ଗୁରୁଡ଼ିଝାଟିଆରେ ସାଢେ ୮ଟାରେ ସରିଲା ମତଦାନ

ଗୁରୁଡ଼ିଝାଟିଆ: ରାତି ସାଢେ ୮ରେ ସରିଲା ମତଦାନ। କାଳବୈଶାଖି ପ୍ରଭାବରେ ବିଦ୍ୟୁତ୍‌‌ ବିଭ୍ରାଟ ଯୋଗୁଁ ବାଳିରେ ଜେନେରେଟରର ସହାୟତା ନିଆଗଲା। କାଁ ଭାଁ ପେଲାଠେଲାକୁ ଛାଡିଦେଲେ ଶାନ୍ତିପୂର୍ଣ୍ଣ ଭାବେ ଗୁରୁଡ଼ିଝାଟିଆ ଅଞ୍ଚଳର ୭୦ଟି ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସଂପନ୍ନ ହୋଇଛି। ମହାକାଳବସ୍ତ ଉଚ୍ଚ ବିଦ୍ୟାଳୟ, କଖଡି ଉଚ୍ଚ ବିଦ୍ୟାଳୟ, ଛଅଗାଁ ଉତ୍କଳମଣୀ ବିଦ୍ୟାପୀଠ ଓ ବ୍ରାହ୍ମଣବସ୍ତରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ପ୍ରାୟ ରାତି ସାଢେ ୮ଟା ବେଳକୁ ମତଦାନ ସମାପ୍ତ ହୋଇଥିଲା। ବାଳି ଭୋଟ ଗ୍ରହଣ କେନ୍ଦ୍ରରେ କାଳବୈଶାଖି ପ୍ରଭାବରେ ବିଦ୍ୟୁତ୍‌‌ ସରବରାଜ ବ୍ୟାହତ ହେବାରୁ ଆଲୋକିକରଣ ପାଇଁ ଜେନେରେଟରର ସହାୟତା ନିଆଯାଇଥିଲା। ବ୍ରାହ୍ମଣବସ୍ତ, ଗୁରୁଡ଼ିଝାଟିଆ, ଘଣ୍ଟିଖାଲ, ଦଣ୍ଡାପଡ଼ିଆ ଆଦି କେତେକ ବୁଥ ବାହାରେ ନିର୍ଦ୍ଧିଷ୍ଟ ଦୁଇଗୋଷ୍ଠୀ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି କଣ୍ଡରେଇ ଶ୍ୟାମସୁନ୍ଦର ବିଦ୍ୟାପୀଠ ପରିସରରେ ହୋଇଥିବା ମତଦାନ କେନ୍ଦ୍ରରେ ବିଜେପି ପ୍ରାର୍ଥୀ ଅଭୟ କୁମାର ବାରିକଙ୍କୁ କିଛି ଲୋକ ଦୃଢ ବିରୋଧ କରିଥିଲେ। ଫଳରେ ସେ ବାଧ୍ୟ ହୋଇ ଫେରିଥିଲେ। ସେହିଭଳି ଭାବେ କୁମାରପୁର ପଞ୍ଚାୟତର ଦଣ୍ଡାପଡ଼ିଆରେ ମଧ୍ୟ ଠେଲାପେଲା ପରିସ୍ଥିତିର ସମ୍ମୁଖିନ ହେବାକୁ ପଡ଼ିଥିଲା ଶ୍ରୀ ବାରିକଙ୍କୁ। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ଫଳରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ହେଲେ ଏ ନେଇ ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ।

ଘଣ୍ଟିଖାଲ ଓ ବାଳି ଭୋଟଗ୍ରହଣ କେନ୍ଦ୍ରରେ କେତେକ ନିର୍ଦ୍ଦିଷ୍ଟ ଦଳର ଯୁବକଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଅବଶ୍ୟ ଏ ସଂପର୍କରେ ସ୍ଥାନୀୟ ପୁଲିସ ସୁଚନା ପାଇବା ପରେ ସେମାନଙ୍କୁ ଘଉଡାଇ ଦେଇଥିଲା। ମତଦାତାମାନେ ମତଦାନ ପରେ ମତଦାନ କେନ୍ଦ୍ର ବାହାରେ ହୋଇଥିବା ସେଲଫି ପଏଣ୍ଟରେ ମଜା ନବାକୁ ଭୂଲିନଥିଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଗୁରୁଡ଼ିଝାଟିଆ କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ମତଦାନ କେନ୍ଦ୍ରରେ। ବରିଷ୍ଠ ଓ ଦିବ୍ୟାଙ୍ଗମାନଙ୍କୁ ସହାୟତା ପ୍ରଦାନ ମଧ୍ୟ କରାଯାଇଥିଲା ହୁଇଲଚେୟାର ଜରିଆରେ। ଅଧିକାଂଶ ମତଦାନ କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା କରାଯାଇ ଭୋଟରମାନଙ୍କୁ ପ୍ରଦାନ କରାଯାଇଥିଲା। ବ୍ରହ୍ମଣବସ୍ତ ଓ ବାଳିରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ମୋଟାମୋଟି ଭାବେ ଭୋଟ ଦାନ ପାଇଁ ଯଦିଓ ଅଧିକ ସମୟ ଲାଗିଥିଲା। ରାତି ସାଢେ ୮ ପର୍ଯ୍ୟନ୍ତ ଧାଡିରେ ମତଦାତା ଠିଆ ହୋଇଥିଲେ ହେଲେ ଶାନ୍ତିପୂର୍ଣ୍ଣ ଭାବେ ଗୁରୁଡ଼ିଝାଟିଆର ୩୩ଟି ଓ ଖୁଣ୍ଟୁଣୀର ୩୭ଟି ଭୋଟ ଗ୍ରହଣ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି। ରିପୋର୍ଟ ଲେଖାହେବା ବେଳକୁ ଅନନ୍ତପୁର ଭୋଟଗ୍ରହଣ କେନ୍ଦ୍ରରେ ମତଦାନ ଜାରି ରହିଛି।

Comments are closed.