www.samajalive.in
Friday, December 5, 2025
26.1 C
Bhubaneswar

ବିମାନ ଉଡ଼ାଇବେ ଆଦିବାସୀ ଝିଅ

ଭୁବନେଶ୍ୱର :ରାଜ୍ୟରେ ବିମାନ ଉଡାଣ ଭିତ୍ତିଭୂମିକୁ ସୁଦୃଢ କରିବା ସହ ଏ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ କର୍ମ ନିଯୁକ୍ତି ଯୋଗାଇଦେବା ଉଦେଶ୍ୟରେ ସରକାର ଗୁରୁତ୍ବ ଦେଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୋମବାର ଭୁବନେଶ୍ବରରେ ଆୟୋଜିତ ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଆଦିବାସୀ ଝିଅ ବିମାନ ଉଡ଼ାଇବେ। ସେମାନଙ୍କୁ ପାଇଲଟ ପ୍ରଶିକ୍ଷଣ ପ୍ରଦାନ ପାଇଁ ସରକାର ଖୁବ୍‌ଶୀଘ୍ର କ୍ୟାଡେଟ ପାଇଲଟ୍ ପ୍ରୋଗ୍ରାମ ଆରମ୍ଭ କରିବେ। ବିଲ୍ଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍‌ ଏଭିଏସନ୍ ଆସେଟସ୍ ଆଣ୍ଡ ନେଟୱର୍କ (ବିମାନ) ଯୋଜନା ଅଧୀନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା ହେବ। ସରକାର ବିମାନ ଚଳାଚଳ ବିମାନ ଉଡ଼ାଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ସେ କହିଛନ୍ତି, ଆମର ଆଦିବାସୀ ବାଳିକାଙ୍କୁ ପାଇଲଟ ହୋଇ ନିଜ ସ୍ବପ୍ନ ସାକାର କରିବା ପାଇଁ ସୁଯୋଗ ମିଳିବ। ବିମାନ ଚଳାଚଳ କ୍ଷେତ୍ର କେବଳ ବିମାନବନ୍ଦର ଓ ବିମାନସେବା ପର୍ଯ୍ୟନ୍ତ ସୀମିତ ନୁହେଁ, ଏହା ଆମ ଲୋକଙ୍କ ସ୍ୱପ୍ନକୁ ସୁଯୋଗ ସହିତ ଯୋଡ଼ିବା, ଆମର ଅର୍ଥନୀତିକୁ ସଶକ୍ତ କରିବା ଓ ବିକଶିତ ଭାରତ-୨୦୪୭ର ସ୍ୱପ୍ନକୁ ସାକାର କରିବାର ଏକ ଅନନ୍ୟ ପ୍ରୟାସ।
ମୁଖ୍ୟମନ୍ତ୍ରୀ କହିଥିଲେ, ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ରକ୍ଷାଣବେକ୍ଷଣ, ମରାମତି, ପୁନର୍ନିର୍ମାଣ କେନ୍ଦ୍ର ସ୍ଥାପନ କରାଯାଉଛି। ଏହାସହିତ ରାଜ୍ୟର ବିମାନବନ୍ଦରଗୁଡ଼ିକ ପାଇଁ ସରକାର ଏକ ପ୍ରଗତିଶୀଳ ଭୂମି ଆବଣ୍ଟନ ନୀତି ଆଣିବା ପାଇଁ ଯାଉଛନ୍ତି ଯାହା ଫଳରେ ରାଜ୍ୟର ବିମାନ ବନ୍ଦରଗୁଡ଼ିକ ଭିତରେ ଉଡ଼ାଣ ପ୍ରଶିକ୍ଷଣ, ମାନବ ରହିତ ବିମାନ ଚାଳନା ପ୍ରଶିକ୍ଷଣ ଓ ବିମାନ କ୍ରୀଡ଼ା କାର୍ଯ୍ୟ ସମ୍ଭବ ହୋଇପାରିବ। ରାଜ୍ୟରେ ବ୍ୟବହାର ହେଉନଥିବା ବିମାନ ପଟ୍ଟି ଗୁଡ଼ିକୁ ସରକାର ବିମାନବନ୍ଦର ରୂପେ ବିକଶିତ କରୁଛନ୍ତି। ଏଭଳି ୧୪ଟି ବିମାନବନ୍ଦର ହେବ। ଯେଉଁ ଜିଲାରେ ବିମାନବନ୍ଦର ନାହିଁ, ସେଠାରେ ସମୁଦାୟ ୧୫ଟି ହେଲିପୋର୍ଟ ସ୍ଥାପନ ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ରାଜ୍ୟର ଯୁବକଙ୍କ ପାଇଁ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଓ ଚାକିରି ସୁଯୋଗ ସୃଷ୍ଟି ନିମନ୍ତେ ରାଜ୍ୟ ସରକାର ଏୟାର ୱାର୍କସ୍‌ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୁରୀରେ ଏକ ବିଶ୍ୱସ୍ତରୀୟ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେଉଛି। ଝାରସୁଗୁଡ଼ା ବିମାନବନ୍ଦରର ବିସ୍ତାର ପାଇଁ ଜମି ବ୍ୟବସ୍ଥା କରାଯାଇଛି। ବିଗତ ୧୪ ମାସ ମଧ୍ୟରେ ଓଡ଼ିଶାର ବିମାନବନ୍ଦରଗୁଡ଼ିକୁ ୧୫ଟି ନୂଆ ଗନ୍ତବ୍ୟ ସହିତ ଯୋଡ଼ାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ବେସାମରିକ ବିମାନ ପରିବହନ ମନ୍ତ୍ରୀ, ରାମ ମୋହନ ନାଇଡୁ କିଞ୍ଜାରାପୁ କହିଥିଲେ ଯେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ବିମାନ ଚଳାଚଳ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବ ଦେଉଛନ୍ତି। ଏ ଦିଗରେ ଓଡ଼ିଶାର ଯାହା ସବୁ ଆବଶ୍ୟକତା ଅଛି ତାହା କେନ୍ଦ୍ର ସରକାର ପୂରଣ କରିବେ। ଆସନ୍ତା ଅକ୍ଟୋବର ମାସରୁ ଚିଲିକା ହ୍ରଦରେ ସି-ପ୍ଲେନ୍ ସେବା ଆରମ୍ଭ ହେବ ବୋଲି ସେ କହିଥିଲେ। ଏହି ଅବସରରେ କେନ୍ଦ୍ର ବେସାମରିକ ବିମାନ ପରିବହନ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମ‌େ‌ହାଲ, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଛତିଶଗଡ଼ ଅର୍ଥମନ୍ତ୍ରୀ ଓମ୍‌ପ୍ରକାଶ ଚୌଧୁରୀ ପ୍ରମୁଖ ଅଭିଭାଷଣ ରଖିଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories