ଓଡ଼ିଶା ହକିରେ ପତିଆରା ଦେଖାଉଛି ହକି ଇଣ୍ଡିଆ

କଟକ: ଓଡ଼ିଶା ହକିକୁ ପରିଚାଳନା କରିବା ଲାଗି ରାଜ୍ୟ ସଂଘ ରହିଛି। ହକି ଇଣ୍ଡିଆର ଗୋଟିଏ ରାଜ୍ୟ ଗୋଟିଏ ୟୁନିଟ୍ ନିୟମ ଅନୁଯାୟୀ ହକି ଓଡ଼ିଶା ହିଁ ରାଜ୍ୟ ହକିର ସର୍ବୋଚ ପରିଚାଳନା ସଂସ୍ଥା। ଯାହା ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ ଓ ହକି ଇଣ୍ଡିଆର ସହବନ୍ଧିତ ୟୁନିଟ୍। ହକି ଓଡ଼ିଶା ରହିଥିବା ବେଳେ ହକି ଇଣ୍ଡିଆ ଓଡ଼ିଶା ହକିକୁ ପରିଚାଳନା କରିବା ନେଇ ଆଡହକ୍ କମିଟି ଗଠନ କରିବା ପଛରେ କଣ କାରଣ ରହିଛି ବୋଲି ହକି ଓଡ଼ିଶା ପକ୍ଷରୁ ପ୍ରଶ୍ନ କରାଯାଇଛି। ହକି ଓଡ଼ିଶାକୁ ବାଦ୍ ଦେଇ ହକି ଇଣ୍ଡିଆ ଆଡ୍ହକି କମିଟି ଗଠନ କରିବା ଓଡ଼ିଶା ହକିକୁ ବରବାଦ୍ ପାଇଁ ସ୍ବତନ୍ତ୍ର ଷଡଯନ୍ତ୍ର ବୋଲି ହକି ଓଡ଼ିଶା ପକ୍ଷରୁ କୁହାଯାଇଛି।

ଓଡ଼ିଶା ହକିକୁ ପରିଚାଳନା କରିବା ପାଇଁ ହକି ଇଣ୍ଡିଆ ଆଡହକ୍ କମିଟି ଗଠନ କରିଛି। କମିଟିରେ ଝାଡଖଣ୍ଡର ଜଣେ ପୂର୍ବତନ କୁସ୍ତି ଖେଳାଳିଙ୍କୁ ଅଧ୍ୟକ୍ଷ ମନୋନୀତ କରାଯାଇଛି। ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ସଦସ୍ୟ ରହିଛନ୍ତି। ଆଡ୍ହକ କମିଟି ଗଠନ ନେଇ ହକି ଇଣ୍ଡିଆ ପକ୍ଷରୁ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନକୁ ଚିଠି କରାଯାଇଛି। ଅଲିମ୍ପିକ୍ସ ଆସୋସିଏସନ ପକ୍ଷରୁ ଉକ୍ତ କମିଟିରେ ଜଣେ ପ୍ରତିନିଧିଙ୍କ ନାମ ସୁପାରିଶ କରିବାକୁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛିି। ହକି ଓଡ଼ିଶା ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ କୁହନ୍ତି, ହକି ଓଡ଼ିଶାର ସ୍ବତନ୍ତ୍ର ସମ୍ବିଧାନ ରହିଛି। ଗଣତାନ୍ତ୍ରୀକ ପଦ୍ଧତିରେ କର୍ମକର୍ତ୍ତାମାନେ ନିର୍ବାଚିତ ହେଉଛନ୍ତି। ଅଡିଟ୍ ରିପୋର୍ଟ ଦେଉଛୁ। ହକି ଇଣ୍ଡିଆର ଗୋଟିଏ ରାଜ୍ୟ ଗୋଟିଏ ୟୁନିଟ୍ ନିୟମ ପରେ ହକି ଓଡ଼ିଶା ହିଁ ରାଜ୍ୟ ହକିର ପରିଚାଳନା ସଂସ୍ଥା। ରାଜ୍ୟ ସଂଘ ରହିଥିବା ବେଳେ ଆଡହକ୍ କମିଟି ଗଠନ କରିବାର ଅଧିକାର ହକି ଇଣ୍ଡିଆ କାର୍ଯ୍ୟନିର୍ବାହୀର ନାହିଁ ବୋଲି ଶ୍ରୀ ଶତପଥୀ କହିଛନ୍ତି।

Comments are closed.