ବ୍ରହ୍ମପୁର: କଡା ସତର୍କତା, ସମୟୋଚିତ ପଦକ୍ଷେପ ଓ ସଚେତନତା ଯୋଗୁଁ ୩ ଶିଶୁ କରୋନାକୁ ମାତ୍ ଦେଇଛନ୍ତି। ଏହା ହିଁ ନିରାଶା ମଧ୍ୟରେ କିଛିଟା ଆଶା ସଞ୍ଚାର କରିଛି। କରୋନାକୁ ହରାଇଥିବା ଶିଶୁଙ୍କ ବୟସ ୧୦ରୁ ୧୨ ମାସ ମଧ୍ୟରେ। ୨ଜଣ ଶିଶୁ ଗୃହ ସଙ୍ଗରୋଧରେ ରହି ଭଲ ହୋଇଥିବାବେଳେ ଆଉ ଜଣେ ୧୧ ମାସର ଶିଶୁ କରୋନା ସଂକ୍ରମିତ ମା’ଠାରୁ ଅଲଗା ହୋଇ ବଡ଼ଡାକ୍ତରଖାନା ସ୍ବତନ୍ତ୍ର ଯତ୍ନ କୋଠରୀ (ଆଇସିୟୁ)ରେ ରହି ଏବେ ସୁସ୍ଥ ହେଲାଣି। ଆଜି ଉକ୍ତ ଶିଶୁକୁ ବଡ଼ଡାକ୍ତରଖାନାରୁ ଛାଡ କରାଯିବ।
ସୂଚନା ଅନୁସାରେ ୭ଦିନ ତଳେ ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ମହିଳା ୧୧ ମାସର ଶିଶୁକୁ ଧରି ବ୍ରହ୍ମପୁର ବଡ଼ଡାକ୍ତରଖାନା କୋଭିଡ଼ ୱାର୍ଡକୁ ଆସିଥିଲେ। ଶିଶୁକୁ ଥଣ୍ଡା ଓ ସାମାନ୍ୟ ଜ୍ବର ହୋଇଥିଲା। ଚିିକିତ୍ସା ପୂର୍ବରୁ ପ୍ରଥମେ ମା’ର କରୋନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ସମୟରେ ମା’ ସଂକ୍ରମିତ ଥିବା ଜଣାପଡିଥିଲା। ସତର୍କତାସ୍ବରୂପ ଡାକ୍ତର ସମ୍ପୃକ୍ତ ଶିଶୁର ମା’ଙ୍କୁ ଘରକୁ ପଠାଇଦେଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ଶିଶୁକୁ ସନ୍ଦିଗ୍ଧ ଭାବେ ଡାକ୍ତରଖାନାର ସ୍ବତନ୍ତ୍ର ଯତ୍ନ କୋଠରୀ (ଆଇସିୟୁ)ରେ ରଖାଯାଇଥିଲା। ୭ ଦିନ ଧରି ଶିଶୁଟି ମା’ଠାରୁ ଅଲଗା ହୋଇ ସ୍ବତନ୍ତ୍ର ଯତ୍ନ କୋଠାରୀରେ ରହିଥିଲା। ଏବେ ଶିଶୁର ସ୍ବାସ୍ଥ୍ୟବସ୍ଥା ଭଲ ରହିଛି। ଜ୍ବରରେ ଅସୁସ୍ଥ ଥିବା ବ୍ରହ୍ମପୁର ଅଞ୍ଚଳର ଜଣେ ୧୦ ମାସର ଶିଶୁ ଓ ମା’ ଏବଂ ଆଉ ଜଣେ ଏକ ବର୍ଷର ଶିଶୁ ଓ ତାଙ୍କ ମା’ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ସେମାନେ ବି ସୁସ୍ଥ ହୋଇଛନ୍ତି।
ଦୁଇ ଶିଶୁଙ୍କୁ ଜ୍ବର ଓ ଥଣ୍ଡା ହେବାରୁ ମା’ ଡାକ୍ତରଖାନା ନେଇଥିଲେ। ପରୀକ୍ଷା ବେଳେ ଦୁଇଶିଶୁ ଓ ସେମାନଙ୍କ ମା’ କରୋନା ସଂକ୍ରମିତ ଥିବା ଜଣାପଡିଥିଲା। ଦୁଇ ଶିଶୁଙ୍କୁ ସାମାନ୍ୟ ଜ୍ବର ଓ କାଶ ହେଉଥିବାରୁ ସେମାନଙ୍କୁ ଜ୍ବର ଓ କାଶ ଔଷଧ ଦିଆଯାଇ ଘରକୁ ପଠାଇ ଦିଆଯାଇଥିଲା। ମା’ଙ୍କୁ ଘରେ ସମ୍ପୂର୍ଣ୍ଣ ରୂପେ ସଙ୍ଗରୋଧରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏବେ ଔଷଧ ଖାଇ ଦୁଇ ଶିଶୁ ଓ ସେମାନଙ୍କ ମା’ ମାନେ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏହି ୩ ଶିଶୁ ବ୍ୟତୀତ ବଡ଼ଡାକ୍ତରଖାନାକୁ ଆସିଥିବା ଆଉ ୩ଜଣ ଶିଶୁକୁ ଅଧିକ ସ୍ବତନ୍ତ୍ର ଚିକିତ୍ସା ପାଇଁ ନଗର ଚିିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି।
କରୋନାକୁ ନେଇ ଅଧିକ ଆତଙ୍କିତ ହେବା ଆବଶ୍ୟକ ନାହିଁ। ଶିଶୁକୁ ସାମାନ୍ୟ କାଶ, ଜ୍ବର ଓ ଥଣ୍ଡା ହେଲେ କିଛି ବ୍ୟସ୍ତ ହେବାର ନାହିଁ। ସେମାନଙ୍କୁ ଥଣ୍ଡା,ଜ୍ବର ଓ କାଶ ଔଷଧ ଦିଆଯାଇ ସୁସ୍ଥ କରାଯାଇ ପାରିିବ। ଏପରିକି ସେମାନଙ୍କୁ ଯଦି ବି କରୋନା ହୋଇଥାଏ ତେବେ ବି ଏହି ଔଷଧ କାମ କରିବ। ଜ୍ବର ପରେ ଯଦି ଶିଶୁ ଧଇଁସଇଁ ହେଉଥାଏ, କିମ୍ବା ଅନ୍ୟ କିଛି ଲକ୍ଷଣ ଦେଖାଯାଏ ତେବେ ଶିଶୁକୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ଡାକ୍ତରଖାନାକୁ ନିଆଯିବା ଉଚିତ ବୋଲି କହିଛନ୍ତି ବ୍ରହ୍ମପୁର ବଡ଼ଡାକ୍ତରଖାନାର ଶିଶୁ ରୋଗ ବିଶେଷଜ୍ଞ ଡା.ସୁନୀଲ ଅଗ୍ରୱାଲ।



