ଭୁବନେଶ୍ଵର: ଓଡ଼ିଶା ୨୦୩୬ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶୁକ୍ରବାର ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବୈଠକ ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଭାରତୀୟ ହକି ଦଳର ବିକାଶରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ପୂର୍ବରୁ ସରକାର ୨୦୩୩ ମସିହା ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରଯୋଜକ ରହିବାପାଇଁ ଯୋଜନା କରିଥିଲେ। ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ଏହି ଅବଧିକୁ ଆଉ ୩ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ହକିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ବୈଠକରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।



