ଓଡ଼ିଶା ଆସନ୍ତୁ: ନବୀନ
ନିବେଶକଙ୍କୁ ଶ୍ରେଷ୍ଠ ପ୍ରୋତ୍ସାହନ ଦେବୁ
ଭୁବେନଶ୍ବର : ଓଡ଼ିଶାର ରୂପାନ୍ତରଣ ଯାତ୍ରାରେ ଅଂଶୀଦାର ହୁଅନ୍ତୁ। ଓଡ଼ିଶା ଏବେ ଉଡ଼ାଣ ପର୍ଯ୍ୟାୟରେ ରହିଛି। ଆଗାମୀ ୧୦ ବର୍ଷରେ ଅଭିବୃଦ୍ଧି ବେଶ୍ ଅଧିକ ଦେଖିବାକୁ ମିିଳିବ। ପ୍ରତିଟି କ୍ଷେତ୍ରରେ ଆମେ ଏବେ ଦ୍ରୁତ ଅଗ୍ରଗତି କରୁଛୁ। ଆମର ପ୍ରାକୃତିକ ସମ୍ପଦ, ଦକ୍ଷ ମାନବ ସମ୍ବଳ ଏବଂ ସ୍ଥିର ପ୍ରଶାସନ ଯୋଗୁଁ ଓଡ଼ିଶା ଶିଳ୍ପ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଏକ ଅଗ୍ରଣୀ ଲକ୍ଷ୍ୟସ୍ଥଳ ଭାବେ ଉଭା ହେଉଛି। ଆମ ସରକାର ଯାହା କହେ, ତାହା କରେ।
ବ୍ୟବସାୟ ସୁଯୋଗ ପାଇଁ ଆମେ ଶ୍ରେଷ୍ଠ ପ୍ରୋତ୍ସାହନ ଦେବୁ। ଆପଣମାନେ ଓଡ଼ିଶା ଆସନ୍ତୁ, ନିବେଶ କରନ୍ତୁ। ଓଡ଼ିଶାର ନୂତନ ଶିଳ୍ପଯୁଗରେ ଭାଗୀଦାର ହୁଅନ୍ତୁ। ହାଇଦରାବାଦରେ ଅନୁଷ୍ଠିତ ଓଡ଼ିଶା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏଥିସହ ମେକ୍ ଇନ୍ ଓଡ଼ିଶା କନକ୍ଳେଭ-୨୦୨୨ରେ ଅଂଶଗ୍ରହଣ କରିବାକୁ ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି।
ଫିକି ଏବଂ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି ନିବେଶକ ସମ୍ମିଳନୀରେ ୪୦ଟି ବୈଠକ ହୋଇଥିବାବେଳେ ୪୫୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଶିଳ୍ପ ଜଗତର ଶୀର୍ଷ ନେତୃବୃନ୍ଦଙ୍କୁ ନବୀନ କହିଥିଲେ, ଆପଣମାନଙ୍କ ସହ ଆମର ପୁରୁଣା ସମ୍ପର୍କକୁ ମଜଭୁତ କରି ନୂଆ ସମ୍ପର୍କ ଗଢ଼ିବାକୁ ଆମେ ଚାହଁୁଛୁ। ଶିଳ୍ପାୟନର ନୂତନଯୁଗରେ ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ସରକାର, ଶିଳ୍ପସଂସ୍ଥା ଏବଂ ଲୋକଙ୍କ ମଧ୍ୟରେ ମିଳିତ ସହଯୋଗର ଆବଶ୍ୟକତା ରହିଛି। ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଦେଶରେ ଓଡ଼ିଶା ଅନ୍ୟତମ। ଗତ ଦେଢ଼ ଦଶନ୍ଧି ଧରି ଜାତୀୟ ହାର ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ଅଧିକ ରହିଛି। ବିନିର୍ମାଣ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ନିକଟରେ ପ୍ରକାଶିତ ଇଜ୍ ଅଫ୍ ଡୁଇଁ ବିଜନେସ ରେଟିଂରେ ଓଡ଼ିଶା ’ଆଚିଭର୍ସ’ ମାନ୍ୟତା ହାସଲ କରିଛି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୨୨ରେ ୫ ଦିନ ବ୍ୟାପୀ ନିବେଶକ ଏବଂ ଜନସାଧାରଣଙ୍କ ପାଇଁ ବ୍ୟାବସାୟିକ ନେତୃତ୍ବ ଆଲୋଚନା, ସେକ୍ଟରାଲ ଅଧିବେଶନ, ଷ୍ଟାର୍ଟଅପ୍ ଅଧିବେଶନ, ମହିଳା ଉଦ୍ୟୋଗୀ ଅଧିବେଶନ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ପ୍ରତିଷ୍ଠା କରାଯାଇଥିବା ଓଡ଼ିଶା ଷ୍ଟାର୍ଟଅପ୍ ହବ୍ (ଓ-ହବ୍) ଏବଂ ଓଡ଼ିଶା ୟୁଥ୍ ଇନୋଭେସନ ଫଣ୍ଡ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାସହ ଦୁଇ ଦଶନ୍ଧିର ସ୍ଥିର ପ୍ରଶାସନ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା କିପରି ଆଗକୁ ବଢ଼ିପାରିଛି, ସେ ବିଷୟରେ ଉଲ୍ଲେଖ କରିଥିଲେ। ନିବେଶକଙ୍କୁ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ସୁବିଧା ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ବିକଶିତ କରାଯାଇଥିବା ଶିଳ୍ପପାର୍କ ଏବଂ ରିଜିଅନ୍ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ। ସେ କହିଥିଲେ, ଦେଶର ଅନ୍ୟ ଭାଗ ତୁଳନାରେ ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତ ବଜାରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି। ଶିଳ୍ପସଂସ୍ଥାକୁ ସେମାନଙ୍କ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସର୍ବୋତ୍ତମ ସୁବିଧା ପ୍ରଦାନ କରୁଛି। ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ରେ ଭାଗ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଶିଳ୍ପ ନେତୃତ୍ବଙ୍କୁ ଅନୁରୋଧ କରିଥିଲେ। ୨୦୧୬ରେ ପ୍ରଥମ ଥର କରି ଆରମ୍ଭ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ସେହିପରି ୨୦୧୮ ଦ୍ବିତୀୟ ସଂସ୍କରଣରେ ୪ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରସ୍ତାବ ଗ୍ରହଣ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ।
ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ, ଦେଶରେ ଓଡ଼ିଶା ଏବେ ନିବେଶକଙ୍କ ପସନ୍ଦର ଲକ୍ଷ୍ୟସ୍ଥଳ ପାଲଟିଛି। ଓଡ଼ିଶାକୁ ପରବର୍ତ୍ତୀ ନିବେଶର ଲକ୍ଷ୍ୟସ୍ଥଳ ଭାବେ ବିଚାର କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଓଡ଼ିଶାର ଶିଳ୍ପାୟନ ଦୃଶ୍ୟପଟ୍ଟ ଏବଂ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଉପରେ ଉପସ୍ଥାପନା ରଖିଥିଲେ। ଇଲେେକ୍ଟ୍ରାନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ ମିଶ୍ର ରାଜ୍ୟରେ ଆଇଟି/ଆଇଟିଇଏସ ସମ୍ପର୍କରେ କହିଥିଲେ। ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓଁକାର ରାୟ ଓଡ଼ିଶାରେ ଷ୍ଟାର୍ଟଅପ୍ ଇକୋ-ସିଷ୍ଟମ୍ ଉପରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିକିର ମହାନିର୍ଦେଶକ ଅରୁଣ ଚାୱଲାଙ୍କ ସମେତ ଶିଳ୍ପ ବିଭାଗ ଏବଂ ଇପିକଲ୍ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ସୋମବାର ଦିନତମାମ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୧ ପ୍ରମୁଖ ନିବେଶକଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ। ସେମାନେ ହେଲେ- ପ୍ରାଇସ ୱାଟର ହାଉସକୁପର୍ସର ଆଡଭାଇଜରୀ ଲିଡର ଅର୍ଣ୍ଣବ ବସୁ, ମାଇକ୍ରୋସଫ୍ଟ ଇଣ୍ଡିଆ ଏମ୍ଡି ରାଜୀବ କୁମାର, ଶିିରିଡ଼ି ସାଇ ଇଲେକ୍ଟ୍ରିକାଲସର ସିଓଓ ଡ. କେ ବାଲଚନ୍ଦର, ଭାରତ ବାୟୋଟେକର ଅଧ୍ୟକ୍ଷ ଡ. କ୍ରିଷ୍ଣା ଏଲ୍ଲା, ଡେଲଏଟ ଏମ୍ଡି ଏନ ଭେଙ୍କଟରମଣ, ତୋଷାଳୀ ସିମେଣ୍ଟର ସିଏମ୍ଡି ଏମ୍ଏସ୍ଆର୍ଭି ପ୍ରସାଦ, ବିଜୟନଗର ବାୟୋଟେକର ଏମଡି ଡ. ଭି ରାଜୁ, ଦିବ୍ୟଶକ୍ତି ଇଣ୍ଡିଆର ଅଧ୍ୟକ୍ଷ ରବୀନ୍ଦ୍ର ଅଗ୍ରୱାଲ, ରାମକୀ ଗ୍ରୁପର ଏମ୍ଡି ୱାଇ.ଆର ନାଗରାଜ, ଆକ୍ସିସ ଏନର୍ଜୀ ଗ୍ରୁପର ସିଏମ୍ଡି କେ ରବିକୁମାର ରେଡ୍ଡୀ, ଜେଏଲଏଲ ଏମଡି ସନ୍ଦୀପ ପଟ୍ଟନାୟକ, ମହା ସିମେଣ୍ଟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରାମେଶ୍ବର ଜେ ରାଓ, ଶ୍ରୀ ମଲାନୀ ଫୋମ୍ସର ଅଧ୍ୟକ୍ଷ ପୁରୁଷୋତ୍ତମ ମଲାନୀ, ସିଜିଏସ୍ଏଲ ନିର୍ଦେଶକ କେ ରାଗଭ ରାମ, ସାଗର ସିମେଣ୍ଟର ସିଏମ୍ଡି ଏସ ବୀରା ରେଡ୍ଡୀ, ଓରାକଲ ଏମ୍ଡି (ଭାରତ) ଶୈଳେନ୍ଦର କୁମାର, ସ୍କେଲାର ଗ୍ରୁପ ନିର୍ଦେଶକ ଡ. ଗୋପାଳ ମୋର, ସିଏଣ୍ଟ ଏମ୍ଡି କ୍ରିଷ୍ଣା ବୋଡାନପୁ, ମଞ୍ଜିରା ଗ୍ରୁପ ଏମ୍ଡି ଜି ଯୋଗାନନ୍ଦ, ଆପୋଲୋ ଏମ୍ଡି ଅନିନ୍ଦିତ ରେଡ୍ଡୀ ଏବଂ କିମ୍ସ ଏମଡି ବି ଭାସ୍କର ରାଓ।
Comments are closed.