ଭୁବନେଶ୍ବର:ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି) ଅନ୍ତିମ ତ୍ରୈମାସିକ ପରୀକ୍ଷା(ବ୍ୟାକ୍ ପେରକୁ ଛାଡ଼ି) ଅଗଷ୍ଟ ୧୯ ତାରିଖ ସୁଦ୍ଧା ଶେଷ ହେବ। ସେହିପରି ସ୍ନାତକର ବ୍ୟାକ୍ ପେପର ସମେତ ଶେଷ ତ୍ରୈମାସିକ ପରୀକ୍ଷା ଫଳ ସେପ୍ଟମ୍ବର ୨୭ ସୁଦ୍ଧା ପ୍ରକାଶ ପାଇବ। ରାଜ୍ୟର ସବୁ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ କୁଳପତି ସମ୍ମିଳନୀରେ ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସବୁ ବିଶ୍ବବିଦ୍ୟାଳୟର କୁଳପତି ଯୋଗଦେଇଥିଲେ। ବୈଠକରେ ସ୍ନାତକୋତ୍ତର ଶେଷ ତ୍ରୈମାସିକ ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ସାରିବା ସହ ସେପ୍ଟେମ୍ବର ୨୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ୨୦୨୧-୨୨ ସ୍ନାତକୋତ୍ତର(ପିଜି) ନାମଲେଖା ପାଇଁ ଚଳିତବର୍ଷ ମଧ୍ୟ ଏକକ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ପିଜି ପ୍ରବେଶିକା ପରୀକ୍ଷା ଅଗଷ୍ଟ ୨୩ରୁ ଆରମ୍ଭ ହୋଇ ସେପ୍ଟେମ୍ବର ପହିଲାରେ ଶେଷ ହେବ। ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅକ୍ଟୋବର ୧୫ରୁ ସ୍ନାତକ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।
ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ରାଜ୍ୟରେ ଏକ ଉତ୍ତମ ଶୈକ୍ଷିକ ବାତାବରଣ ଜରିଆରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରୁଛନ୍ତି । ଏହାର ସଫଳ ରୂପାୟନ ପାଇଁ ବିଶ୍ୱବିଦ୍ୟାଳୟର କୁଳପତି ଦୃଢ ନେତୃତ୍ୱ ଆବଶ୍ୟକ ବୋଲି ସେ କହିଥିଲେ। ସେହିପରି ପିଏଚ୍ଡ଼ି ପାଠ୍ୟକ୍ରମର ଅହେତୁକ ବିଳମ୍ବକୁ ହ୍ରାସ ପାଇଁ ପିଏଚ୍ଡି ପଞ୍ଜୀକରଣ , ପରୀକ୍ଷା,ଫଳ ପ୍ରକାଶନ ଏବଂ ମୌଖିକ ପରୀକ୍ଷା କ୍ଷେତ୍ରରେ ସର୍ବାଧିକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ । ବିଶ୍ୱବିଦ୍ୟାଳୟର ପରିଚାଳନାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଇ-ସ୍ପେସ୍/ଇ-ଡେସ୍ପାଚ୍/ଇ-ଅଫିସ୍ ଆଦି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସହ ଛାତ୍ରଛାତ୍ରୀଙ୍କ ମାଇଗ୍ରେସନ୍, ପଞ୍ଜୀକରଣ ଏବଂ ମୂଳ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ପାଇଁ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ କୁଳପତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବୈଠକରେ ସବୁ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ, ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

