ଓଡ଼ିଶା କ୍ରିକେଟ୍‌ ଲିଗ୍‌: ଓଡ଼ିଶା ପାନ୍ଥର୍ସ, ଚିତାଜ୍‌, ଲାୟନ୍‌ସ ବିଜୟୀ

କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଓଡ଼ିଶା କ୍ରିକେଟ୍‌ ଲିଗ୍‌ (ଓସିଏଲ୍‌) ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ଶନିବାର ୩ଟି ମ୍ୟାଚ୍‌ ଖେଳା ଯାଇଥିଲା। ବାରବାଟୀ ଷ୍ଟାଡିୟମ୍‌ରେ ଏହି ୩ଟି ମ୍ୟାଚ୍‌ରେ ଓଡ଼ିଶା ପାନ୍ଥର୍ସ, ଓଡ଼ିଶା ଚିତାଜ୍‌ ଓ ଓଡ଼ିଶା ଲାୟନ୍‌ସ ବିଜୟୀ ହୋଇଛନ୍ତି।

ଓଡ଼ିଶା ଟାଇଗର୍ସକୁ ୩୨ ରନ୍‌ରେ ପାନ୍ଥର୍ସ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂକରି ପାନ୍ଥର୍ସ ୮ ୱିକେଟ୍‌ରେ ୧୨୨ ରନ୍‌ କରିଥିଲା। ରଘୁନାଥ ମଲ୍ଲ ୪୩ ବଲ୍‌ରୁ ୩୮, ସମ୍ବିତ ସାହୁ ୨୮ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୨, ବିକାଶ ରାଉତ ୧୮ ଓ ସତ୍ୟକାମ ଭରଦ୍ବାଜ ୧୩ ରନ୍‌ କରିିଥିଲେ। ସୁମିତ ଶର୍ମା ଓ ଶୋଭନଦେବ ବେହେରା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ୧୨୩ ରନ୍‌ର ପିଛାକରି ଟାଇଗର୍ସ ୧୭.୪ ଓଭରରେ ମାତ୍ର ୯୦ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଅଧିନାୟକ ରାକେଶ ପଟ୍ଟନାୟକ ୧୪ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୨୯ ଏବଂ ଟୁୁକୁନା ସାହୁ ୧୫ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୨୮ ରନ୍‌ କରିଥିଲେ। ବିମଳ କୁମାର ୩ଟି ଏବଂ ହର୍ଷିତ ରାଠୋଡ଼ ଓ ଅଙ୍କିତକର ଜୟସୱାଲ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ବିମଳ କୁମାରଙ୍କୁ ଓସିଏ ସଦସ୍ୟା ମଧୁସ୍ମିତା ପାତ୍ର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଚେକ୍ ପ୍ରଦାନ କରିଥିଲେ। ଅପରାହ୍ଣରେ ପ୍ୟୁମାଜ୍‌କୁ ୬ ୱିକେଟ୍‌ରେ ଚିତାଜ୍ ପରାସ୍ତ କରିଛି। ପ୍ୟୁମାଜ୍ ୨ ୱିକେଟ୍‌​‌େ​ର ୧୪୨ ରନ୍‌ କରିଥିଲା। ଓପ୍‌ନର ସ୍ବସ୍ତିକ ସାମଲ ୨୪ ରନ୍‌ କରିଥିଲେ। ଗିରିଜା ବାରିକ ଓ ଅଧିନାୟକ କାର୍ତ୍ତିକ ବିଶ୍ବାଳ ଅବିଭାଜିତ ୩ୟ ୱିକେଟ୍‌ ପାଇଁ ୮୯ ରନ୍‌ ଯୋଡ଼ିଥିଲେ।

ଗିରିଜା ୫୮ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୬୪ ଏବଂ କାର୍ତ୍ତିକ ୩୪ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୪ ରନ୍‌କରି ଅପରାଜିତ ଥିଲେ। ୩ଟି ବଲ୍‌ ବାକିଥାଇ ୪ ୱିକେଟ୍‌ ହରାଇ ଚିତାଜ୍ ଜିତିଥିଲା। ଦିନେଶ ମାଝି ୩୯ ବଲ୍‌ରୁ ୩୪, ସୁଶୀଳ ବାରିକ ୨୨ ବଲ୍‌ରୁ ୨୬ ରନ୍‌ କରିଥିବା ବେଳେ ଅଧିନାୟକ ବିପ୍ଳବ ସାମନ୍ତରାୟ ୧୮ ବଲ୍‌ରୁ ୨୧ ଓ ଓମ୍ ଟି. ମୁଣ୍ଡେ ୧୬ ବଲ୍‌ରୁ ୨୦ ରନ୍‌କରି ଅପରାଜିତ ଥିଲେ। ଦିନେଶ ମାଝିଙ୍କୁ ଓସିଏ ସଦସ୍ୟ ସମ୍ପୂର୍ଣ୍ଣାନନ୍ଦ ଦାସ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଚେକ୍ ପ୍ରଦାନ କରିଥିଲେ। ସନ୍ଧ୍ୟାରେ ଡକ୍‌ୱର୍ଥ-ଲୁଇସ୍ ପଦ୍ଧତିରେ ଓଡ଼ିଶା ଜାଗୁଆର୍ସକୁ ୧୧ ରନ୍‌ରେ ଲାୟନ୍‌ସ ପରାସ୍ତ କରିଛି। ଜାଗୁଆର୍ସ ୮ ୱିକେଟ୍‌ ହରାଇ ୯୪ ରନ୍‌ କରିଥିଲା। ଭେଙ୍କଟେଶ ଭାଣ୍ଡେ ୨୧, ଶୁଭାଶିଷ ମିର୍ଦ୍ଧା ୧୭ ଓ ପଙ୍କଜ ସେନାପତି ୧୬ ରନ୍‌ କରିଥିଲେ। ପ୍ରଦୀପ ପ୍ରଧାନ ୩ଟି ଓ ସୁମିତ ମହାରଣା ୨ଟି ୱିକେଟ୍‌ ନେଇଥିଲେ। ୯୫ ରନ୍‌ ଲକ୍ଷ୍ୟରେ ଲାୟନ୍‌ସ ୬.୪ ଓଭରରେ ୪ ୱିକେଟ୍‌ ହରାଇ ୪୯ ରନ୍‌ କରିଥିବା ବେଳେ ବର୍ଷା ଯୋଗୁଁ ଆଉ ଖେଳ ହୋଇନଥିଲା। ଅନୁରାଗ ଷଡ଼ଙ୍ଗୀ ୩୩ ରନ୍‌ରେ ଅପରାଜିତ ଥିଲେ। ଶୁଭମ୍ ନାୟକ ୩ଟି ୱିକେଟ୍‌ ନେଇଥିଲେ। ଡକ୍‌ୱର୍ଥ-ଲୁଇସ୍ ପଦ୍ଧତିରେ ଲାୟନ୍‌ସକୁ ୩୯ ରନ୍‌ ଆବଶ୍ୟକ ଥିବାରୁ ଏହା ୧୧ ରନ୍‌ରେ ବିଜୟୀ ହୋଇଥିଲା। ପ୍ରଦୀପ ପ୍ରଧାନ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.