୭ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ୫୫.୫୦ ଲକ୍ଷ ଟଙ୍କାର ସହାୟତା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।
ସେଥି ମଧ୍ୟରୁ କରୋନାରେ ମୃତ୍ୟୁ ପାଇଁ ଯାଜପୁର ଜିଲ୍ଲା ‘ମନ୍ଥନ’ ସମ୍ବାଦପତ୍ରର ପ୍ରତିନିଧି ସ୍ୱର୍ଗତ ଅଶୋକ କୁମାର ସାହୁ, କେନ୍ଦୁଝର ଜିଲ୍ଲାରେ ‘ଓଡ଼ିଶା ଭାସ୍କର’ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଧୀରେନ୍ଦ୍ର ରାଉତ ଓ ବାଲେଶ୍ୱର ଜିଲ୍ଲାରେ ‘ଇ.ପି.ଏ. ୱିକ୍ଲି’ର ପ୍ରତିନିଧି ସ୍ୱର୍ଗତ ସୋଲୋମାନ୍ ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ରାଜ୍ୟ ସରକାର କରୋନାରେ ମୃତ୍ୟୁ ପାଇଁ ୬ ଜଣ ସାମ୍ବାଦିକ କୋଭିଡ୍ ଯୋଦ୍ଧାଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ଅନୁକମ୍ପା ରାଶି ପ୍ରାପ୍ତ ଦିବଙ୍ଗତ ସାମ୍ବାଦିକମାନେ ହେଉଛନ୍ତି ‘ଇ-ନ୍ୟିୁଜ୍’ର ଗଜପତି ପ୍ରତିନିଧି କେ.ସି.ରନିମ୍, ‘ସମାଜ’ର ଗଞ୍ଜାମ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ, ‘ପ୍ରମେୟ’ର ଖୋର୍ଦ୍ଧା ପ୍ରତିନିଧି ତାରିଣୀ ଚରଣ ପାଢ଼ୀ, ‘ନ୍ୟୁଜ୍-୧୮’ର ଭୁବନେଶ୍ୱର ପ୍ରତିନିଧି ପ୍ରବୀର କୁମାର ପ୍ରଧାନ, ‘ମନ୍ଥନ’ର ଖୋର୍ଦ୍ଧା ପ୍ରତିନିଧି ପ୍ରତାପ କୁମାର ଦାସ ଏବଂ ‘ହିନ୍ଦୁସ୍ତାନ ସମାଚାର’ର ଗଜପତି ପ୍ରତିନିଧି ନବୀନ ନନ୍ଦ ଗନ୍ତାୟତ। ଭୁବନେଶ୍ୱରଠାରେ ‘ନିତିଦିନ’ ସମ୍ବାଦପତ୍ରର ପ୍ରତିନିଧି ସ୍ୱର୍ଗତ ରାଧାନାଥ ମହାପାତ୍ର ଓ ‘ପ୍ରତିଦିନ’ ଖବରକାଗଜର ପ୍ରତିନିଧି ସ୍ୱର୍ଗତ ପ୍ରଭାତ କୁମାର ଦାସଙ୍କୁ ମଧ୍ୟ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରାଯାଇଛି।
ଏହାବାଦ ଭୁବନେଶ୍ୱରଠାରେ ମୁକ୍ତବୃତ ସାମ୍ବାଦିକ ଭାବେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନ୍ଗୋଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ଓ ଝାରସୁଗୁଡ଼ା ଜିଲ୍ଲାର ସମାଜ ପ୍ରତିନିଧି ଗଜେନ୍ଦ୍ର ମହାନ୍ତିଙ୍କୁ ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଆଥକ ସହାୟତା ରାଜ୍ୟ ସରକାର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ବିଭିନ୍ନ ସମୟରେ କର୍ମଜୀବୀ ସାମ୍ବାଦିକଙ୍କ କେତେକ ଜଟିଳ ବ୍ୟାଧିର ଚିକିତ୍ସା ତଥା ଅକାଳ ମୃତ୍ୟୁ ପାଇଁ ଆର୍ଥିକ ସହାୟତା ଓ ଅନୁକମ୍ପା ରାଶି ପ୍ରଦାନ କରିଆସୁଛନ୍ତି। ସାଧାରଣ କାରଣରୁ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଥିବାବେଳେ କରୋନାରେ ମୃତ୍ୟୁ ପାଇଁ କୋଭିଡ୍ ଯୋଦ୍ଧା ଭାବେ ସେମାନଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏତଦ୍ଭିନ୍ନ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ଅନ୍ତର୍ଗତ ସ୍ୱାସ୍ଥ୍ୟବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଉଛି। ଏହି ଯୋଜନାରେ ଏଯାବତ୍ ରାଜ୍ୟର ୬୯୪୪ ଜଣ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସହାୟତା ପ୍ରଦାନ କରାଯାଉଛି।
Comments are closed.