nua o banner

ବିଜୟ ହଜାରେ ଟ୍ରଫି ଦିନିକିଆ ପାଇଁ ଓଡ଼ିଶା କ୍ରିକେଟ ଦଳ ଘୋଷଣା

ଶୁଭ୍ରାଂଶୁ ଅଧିନାୟକ; ସ୍ବସ୍ତିକ ନୂଆ ମୁହଁ; ବିପ୍ଳବ ବାଦ୍

BJD Bijuli 480×75 Mob
0

କଟକ: ୨୦୧୯-୨୦ ଘରୋଇ କ୍ରିକେଟ ସିଜିନ୍ ଲାଗି ଓଡ଼ିଶାର ସିନିୟର କ୍ରିକେଟ ଦଳ ସଜବାଜ ହେଉଛି। ସିନିିୟର ଦଳର ୩ଟି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଓଡ଼ିଶା ଦଳ ଚଳିତ ସିଜିନ୍‌ରେ ଆନ୍ତଃରାଜ୍ୟ ଦିନିକିଆ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଖେଳି ତା’ର ଅଭିଯାନ ଆରମ୍ଭ କରିବ। ଗୁଜରାଟର ବରୋଦାରେ ଓଡ଼ିଶା ଦଳ ବିଜୟ ହଜାରେ ଟ୍ରଫିର ଲିଗ୍ ପର୍ଯ୍ୟାୟ ​ଖେଳିବ। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ୨ଟି ମ୍ୟାଚ୍ ପାଇଁ ସୋମବାର ଓଡ଼ିଶା କ୍ରିକେଟ ଦଳ ଘୋଷଣା କରାଯାଇଛି। ଓସିଏ ସିନିିୟର ମନୋନୟନ କମିଟିର ବୈଠକ ବସି ଏହି ୧୫-ଜଣିଆ ଦଳ ଘୋଷଣା କରାଯାଇଛି। ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ଦଳର ନେତୃତ୍ବ ନେବେ। ନୂଆମୁହଁ ଭାବେ ରାଉରକେଲାର ଯୁବ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ସ୍ବସ୍ତିକ ସାମଲ ଦଳରେ ସ୍ଥାନ ପାଇଛନ୍ତି। ସ୍ବସ୍ତିକ ଗତବର୍ଷ ଓଡ଼ିଶା ସିନିୟର ଦଳ ପାଇଁ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଛନ୍ତି। ସ୍ବସ୍ତିକ ରଣଜୀ ଟ୍ରଫି କିମ୍ବା ଦିନିକିଆ ମ୍ୟାଚ୍ ଖେଳିନାହାନ୍ତି। ତେବେ ସମ୍ପୂର୍ଣ୍ଣ ଫିଟ୍‌ ନଥିବାରୁ ବରିଷ୍ଠ ଅଲ୍‌ରାଉଣ୍ଡର ତଥା ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କୁ ଦଳରେ ନିଆ ନଯାଇ ବିଶ୍ରାମ ନେବାକୁ କୁହାଯାଇଛି।
ଗତ ମାସେ ହେଲା ଓଡ଼ିଶା ସିନିୟର ଦଳର ଅଭ୍ୟାସ ଶିବିର ଚାଲିବା ପରେ ଟ୍ରାଏଲ୍‌ସ ମ୍ୟାଚ୍ ଖେଳା ଯାଇଥିଲା। ଉକ୍ତ ପ୍ରଦର୍ଶନ ଅନୁସାରେ ଏହି ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଶୁଭ୍ରାଂଶୁ ସେନାପତି ନେତୃତ୍ବ ବଜାୟ ରଖିଛନ୍ତି। ଦଳରେ ଗୋବିନ୍ଦ ପୋଦ୍ଦାରଙ୍କ ପରି ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଏବଂ ଦୀପକ ବେହେରାଙ୍କ ପରି ଅଭିଜ୍ଞ ଅଲ୍‌ରାଉଣ୍ଡର ରହିଛନ୍ତି। ସୂର୍ଯ୍ୟକାନ୍ତ ପ୍ରଧାନ, ୧୯ ବର୍ଷରୁ କମ୍ ଭାରତୀୟ ଦଳ ପାଇଁ ଖେଳିଥିବା ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନ ପେସ୍ ବୋଲିଂ ଭାର ସମ୍ଭାଳିବେ। ଗତବର୍ଷ ଭାରତୀୟ ରେଳବାଇ ପାଇଁ ଖେଳିଥିବା ବ୍ୟାଟ୍‌ସମ୍ୟାନ୍ ଅଭିଷେକ ଯାଦବ ବର୍ଷକ ପରେ ପୁଣି ଓଡ଼ିଶା ଦଳକୁ ଫେରିଛନ୍ତି। ରାଜସ୍ଥାନ ରୟାଲ୍‌ସ ପାଇଁ ଆଇପିଏଲ୍‌ ଖେଳିଥିବା ଅଲ୍‌ରାଉଣ୍ଡର ଅଭିଷେକ ରାଉତ ମଧ୍ୟ ଦଳରେ ରହିଛନ୍ତି। ସନ୍ଦୀପ ପଟ୍ଟନାୟକ ଓପ୍‌ନର ଭାବେ ଖେଳିବାକୁ ଥିବା​‌ ବେଳେ ଯୁବ ବ୍ୟାଟ୍‌ସମ୍ୟାନ୍ ଦେବାଶିଷ ସାମନ୍ତରାୟ ଓ ଶାନ୍ତନୁ ମିଶ୍ର ଦଳରେ ରହିଛନ୍ତି। ସୁଜିତ ଲେଙ୍କା ୱିକେଟ ରକ୍ଷଣ ସମ୍ଭାଳିବେ। ଏକମାତ୍ର ବିଶେଷଜ୍ଞ ସ୍ପିନର ଭାବେ ବାମହାତି ପପ୍ପୁ ରାୟ ରହିଛନ୍ତି। ତେବେ ବରିଷ୍ଠ ପେସ୍ ବୋଲର ବସନ୍ତ ମହାନ୍ତିଙ୍କୁ ଦଳରେ ସ୍ଥାନ ମିଳିନାହିଁ। ବିପ୍ଳବ ସାମନ୍ତରାୟ ଟ୍ରାଏଲ୍‌ସ ମ୍ୟାଚ୍ ଖେଳିଥିଲେ ହେଁ ସମ୍ପୂର୍ଣ୍ଣ ଫିଟ୍‌ ନଥିବାରୁ ତାଙ୍କୁ ପ୍ରଥମ ୨ଟି ମ୍ୟାଚ୍ ପାଇଁ ଦଳରେ ସାମିଲ କରା ଯାଇନାହିଁ। ଏହାସହ ମନୋନୟନକାରୀ ୯ ଜଣ ଷ୍ଟାଣ୍ଡବାଇ ଖେଳାଳିଙ୍କୁ ମଧ୍ୟ ମନୋନୀତ କରିଛନ୍ତି।
ଓଡ଼ିଶା ଦଳ ବିଜୟ ହଜାରେ ଟ୍ରଫିର ଏଲିଟ୍‌ ଗ୍ରୁପ୍ ‘ବି’ରେ ସ୍ଥାନପାଇଛି। ଏହି ଗ୍ରୁପ୍‌ରେ ଓଡ଼ିଶା ସମେତ ୯ଟି ଦଳ ସ୍ଥାନ ପାଇଛନ୍ତି। ଓଡ଼ିଶା ଦଳ ସେପ୍ଟେମ୍ବର ୨୪ରେ ଆୟୋଜକ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ପରେ ୨୬ରେ ହରିୟାଣା ବିପକ୍ଷରେ ଓଡ଼ିଶା ୨ୟ ମ୍ୟାଚ୍ ଖେଳିବ। ଏହାପରେ ୨୮ରେ ହିମାଚଳ ପ୍ରଦେଶ, ୨୯ରେ ଦିଲ୍ଲୀ, ଅକ୍ଟୋବର ୩ରେ ବିଦର୍ଭ, ଅକ୍ଟୋବର ୭ରେ ଉତ୍ତର ପ୍ରଦେଶ, ୯ରେ ମହାରାଷ୍ଟ୍ର ଓ ୧୩ରେ ପଞ୍ଜାବ ବିପକ୍ଷରେ ଓଡ଼ିଶା ବାକି ୬ଟି ଲିଗ୍ ମ୍ୟାଚ୍ ଖେଳିବ।
ଓଡ଼ିଶା ଦିନିକିଆ ଦଳ
ସନ୍ଦୀପ ପଟ୍ଟନାୟକ, ସ୍ବସ୍ତିକ ସାମଲ, ଶାନ୍ତନୁ ମିଶ୍ର, ଦେବାଶିଷ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଅଭିଷେକ ଯାଦବ, ଅଭିଷେକ ରାଉତ, ଗୋବିନ୍ଦ ପୋଦ୍ଦାର, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରୟାସ କୁମାର ସିଂହ, ସୁଜିତ ଲେଙ୍କା (ୱିକେଟ ରକ୍ଷକ), ପପ୍ପୁ ରାୟ ଓ ଦୀପକ ରଞ୍ଜନ ବେହେରା। ପ୍ରଶିକ୍ଷକ: ରଶ୍ମିରଞ୍ଜନ ପରିଡ଼ା, ଫିଜିଓ: ଶୁଭକାନ୍ତ ସାହୁ, ଟ୍ରେନର: ମନୋଜ କୁମାର ବିଶ୍ବାଳ।
ଷ୍ଟାଣ୍ଡବାଇ: ଶୁଭମ୍ ନାୟକ, ଅଙ୍କିତ ଯାଦବ, ରାଜକିଷନ ପଟେଲ, ଅୟସକାନ୍ତ ସାହୁ, ପ୍ରୀତ କନୱର ସିଂହ ଚୌହାନ, କୃଷ୍ଣ ପଲେଇ, ଆଶୁତୋଷ ଦାସ, ଆଶିଷ ରାୟ ଓ ପ୍ରବୀଣ ଲୋହା।

Leave A Reply