ସ୍ୱଚ୍ଛ, ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ମତଦାନକୁ ଗୁରୁତ୍ୱ
୧୭୨୨ ବୁଥ୍ରେ ୧୩୭୧୬୬୧ ମତଦାତା କରିବେ ମତଦାନ
ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ, ଜୁଆଙ୍ଗ ଓ ପାଉଡି ଭୂୟାଁଙ୍କ ପାଇଁ ୨,୧୫ ଇକୋ ଫ୍ରେଣ୍ଡଲି ଓ ୧୭୪ ସଖି ପୁଲିଂ ଷ୍ଟେସନ
କେନ୍ଦୁଝରଗଡ଼଼: ଜିଲାର ୬ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱଛ, ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ମତଦାନ ଉପରେ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଥିବା ଜିଲାପାଳ ତଥା ଜିଲା ରିଟର୍ଣ୍ଣିଂ ଅଧିକାରୀ ବିଶାଲ ସିଂହ କହିଛନ୍ତି। ୨ଟି ସ୍ୱତନ୍ତ୍ର ବୁଥକୁ ମିଶାଇ ଜିଲାରେ ମୋଟ ୧ ହଜାର ୭୨୨ ବୁଥରେ ୬ ଲକ୍ଷ ୮୩ ହଜାର ୫୧୫ପୁରୁଷ, ୬ ଲକ୍ଷ ୮୮ ହଜାର ୬୦ ମହିଳା ଓ ୮୬ ଅନ୍ୟ ଭୋଟରଙ୍କୁ ମିଶାଇ ମୋଟ ୧୩ ଲକ୍ଷ ୭୧ ହଜାର ୬୬୧ଜଣ ଭୋଟର ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ।
୧୭୨୨ ବୁଥ୍ ମଧ୍ୟରୁ ତେଲକୋଇର ୨୯ ବୁଥ, ଘସିପୁରାର ୪୭ ବୁଥ, ଆନନ୍ଦପୁରର ୩୩ ବୁଥ୍, ପାଟଣାର ୧୬ ବୁଥ, କେନ୍ଦୁଝର ସଦରର ୧୦ ବୁଥ୍ ଓ ଚମ୍ପୁଆର ୪୪ ବୁଥ୍କୁ ମିଶାଇ ମୋଟ ୧୭୯ ବୁଥ୍କୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲାପାଳ ତଥା ଜିଲା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ସିଂହ କହିଛନ୍ତି। ସେଥିମଧ୍ୟରୁ ସବୁଠାରୁ ଅଧିକ ସମ୍ବେଦନଶୀଳ ଘସିପୁରା ନିର୍ବାଚନମଣ୍ଡଳୀର ୫୮ଟି, ଆନନ୍ଦପୁରର ୨୮ଟି, ଚମ୍ପୁଆର ୧୮ଟି ଓ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ୩ଟି ବୁଥକୁ ମିଶାଇ ମୋଟ ୧୦୭ଟି ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଥିବା କହିଥିଲେ। ତେଲକୋଇରେ ୧୦, ଘସିପୁରାରେ ୧୭, ଆନନ୍ଦପୁରରେ ୧୫, ପାଟଣାରେ ୮, କେନ୍ଦୁଝର ସଦରରେ ୧୦ ଓ ଚମ୍ପୁଆରେ ୨୦ଜଣଙ୍କୁ ମିଶାଇ ମୋଟ ୮୦ ଜଣ ମାଇକ୍ରୋ ଅବଜରବର ନିଯୁକ୍ତ କରାଯାଇଛି।
ତେଲକୋଇରେ ୩୬, ଘସିପୁରାରେ ୫୧, ଆନନ୍ଦପୁରରେ୨୬, ପାଟଣାରେ ୨୩, କେନ୍ଦୁଝର ସଦରରେ ୨୯ ଓ ଚମ୍ପୁଆରେ ୧୮ ବୁଥ୍କୁ ମିଶାଇ ମୋଟ ୧୮୩ ବୁଥରେ ସିସିଟିଭି ସଂଯୋଗ କରାଯାଇଛି। ତେଲକୋଇରେ ୧୯୨, ଘସିପୁରାରେ ୧୮୦, ଆନନ୍ଦପୁରରେ ୧୭୫, ପାଟଣାରେ ୧୬୪, କେନ୍ଦୁଝର ସଦରରେ ୧୭୦ ଓ ଚମ୍ପୁଆର ୧୫୧ବୁଥକୁ ମିଶାଇ ମୋଟ ୧୦୩୨ବୁଥରେ ୱେ୍ବ୍କାଷ୍ଟିଙ୍ଗ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିଭଳି ତେଲକୋଇରେ ୬, ଘସିପୁରାରେ ୭, ଆନନ୍ଦପୁରରେ ୭, ପାଟଣାରେ ୬, କେନ୍ଦୁଝର ସଦରରେ ୬ ଓ ଚମ୍ପୁଆର ୮ବୁଥ୍କୁ ମିଶାଇ ମୋଟ ୪୦ବୁଥରେ ଭିଡିଓଗ୍ରାଫି ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଚଳିତ ନିର୍ବାଚନରେ ଯେଭଳି ସମସ୍ତବର୍ଗର ଭୋଟର ସେମାନଙ୍କ ମତସାବ୍ୟସ୍ତ କରିପାରିବେ ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାରେ ମୋଟ ୧୭୨୨ବୁଥ୍ ମଧ୍ୟରୁ ଜିଲା ମୁଖ୍ୟାଳୟରେ କେବଳ ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ବୁଥ୍, ଯୁବ ଭୋଟରଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ୩୦ଟି ବୁଥ୍, ୧୫ଟି ଇକୋ ଫ୍ରେଣ୍ଡଲି ବୁଥ ଏବଂ ଆଦିମ ଜନଜାତି ଜୁଆଙ୍ଗ ଓ ପାଉଡି ଭୂୟାଁଙ୍କ ନିମନ୍ତେ ଗୋଟିଏ ଲେଖାଏଁ ଏଥନିକ୍ ବୁଥ କରାଯାଇଛି। ସେହିଭଳି ପ୍ରିଜାଇଡିଂ ଅଫିସରଙ୍କ ଠାରୁ ଆରମ୍ଭ କରି ସୁରକ୍ଷାକର୍ମୀ ପର୍ଯ୍ୟନ୍ତ କେବଳ ମହିଳା କର୍ମଚାରୀ ନିୟୋଜିତ ହୋଇ ଭୋଟ ଗ୍ରହଣ ନିମନ୍ତେ ସମଗ୍ର ଜିଲାରେ ୧୭୪ଟି ସଖି ପୁଲିଂ ଷ୍ଟେସନ ଗଠନ କରାଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ୧୭ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ସମେତ ୩୯ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ୨୪ ଷ୍ଟ୍ରାଇକିଂ ଫୋର୍ସ, ୧୨୦ ମୋବାଇଲ ପାର୍ଟି ଏବଂ ୧୯୧ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ସେହିଭଳି ମତଦାନ ପରେ ଭୋଟ ଗଣତି ପର୍ଯ୍ୟନ୍ତ ଇଭିଏମ୍ ମେସିନ ସୁରକ୍ଷା ପାଇଁ ଜିଲା ମୁଖ୍ୟାଳୟ ସମେତ ଶାଳପଡ଼ା ଓ ଚମ୍ପୁଆସ୍ଥିତ ଷ୍ଟ୍ରଙ୍ଗରୁମ୍ ସୁରକ୍ଷା ଦାୟିତ୍ୱରେ ୨ କମ୍ପାନୀ ସଶସ୍ତ୍ର ସୀମା ସୁରକ୍ଷା ବଳ ଜିଲାରେ ଯୋଗ ଦେଇଥିବା ଜଣାପଡ଼ିଛି। ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ପ୍ରତ୍ୟକ୍ଷ ନେତ୍ତୃତ୍ୱରେ ୬ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,୧୨ଜଣ ଡିଏସ୍ପି, ୩୬ଜଣ ଇନ୍ସପେକ୍ଟର, ସବ୍-ଇନ୍ସପେକ୍ଟର ଓ ଏଏସ୍ଆଇ ମିଶାଇ ୩୩୩ଜଣ, ୧୪୫୨ଜଣ କନଷ୍ଟେବଲ, ୭୧୭ ଗୃହରକ୍ଷୀ, ୬୬୮ ଗ୍ରାମରକ୍ଷୀଙ୍କୁ ମୁତୟନ କରାଯାଇଛି। ଏତଦ୍ବ୍ୟତୀତ ଜିଲା ବାହାରୁ ୧୫୦୦ ପୁଲିସ କର୍ମଚାରୀ ଜିଲାରେ ଯୋଗ ଦେଇଥିବା ଜଣାପଡ଼ିଛି।
Comments are closed.