www.samajalive.in
Saturday, December 13, 2025
26.1 C
Bhubaneswar

୧୫ ପରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର: ଏଥର ରଜ ରୌଦ୍ରଯୁକ୍ତ ରହିବ। ସାଧାରଣତଃ ରଜ ବେଳକୁ ପ୍ରାକ୍ ମୌସୁମୀ ଓଡ଼ିଶା ଛୁଇଁ ସାରିଥିବାରୁ ପାଗ କୋହଲା ତଥା ଆରାମଦାୟକ ଥାଏ। ମାତ୍ର ଏଥର ମୌସୁମୀ ପ୍ରବେଶ ଓଡ଼ିଶା ଲାଗି ବିଳମ୍ବ ହେବ। ଆସନ୍ତା ୧୫ ତାରିଖ ପରେ ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା ରହିଛି। ତେବେ ଏନେଇ ଏବେ ସ୍ପଷ୍ଟତା ଆସିନି। ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଏନେଇ ସ୍ପଷ୍ଟ ଚିତ୍ର ଆସିପାରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେଣୁ ଚଳିତବର୍ଷ ନିଦାଘରେ ରଜ ପାଳନ ହେବ। କାରଣ ପାଣିପାଗ ଆକଳନ କହୁଛି ଆଗାମୀ ୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ। ପ୍ରବଳ ତାତି ଓ ଅସହ୍ୟ ଗୁଳିଗୁଳିରେ ଯଥାକ୍ରମେ ପଶ୍ଚିମ, କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶା ଘାଣ୍ଟି ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ସପ୍ତା‌େ‌ହ ବିଳମ୍ବରେ କେରଳ ଛୁଇଁଛି। ସ୍ବାଭାବିକ ଭାବେ ଜୁନ ୧ରେ ମୌସୁମୀ କେରଳ ଛୁଇଁଥାଏ; କିନ୍ତୁ ଏଥର ଜୁନ ୮ରେ ପ୍ରବେଶ କରିଥିଲା।

ଜୁନ ୧ରେ ମୌସୁମୀ କେରଳ ଆସିଲେ ତା’ର ୧୦ରୁ ୧୨ଦିନ ମଧ୍ୟରେ ଓଡ଼ିଶାକୁ ଆସିଥାଏ। ହେଲେ ଏସନ ସପ୍ତାହେ ବିଳମ୍ବରେ ମୌସୁମୀ କେରଳ ଆସିଥିବାରୁ ଓଡ଼ିଶାକୁ ବି ଆସିବାରେ ବିଳମ୍ବ ହୋଇପାରେ। ପ୍ରାୟତଃ ୧୫ ତାରିଖ ପରେ ମୌସୁମୀ ଆସିପାରେ। କେବେ ଓଡ଼ିଶାରେ ମୌସୁମୀ ସ୍ପର୍ଶ କରିବ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇ ନ ଥିବା ବେଳେ ଆଗାମୀ ଦୁଇରୁ ତିନିଦିନ ମଧ୍ୟରେ ଏନେଇ ସ୍ପଷ୍ଟତା ଆସିଯିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ(ଆଇଏମଡି-ଡିଜି) ଡ.ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

- Advertisement -

ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ୧୫ କିମ୍ବା ତା’ ପରେ ଓଡ଼ିଶାରେ ସ୍ୱାଭାବିକ ବର୍ଷା ହୋଇପାରେ। ଏଥର ମୌସୁମୀ ୭ ଦିନ ବିଳମ୍ବରେ କେରଳ ଉପକୂଳରେ ପହଞ୍ଚିଛି। ଶନିବାର ସାରା କେରଳ ଛୁଇଁଛି ମୌସୁମୀ। କର୍ଣ୍ଣାଟକ ଓ ତାମିଲନାଡୁରେ ବି ପହଞ୍ଚି ସାରିଛି। ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳକୁ ଛୁଇଁଛି। କେନ୍ଦ୍ରୀୟ ଆରବ ସାଗର, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କିଛି ଅଂଶ, ସମ୍ପୂର୍ଣ୍ଣ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର-ପୂର୍ବ ବଙ୍ଗୋପସାଗର କେତେକ ଅଂଶ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର କିଛି ଅଞ୍ଚଳରେ ମୌସୁମୀ ପାଦ ଥାପିଛି। ଆଗାମୀ ୨ରୁ ୩ଦିନ ମଧ୍ୟରେ ମୌସୁମୀ ସିକ୍କିମ, ହିମାଳୟ ଏବଂ ପଶ୍ଚିମ ବଙ୍ଗରେ ଛୁଇଁବାର ସମ୍ଭାବନା ରହିଛି। ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରତିବର୍ଷ ଜୁନରେ ମୌସୁମୀ ଆସିଥାଏ। ଏଥିପାଇଁ ବାୟୁ ମଣ୍ଡଳରେ ଆର୍ଦ୍ରତା ବଢ଼ିଥାଏ। ଏହି କାରଣରୁ ଅଧିକ ଗୁଳୁଗୁଳି ହେଉଛି। ତେବେ ବାଂଲାଦେଶ-ମିଆଁମାର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। କିନ୍ତୁ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଆକଳନ କରିଛି ଯେ, ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ପୂର୍ବ ଭାରତରେ ମୌସୁମୀକୁ ଟାଣିବାରେ ସହାୟକ ହେବ। ଆସନ୍ତା ସପ୍ତାହରେ ଉତ୍ତର-ପୂର୍ବ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ପୂର୍ବ ଭାରତରେ ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ ବୋଲି ସ୍କାଏମେଟ ପକ୍ଷରୁ କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories