www.samajalive.in
Friday, December 5, 2025
17.1 C
Bhubaneswar

ଦାଦନ ଖଟୁଥିବା ରାଜ୍ୟକୁ ଯିବେ ସରକାର; ଓଡ଼ିଶାରେ ରହି କାମ କରିବାକୁ ହେବ ଅନୁରୋଧ

ଭୁବନେଶ୍ୱର: ଦାଦନ ପାଇଁ ଅନ୍ୟ ରାଜ୍ୟକୁ ଯିବା ପଛର କାରଣ ଏବଂ ସମାଧାନ ବାବଦରେ ଅଧ୍ୟୟନ ହେବ। ଏଥିପାଇଁ ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ଓଡ଼ିଶାର ଲୋକଙ୍କ ପାଖକୁ ଯିବେ ସରକାର। କ’ଣ ପାଇଁ ସେମାନେ ଭିଟାମାଟି ଛାଡ଼ିଛନ୍ତି ଏବଂ କ’ଣ ହେଲେ ଆଉ ଏଠାକୁ ଆସିବେ ନାହିଁ, ସେ ବିଷୟରେ ସରକାରୀ ଅଧିକାରୀ ସେମାନଙ୍କ ମୁହଁରୁ ଶୁଣିବେ। ସୋମବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟାସ୍କଫୋର୍ସର ତୃତୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିସହ ଦାଦନ ଚାଲାଣ କରୁଥିବା ସର୍ଦାରଙ୍କ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ। ବଡ଼ କଥା ହେଲା ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଲାଗୁ ହୋଇଥିବା ଯୋଜନାର ଶତପ୍ରତିଶତ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଲାଗି ପାଞ୍ଚ ବିଭାଗର ମନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି। ଯୋଜନାର ସଫଳତା ପାଇଁ ସମ୍ପୃକ୍ତ ବିଭାଗର ସଚିବଙ୍କୁ ଉତ୍ତରଦାୟୀ କରାଯିବ।

ପୂର୍ବାପେକ୍ଷା ଓଡ଼ିଶାରୁ ଦାଦନ ଚାଲାଣ ହ୍ରାସ ପାଇଛି, କିନ୍ତୁ ଦାଦନ ନିର୍ଯାତନା କମି ନାହିଁ। ଦାଦନଙ୍କୁ ବର୍ଦ୍ଧିତ ମଜୁରି ସହିତ ଓଡ଼ିଶାରେ କର୍ମସଂସ୍ଥାନ ଯୋଗାଇ ଦେବା ପାଇଁ ସରକାର ପଦକ୍ଷେପ ନେଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉ ନାହିଁ। ଏହି ପରିପ୍ରେକ୍ଷୀରେ ଦାଦନ ଶ୍ରମିକଙ୍କ ଉପରେ ଅନୁଷ୍ଠିତ ସର୍ଭେ ଏବଂ ସରକାରଙ୍କ ପାଖରେ ଉପଲବ୍ଧ ତଥ୍ୟ ଆଧାରରେ ଦାଦନ ଶ୍ରମିକ ପ୍ରବାସ ଯାତ୍ରାକୁ ରୋକିବା ପାଇଁ ଓଡ଼ିଶା ପିଭିଟିଜି ଜୀବିକା ମଡେଲ ଏବଂ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଭଳି ପ୍ରଭାବଶାଳୀ ଜୀବିକା ଯୋଜନା କାର୍ଯ୍ୟକାରୀ କରିବାକୁ ବୈଠକରେ ସ୍ଥିର କରାଯାଇଛି। ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଦିଆଯିବ। ଦାଦନ ଯାଉଥିବା ପରିବାରଗୁଡ଼ିକର ଆୟ ବୃଦ୍ଧି କରିବା ସହିତ ଶ୍ରମିକ ସର୍ଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏକ କମିଟି ଗଠନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି କମିଟି ପ୍ରବର୍ତ୍ତନ ଅଧିକାରୀ, ପୁଲିସ, ରେଳବାଇ ଏବଂ ଜିଲା ପ୍ରଶାସନ ସହିତ ସମନ୍ୱୟ ରଖି ମିଶନ ଭିତ୍ତିରେ କାର୍ଯ୍ୟ କରିବ। ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଏସ୍‌ଟି ଓ ଏସ୍‌ସି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଏମ୍ଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଭିନ୍ନ ବିଭାଗର ସଚିବ, ପୁଲିସ ମହାନିର୍ଦେଶକ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories