସୁବିଧାରେ ଶବଦାହ ପାଇଁ ବିଦ୍ୟୁତ ଚୁହ୍ଲା ନିର୍ମାଣ, ଅଚଳ ପାନୀୟ ଜଳ ପ୍ରକଳ୍ପ ଗୁଡିକର ତୁରନ୍ତ ମରାମତି, ପ୍ରତ୍ୟେକ ୱାର୍ଡକୁ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ପ୍ରଧାନପାଟରେ ବିଶ୍ରାମାଗାର ନିର୍ମାଣ, ପୌର ପରିଷଦ ପରିସରରେ ନୂତନ କାଉନଶିଲ ହଲ ନିର୍ମାଣ , କର୍ମଚାରୀ ମାନଙ୍କ ପାଇଁ ସରକାରୀ ବାସଗୃହର ବ୍ୟବସ୍ଥା ଏବଂ ପୁରୁଣାଗଡ଼ ସ୍ଥିତ ଓଲଟ ବଟ ଛକର ଉନ୍ନତି ଓ ସୌନ୍ଦ୍ୟର୍ଯ୍ୟୀ କରଣ ନିମନ୍ତେ ଏହି ବୈଠକରେ ପ୍ରସ୍ତାବ ଉପସ୍ଥାପନ କରିଥିବା ଜଣାପଡ଼ିଛି। ଉଭୟ ବିଜେଡି, ବିଜେପି ଏବଂ ସ୍ୱାଧିନ କାଉନଶିଲର ଏବଂ ବିଧାୟକ ଶ୍ରୀ ପାଣିଗ୍ରାହୀ ଉପରୋକ୍ତ ପ୍ରସ୍ତାବ ଗୁଡିକ ବ୍ୟତୀତ ଆହୁରି ଅନେକ ଗୁଡିଏ ଗଠନ ମୂଳକ ପ୍ରସ୍ତାବ ଉପସ୍ଥାପନ କରିଥିବା ଜଣାପଡ଼ିଛି। ଆଜିର ଏହି ଷଷ୍ଠ କାଉନଶିଲ ବୈଠକରେ ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ବିଜେଡି କାଉନଶିଲର ପ୍ରମିଳା ବେହେରା, ସଞ୍ଜୁକ୍ତା ଆଚାର୍ଯ୍ୟ,ବାସନ୍ତୀ ମଣି ମାଝୀ,ଜତିନ କୁମାର ନାୟକ,ସ୍ୱାଧିନ କାଉନଶିଲର ଧର୍ମେନ୍ଦ୍ର କୁମାର ଦେବତା, ବିଜେପି କାଉନଶିଲର ପିଙ୍କି ସାହୁ, ମଧୁସୂଦନ ବାଘ,ସରୋଜିନୀ ମୁଣ୍ଡା, ଇତିଶ୍ରୀ ମିଶ୍ର ଓ କାର୍ତିକ ମହାକୁଳ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ପୌର ପରିଷଦ ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କ ସମେତ ଦେବଗଡ଼ ପୌର ପରିଷଦର ବହୁ କର୍ମଚାରୀ ଉପସ୍ଥିତ ଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ନିମନ୍ତେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Comments are closed.